Advertisment

ମୋଦିଙ୍କ ନାଁ ନେବାକୁ ସିବିଆଇର ଚାପ: ଅମିତ ଶାହଙ୍କୁ ପୁଲିସ ପ୍ରଶ୍ନ କରୁ ବୋଲି କହିଲେ ଗେହଲଟ

ରାହୁଲଙ୍କ ବୟାନକୁ ଦିଲ୍ଲୀ ପୁଲିସ୍‌ ବେଶ ଗୁରୁତ୍ୱର ସହ ନେଇଥିଲା। ଯାତ୍ରା ଶେଷ ହେବା ପରେ ଦିଲ୍ଲୀ ପୁଲିସ୍‌ର ଗୋଟିଏ ଟିମ ୫ ଦିନ ମଧ୍ୟରେ ୩ଥର ରାହୁଲଙ୍କ ବାସଭବନକୁ ଯାଇ ଉକ୍ତ ମହିଳାମାନଙ୍କ ତଥ୍ୟ ମାଗିଥିଲା।

author-image
Hemant Lenka
Ashok Gehlot

Ashok Gehlot

ୟୁପିଏ ଶାସନ ସମୟରେ ସିବିଆଇ ବର୍ତ୍ତମାନର ସ୍ୱରାଷ୍ଟ୍ର ଅମିତ ଶାହଙ୍କ ଉପରେ ଚାପ ପକାଇଥିଲା। ଫେକ ଏନକାଉଣ୍ଟର ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଫେକ ଏନକାଉଣ୍ଟରରେ ରହିଛି ବୋଲି ସ୍ୱୀକାର କରିବାକୁ ସିବିଆଇ ଅମିତ ଶାହଙ୍କୁ ବାଧ୍ୟ କରିଥିଲା। ନିଜେ ଅମିତ ଶାହ ଏପରି କଥା କହିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

Advertisment

ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଭେଟରାନ ଅଶୋକ ଗେହଲଟ ଏ ପ୍ରସଙ୍ଗରେ ଦେଇଥିବା ବୟାନ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ସେ ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିବା ସହ ତାଙ୍କ ଉପରେ ଚାପ ପକାଇଥିବା ସିବିଆଇ ଅଧିକାରୀମାନଙ୍କ ନାଁ କୁହନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଏଥିସହ ପୁଲିସ୍‌ ମଧ୍ୟ ଅମିତ ଶାହଙ୍କ ଠାରୁ ଉକ୍ତ ଅଧିକାରୀମାନଙ୍କ ନାଁ ଆଣୁ ବୋଲି ସେ କହିଛନ୍ତି।

ଶ୍ରୀ ଗେହଲଟ କହିଛନ୍ତି, ଯଦି ଦିଲ୍ଲୀ ପୁଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜମ୍ମୁ-କଶ୍ମୀରରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ମହିଳାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗି ପାରୁଛି। ତା’ହେଲେ ସେହି ପୁଲିସ୍‌ ନିଶ୍ଚିତ ଭାବେ ଅମିତ ଶାହଙ୍କୁ ତାଙ୍କ ଉପରେ ଚାପ ପକାଇ ମୋଦିଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅଧିକାରୀଙ୍କ ବିଷୟରେ ପଚାରିପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

Advertisment

ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ “ମହିଳାମାନେ ଏବେ ବି କେନ୍ଦ୍ର ଶାସିତ ଅଞ୍ଚଳରେ ଯୌନ ଶୋଷଣ ଶିକାର ହେଉଛନ୍ତି। ଏକଥା ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ମହିଳା ମୋତେ କହିଛନ୍ତି।” ରାହୁଲଙ୍କ ଏପରି ବୟାନକୁ ଦିଲ୍ଲୀ ପୁଲିସ୍‌ ବେଶ ଗୁରୁତ୍ୱର ସହ ନେଇଥିଲା। ଯାତ୍ରା ଶେଷ ହେବା ପରେ ଦିଲ୍ଲୀ ପୁଲିସ୍‌ର ଗୋଟିଏ ଟିମ ୫ ଦିନ ମଧ୍ୟରେ ୩ଥର ରାହୁଲଙ୍କ ବାସଭବନକୁ ଯାଇ ଉକ୍ତ ମହିଳାମାନଙ୍କ ତଥ୍ୟ ମାଗିଥିଲା।

ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିଜେପିକୁ ଟାର୍ଗେଟ କରାଯାଇଥିଲା। ପୁଲିସ୍‌ ଜାଣିଶୁଣି ରାହୁଲଙ୍କୁ ହଇରାଣ କରିବା ସହ ବିଜେପି ନେତାଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା କହିଥିଲା।

ଏବେ ଗେହଲଟ କହିଛନ୍ତି, “କଶ୍ମୀରରେ ମହିଳାମାନେ ରାହୁଲ ଗାନ୍ଧିଙ୍କୁ କ’ଣ ସବୁ କହିଛନ୍ତି? ସେମାନେ ହଇରାଣ ଓ ନିର୍ଯାତିତ ହେଉଥିବା କଥା କହିଥିଲେ। ଏହାପରେ କ’ଣ ହେଲା? ଦିଲ୍ଲୀ ପୁଲିସ୍‌ ସିଧା ରାହୁଲଙ୍କ ଘରେ ପହଞ୍ଚିଗଲା। ରାହୁଲ କହିଥିଲେ ଯେ ସେ ପୁଲିସ୍‌ ନୋଟିସର ଜବାବ ଦେବେ। କିନ୍ତୁ ପୁଣିଥରେ ପୁଲିସ୍‌ ତାଙ୍କ ଘରେ ପହଞ୍ଚି ହଇରାଣ କଲା।

ତେଣୁ ଦିଲ୍ଲୀ ପୁଲିସ୍‌ କ’ଣ ଏବେ ଅମିତ ଶାହଙ୍କୁ ନୋଟିସ କରି ସିବିଆଇର କେଉଁ ଅଫିସରମାନେ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ତାଙ୍କ ଉପରେ ଚାପ ପକାଇଥିଲେ ପଚାରିବ? ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିବା ଭଳି ଦିଲ୍ଲୀ ପୁଲିସ୍‌ ଅମିତ ଶାହଙ୍କୁ ପ୍ରଶ୍ନ କରିବ କି ବୋଲି ମୁଁ ପଚାରୁଛି। ମୁଁ ଭାବୁବି ସେମାନେ ସେମିତି କରିବା ଦରକାର।”

ଗୋଟିଏ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ଅମିତ ଶାହ କହିଥିଲେ ଯେ ଗୁଜରାଟ ଫେକ ଏନକାଉଣ୍ଟର ମାମଲାରେ ସିବିଆଇ ଅଧିକାରୀମାନେ ତାଙ୍କୁ ପଚରାଉଚାରା କରିଥିଲେ। ଏହି ସମୟରେ ସିବିଆଇ ଅଫିସରମାନେ ତାଙ୍କ ଉପରେ ନରେନ୍ଦ୍ର ମୋଦିଙ୍କ ନାଁ ଏହି ମାମଲାରେ ନେବାକୁ ଚାପ ପକାଇଥିଲେ। କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାର ସମୟରେ ଏହା ଘଟିଥିଲା ବୋଲି ସେ କହିଥିଲେ।

Bjp Congress Rahul Gandhi Ashok Gehlot Amit Shah