Advertisment

IndiGo mess: ବିମାନ ବାତିଲ; ଅନ୍‌ଲାଇନରେ ଭୋଜିରେ ସାମିଲ ହେଲେ ବରବଧୂ

ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ସଙ୍ଗମ ଓ ମେଧାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ଗତ ବୁଧବାର (ଡିସେମ୍ବର ୩) ମେଧାଙ୍କ ବାପଘର ତରଫରୁ ହୁବଲିର ଗୁଜରାଟ ଭବନରେ ଭୋଜି ଦିଆଯାଇଥିଲା।

author-image
Jitendra Garnayak
Marriage

ଇଣ୍ଡିଗୋ ବିମାନ ବାତିଲ ହେବା ଯୋଗୁ ଏକ ନବବିବାହିତ ଦମ୍ପତି ଅନ୍‌ଲାଇନ୍‌ରେ ସେମାନଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ବାଧ୍ୟ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକାର ହୁବଲିରେ।

Advertisment

ଏହି ଦମ୍ପତି ହେଉଛନ୍ତି ସଙ୍ଗମ ଦାସ ଓ ମେଧା କ୍ଷୀରସାଗର। ସଙ୍ଗମଙ୍କ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ମେଧାଙ୍କ ଘର କର୍ଣ୍ଣାଟକାର ହୁବଲିରେ। ଉଭୟ ସଫ୍ଟୱେର ଇଞ୍ଜିନିୟର। ସେମାନେ ବେଙ୍ଗାଲୁରୁରେ ଚାକିରି କରନ୍ତି।

ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ସଙ୍ଗମ ଓ ମେଧାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ଗତ ବୁଧବାର (ଡିସେମ୍ବର ୩) ମେଧାଙ୍କ ବାପଘର ତରଫରୁ ହୁବଲିର ଗୁଜରାଟ ଭବନରେ ଭୋଜି ଦିଆଯାଇଥିଲା। 

Advertisment

ଏହି ଭୋଜିରେ ଉପସ୍ଥିତ ରହିବା ପାଇଁ ମେଧା ଓ ସଙ୍ଗମ ପୂର୍ବରୁ ଇଣ୍ଡିଗୋ ବିମାନରେ ଟିକେଟ କରିଥିଲେ। ସେମାନେ ଡିସେମ୍ବର ୨ ତାରିଖରେ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଇଥା’ନ୍ତେ ଓ ସେଠାରୁ ହୁବଲି ଯାଇଥା’ନ୍ତେ। କିନ୍ତୁ ଡିସେମ୍ବର ୨ ତାରିଖ ସକାଳ ୯ଟାରେ ସେମାନେ ସୂଚନା ପାଇଥିଲେ ଯେ ବିମାନ ଉଡ଼ାଣରେ ବିଳମ୍ବ ହେବ। ପରେ ପରେ ସେମାନେ ଆହୁରି ସୂଚନା ପାଇଥିଲେ ଯେ ଡିସେମ୍ବର ୩ ତାରିଖ ସକାଳ ପର୍ଯ୍ୟନ୍ତ ବିମାନ ବିଳମ୍ବ ହେବ। ପରବର୍ତ୍ତୀ ସମୟରେ ସେହି ଦିନର ଇଣ୍ଡିଗୋ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଥିଲା। ସେହିପରି ସଙ୍ଗମଙ୍କ କିଛି ସଂପର୍କୀୟ ଭୁବନେଶ୍ୱରରୁ ଭାୟା ମୁମ୍ବାଇ ହୋଇ ହୁବଲି ଯିବାକୁ ଇଣ୍ଡିଗୋ ବିମାନରେ ଟିକେଟ କରିଥିଲେ। ସେମାନଙ୍କ ବିମାନ ମଧ୍ୟ ବାତିଲ ହୋଇଥିଲା। 

ଅନ୍ୟପକ୍ଷରେ ହୁବଲିରେ ମେଧାଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମି ସାରିଥିଲା। ଭୋଜି ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଥିଲା। ତେଣୁ ତାକୁ ଆଉ ବାତିଲ କରାଯାଇ ନଥିଲା। ମେଧା ଓ ସଙ୍ଗମ ବଧୂ ଓ ବର ବେଶରେ ପ୍ରସ୍ତୁତ ହୋଇ ଅନ୍‌ଲାଇନ୍‌ରେ ଏହି ଭୋଜିରେ ସାମିଲ ହୋଇଥିଲେ। ଏଥିପାଇଁ ହୁବଲିରେ ଭୋଜି ହେଉଥିବା ସ୍ଥାନରେ ଏକ ବଡ଼ ସ୍କ୍ରିନ୍‌ ଲଗାଯାଇଥିଲା। 

Marriage
ଅନ୍‌ଲାଇନ ଯୋଗେ ଭୋଜିରେ ସାମିଲ ବରବଧୂ

ପରିଚାଳନାଗତ ବିଶୃଙ୍ଖଳା ଯୋଗୁ ଏହି ସପ୍ତାହରେ ଇଣ୍ଡିଗୋ ବିମାନ ତା’ର ଶହ ଶହ ବିମାନକୁ ବାତିଲ କରିଛି। ଗତକାଲି ଇଣ୍ଡିଗୋ ଏହାର ୫୦୦ ବିମାନକୁ ବାତିଲ କରିଥିଲା। ଆଜି ମଧ୍ୟ ଇଣ୍ଡିଗୋର ଅଚଳାବସ୍ଥା ଜାରି ରହିଛି। ସାରା ଦେଶରେ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଏହାର ୭୫୦ଟି ବିମାନକୁ ବାତିଲ କରାଯାଇଛି।