Advertisment

ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଆତ୍ମବଳି ଦେଲେ ଦମ୍ପତି

ଜଣେ ୩୮ ବର୍ଷୀୟ ଚାଷୀ ଓ ତାଙ୍କ ପତ୍ନୀ ମିଳିତ ଭାବେ ଆତ୍ମବଳି ଦେଇଛନ୍ତି। ପୁଲିସ୍‌ ଠାବ କରିଥିବା ସୁଇସାଇଡ ନୋଟରେ ଦୁଇ ଜଣଙ୍କ ଆଙ୍ଗୁଳି ଚିହ୍ନ ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rajkot

Rajkot

ଅନ୍ଧବିଶ୍ୱାସର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଗୁଜରାଟର ଜଣେ ଦମ୍ପତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଆତ୍ମବଳି ଦେଇଛନ୍ତି। ସେମାନେ ଆତ୍ମବଳି ଦେବା ପାଇଁ ଗିଲୋଟିନ ବା ମୁଣ୍ଡରୁ ଗଣ୍ଡିକୁ ଅଲଗା କରୁଥିବା ଧାରୁଆ ଅସ୍ତ୍ର ତିଆରି କରିଥିଲେ। ଏହାପରେ ସେଠାରେ ନିଜର ବେକ ଦେଖାଇ ଆତ୍ମବଳି ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗିଲୋଟିନକୁ ସେମାନେ ଏମିତି ଏକ ସ୍ଥାନରେ ରଖିଥିଲେ ଯେ ଗଣ୍ଡିରୁ ମୁଣ୍ଡି ଅଲଗା ହେବା ପରେ ସିଧା ଜଳୁଥିବା ନିଆଁରେ ହିଁ ପଡ଼ିଥିଲା। ମୁକ୍ତି ପାଇବା ପାଇଁ ସେମାନେ ଏପରି କରିଥିବା ଜଣାପଡ଼ିଛି।

Advertisment

ଗୁଜରାଟର ରାଜକୋଟ ଅନ୍ତର୍ଗତ ବିଞ୍ଚିୟା ଗାଁରୁ ଏପରି ଖବର ସାମ୍ନାକୁ ଆସିଛି। ଜଣେ ୩୮ ବର୍ଷୀୟ ଚାଷୀ ଓ ତାଙ୍କ ପତ୍ନୀ ମିଳିତ ଭାବେ ଆତ୍ମବଳି ଦେଇଛନ୍ତି। ପୁଲିସ୍‌ ଠାବ କରିଥିବା ସୁଇସାଇଡ ନୋଟରେ ଦୁଇ ଜଣଙ୍କ ଆଙ୍ଗୁଳି ଚିହ୍ନ ରହିଛି। ଏଥିରେ ସେମାନଙ୍କ ଆତ୍ମବଳି ପାଇଁ କାହାକୁ ଦାୟୀ ନ କରିବାକୁ କୁହାଯାଇଛି।

ଆତ୍ମବଳୀ ଦେଇଥିବା ବ୍ୟକ୍ତି ଜଣଙ୍କ ହେଲେ ହେମୁଭାଇ ମାକୱାନା ଓ ତାଙ୍କ ପତ୍ନୀ ୩୫ ବର୍ଷୀୟ ହଂସା ମାକୱାନା। ଉଭୟଙ୍କ ମୁଣ୍ଡ ବିହୀନ ମୃତଦେହ ସେମାନଙ୍କ ଫାର୍ମରୁ ମିଳିଛି। ଏହି ଦମ୍ପତିଙ୍କ ୧୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ରହିଛନ୍ତି। ପିଲାମାନେ ଦିନକ ତଳେ ମାମୁ ଘରକୁ ଯାଇଥିଲେ। ରବିବାର ସେମାନେ ଘରକୁ ଫେରିବା ପରେ ପୂରା ଘଟଣା ବିଷୟରେ ଜାଣି ସମ୍ପର୍କୀୟଙ୍କ ଜରିଆରେ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ବିଞ୍ଚିୟା ପୁଲିସ୍‌ ସବ ଇନସପେକ୍ଟର ଇନ୍ଦ୍ରଜୀତ ସିଂହ ଜାଡେଜା କହିଛନ୍ତି ଯେ ମୃତଦେହକୁ ଫରେନ୍ସି ବ୍ୟବଚ୍ଛେଦ ପାଇଁ ରାଜକୋଟ ସିଭିଲ ହସ୍ପିଟାଲକୁ ପଠାଯାଇଛି। ଦମ୍ପତି ଗୋଟିଏ ଗିଲୋଟିନ ଭଳି ଯନ୍ତ୍ର ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି। ଗିଲୋଟିନର ବ୍ଲେଡକୁ ସେମାନେ ଗୋଟିଏ ଦଉଡ଼ିରେ ବାନ୍ଧିଥିଲେ। ଏହାପରେ ବେକକୁ ବ୍ଲେଡ ପଡ଼ିବାକୁ ଥିବା ସ୍ଥାନରେ ରଖିଥିଲେ।

ଶେଷରେ ଦଉଡ଼ିକୁ ଭିଡ଼ି ଦେଇଥିଲେ। ଫଳରେ ବ୍ଲେଡ ମାଡ଼ରେ ସେମାନଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଥିଲା। ସେହିପରି କଟା ମୁଣ୍ଡ ଗଣ୍ଡିରୁ ଅଲଗା ହେବା ପରେ ସାମ୍ନାରେ ଥିବା ଯଜ୍ଞ କୁଣ୍ଡରେ ଯାଇ ପଡ଼ିଥିଲା। ଏଥିପାଇଁ ଦମ୍ପତି ପୂର୍ବରୁ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ ବୋଲି ଜାଡେଜା କହିଛନ୍ତି।

ବର୍ଷକ ମଧ୍ୟରେ ଏହି ଦମ୍ପତି ଖାଦ୍ୟ ସାମଗ୍ରୀ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟାଗକୁ ବ୍ୟବହାର କରି ଗୋଟିଏ ଅସ୍ଥାୟୀ ମନ୍ଦିର ତିଆରି କରିଥିଲେ। ସେମାନେ ଭଗବାନ ଶିବଙ୍କ ଫଟୋ ଓ ମାଟିରେ ଶିବଲିଙ୍ଗ ତିଆରି କରିଥିଲେ। ପ୍ରତିଦିନ ଖରାରେ ସେମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ।

ଜାଡେଜା ଆହୁରି କହିଛନ୍ତି, “ଆତ୍ମବଳି ପଛର କାରଣ ଜାଣିବା ପାଇଁ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ଘଟିବାର ଦିନକ ପୂର୍ବରୁ ହିଁ ଦମ୍ପତି ଦୁଇ ପିଲାଙ୍କୁ ମାମୁ ଘରକୁ ପଠାଇ ଦେଇଥିଲେ। ମୃତଦେହ ନିକଟରୁ ଦମ୍ପତିଙ୍କ ମୋବାଇଲ ଫୋନ ଓ ସୁଇସାଇଡ୍‌ ନୋଟ ଜବତ କରାଯାଇଛି। ହଂସା ବେଶ କିଛି ଦିନ ହେଲା ଅସୁସ୍ଥ ରହିଥିଲେ। ସମ୍ଭବତଃ ଏଥିପାଇଁ ସ୍ୱାମୀଙ୍କ ସହ ମିଶି ଜୀବନ ଦେଇଥିବା କୁହାଯାଉଛି।

ସୁଇସାଇଡ ନୋଟରେ ହେମୁ ଭାଇ କହିଛନ୍ତି, ସେ ତାଙ୍କ ଭାଇମାନଙ୍କ ଉପରେ ଭରସା କରନ୍ତି ଓ ଶ୍ୱଶୁର ଘର ଲୋକ ତାଙ୍କୁ କେବେ ବି କୌଣସି ପ୍ରସଙ୍ଗରେ ବିରୋଧ କରି ନାହାନ୍ତି। ସେମାନଙ୍କ ଦୁଇ ପିଲାଙ୍କ ଦାୟିତ୍ୱ ସମସ୍ତେ ବୁଝିବେ ବୋଲି ସେ ସୁଇସାଇଡ ନୋଟରେ ଆଶା କରିଛନ୍ତି।

ହଂସାଙ୍କ ଜଣେ ସମ୍ପର୍କୀୟଙ୍କ କହିବା କଥା ଯେ ଦମ୍ପତି ଆର୍ଥିକ ସମସ୍ୟାରେ ପଡ଼ି ନଥିଲେ। ସେମାନଙ୍କର କୌଣସି ପ୍ରକାରର ପାରିବାରିକ ବିବାଦ ମଧ୍ୟ ନଥିଲା।

Gujarat Black Magic