/odisha-reporter/media/media_files/2026/02/21/sexula-assult-2026-02-21-13-43-45.jpg)
ଦୋଷୀ ସାବ୍ୟସ୍ତ ହୋଇଥିବା ଦମ୍ପତି
ଐତିହାସିକ ରାୟ ଦେଇଛନ୍ତି ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ। ୩୩ ଜଣ ଛୋଟ ପିଲାଙ୍କୁ ଯୌନ ନିର୍ଯାତନା(Sexually Abuse) ଦେଇଥିବା ଜଣେ ଦମ୍ପତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଉତ୍ତର ପ୍ରଦେଶର ବଣ୍ଡାରେ ଥିବା ସ୍ୱତନ୍ତ୍ର କୋର୍ଟର ବିଚାରପତି ପୋକସୋ ଆକ୍ଟରେ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି।
ଅଭିଯୁକ୍ତ ରାମଭବନ ଓ ତାଙ୍କ ପତ୍ନୀ ଦୁର୍ଗାବତୀଙ୍କୁ ପୋକସୋ ଆକ୍ଟର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ମଧ୍ୟରେ ଅପ୍ରାକୃତିକ ଅପରାଧ, ଗମ୍ଭୀର ଯୌନ ଅପରାଧ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅପରାଧିକ ଷଡ଼ଯନ୍ତ୍ର ଆଦି ରହିଛି। କୋର୍ଟ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତି ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଭାବେ ଦୋଷୀ ସାବ୍ୟସ୍ତ ହୋଇଥିବା ଦମ୍ପତିଙ୍କ ଘରୁ ଜବତ ହୋଇଥିବା ଟଙ୍କାକୁ ସମସ୍ତ ପୀଡ଼ିତାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବାକୁ ମଧ୍ୟ କୋର୍ଟ କହିଛନ୍ତି।
ଛୋଟ ପିଲାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ସିବିଆଇ ପ୍ରଥମେ ୨୦୨୦ ଅକ୍ଟୋବର ମାସରେ ରାମଭବନ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତମାନେ ଯୌନ ଅପରାଧ ଘଟାଇଥିବା ସିବିଆଇ ଜାଣିବାକୁ ପାଇଥିଲା। ଅପରାଧ ଥିଲା ଅତ୍ୟନ୍ତ ଭୟଙ୍କର।
କିଛି ପୀଡ଼ିତାଙ୍କ ଗୁପ୍ତାଙ୍ଗରେ କ୍ଷତଚିହ୍ନ ରହିଥିବା ବେଳେ ଆଉ କିଛି ପୀଡ଼ିତା ବର୍ଷବର୍ଷ ଧରି ହସ୍ପିଟାଲରେ ରହିବାକୁ ବାଧ୍ୟ ହୋଇଥିଲେ। କିଛି ପୀଡ଼ିତାଙ୍କ ଆଖିରେ ଆଘାତ ଲାଗିଥିଲା ଓ ଆଉ କିଛି ମାନସିକ ଟ୍ରମାର ସମ୍ମୁଖୀନ ହୋଇଥିଲେ। ୨୦୧୦ରୁ ୨୦୨୦ ଯାଏ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବଣ୍ଡା ଓ ଚିତ୍ରକୋଟରେ ନିଜର ଅପରାଧିକ ସାମ୍ରାଜ୍ୟ ଜାରି ରଖିଥିଲେ।
ରାମଭବନ ଜଳ ସେଚନ ବିଭାଗରେ ଜୁନିୟର ଅଫିସର ଭାବେ କାମ କରୁଥିଲେ। ସେ ବିଭିନ୍ନ ଉପାୟରେ ଛୋଟ ପିଲାଙ୍କୁ ପ୍ରଲୋଭିତ କରୁଥିଲେ। ସେମାନଙ୍କୁ ଅନଲାଇନ ଭିଡିଓ ଗେମ ଠାରୁ ଆରମ୍ଭ କରି ଟଙ୍କା ଓ ଉପହାର ଜରିଆରେ ନିଜ ପାଖକୁ ଆଣୁଥିଲେ।
ସିବିଆଇ ତଦନ୍ତ ବେଳେ ବେଶ ସତର୍କତା ଅବଲମ୍ବନ କରିଥିଲା। ପୀଡ଼ିତାମାନେ ନାବାଳିକା ହୋଇଥିବାରୁ ସିବିଆଇ କାଉନସେଲିଂ ଦ୍ୱାରା ସେମାନଙ୍କ ଠାରୁ ତଥ୍ୟ ବାହାର କରିଥିଲା। ମେଡିକାଲ ବିଶେଷଜ୍ଞ ଓ ଫରେନ୍ସିକ ଟିମ ମଧ୍ୟ ସିବିଆଇ ସହ ମିଶି କାମ କରିଥିଲେ।
ସମସ୍ତଙ୍କ ସହାୟତାରେ ସିବିଆଇ ଘଟଣାର ବିସ୍ତୃତ ତଦନ୍ତ କରି ଘଟଣାର ମୂଳରେ ପହଞ୍ଚିଥିଲା। ଶେଷରେ ରାମଭବନ ଓ ତାଙ୍କ ପତ୍ନୀ ଦୁର୍ଗାବତୀଙ୍କ ବିରୋଧରେ ୨୦୨୧ ଫେବୃଆରୀ ମାସରେ ଚାର୍ଜଶିଟ ଦାଖଲ କରିଥିଲା। କୋର୍ଟ ଏହି ମାମଲାକୁ ବିରଳରୁ ଅତି ବିରଳ ବୋଲି ଚିତ୍ରିତ କରି ରାମଭବନ ଓ ଦୁର୍ଗାବତୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
