/odisha-reporter/media/post_attachments/uploadimage/library/16_9/16_9_0/Doctor__1749809969.jpg)
Doctor
ଅହମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସବୁ କିଛି ଜଳି ପୋଡ଼ି ଛାରଖାର ହୋଇ ଯାଇଛି। ମଣିଷଙ୍କ ଠାରୁ ଆରମ୍ଭ କରି ବିମାନ ଭିତରେ ଓ ଆଖପାଖ ଅଞ୍ଚଳରେ ଥିବା ନିର୍ଜୀବ ଜିନିଷପତ୍ର ବି ପାଉଁଶ ହୋଇଛି। ସବୁ କିଛି ଜଳି ଯାଇଥିଲେ ହେଁ ଏବେ ବିମାନ ଭିତରର ଗୋଟିଏ ସେଲଫି ବେଶ ଭାଇରାଲ ହେଉଛି। ଗୋଟିଏ ଡାକ୍ତର ପରିବାରର ଖୁସି କ୍ୟାମେରା ଲେନ୍ସରେ କଏଦ ହୋଇଛି।
ଶେଷ ସେଲଫି ଭାବେ ଏହା ଟ୍ରେଣ୍ଡ କରୁଛି। ଏହାକୁ ଗୁରୁବାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନ ଭିତରେ ଉଠାଯାଇଥିଲା। ଦୁଇ ପୁଅ ଓ ଜଣେ ଝିଅ ସହ ରହିଛନ୍ତି ଡାକ୍ତର ବାପା ମା’। ପୂରା ପରିବାର ସହ ଏମାନେ ବ୍ରିଟେନ ବାହାରିଥିଲେ। ଆଶା ଥିଲା ଲଣ୍ଡନରେ ନୂଅ ଜୀବନ ଆରମ୍ଭ କରିବେ।
ପିଲାମାନେ ପାଠ ପଢି ନାଁ କରିବା ପରେ ପୁଣି ଦେଶକୁ ଫେରିବେ। ହେଲେ କିଏ ଜାଣିଥିଲା, ଏ ସବୁ ଖୁସି ଏଇଠି ସରିଯିବ ବୋଲି। କିଏ ଜାଣିଥିଲା, ଏ ହସ ଜୀବନର ଶେଷ ହସ ହୋଇଯିବ ବୋଲି ?
ରାଜସ୍ଥାନର ଡାକ୍ତର ପ୍ରତୀକ ଯୋଶୀ। ଗତ ୬ ବର୍ଷ ଧରି ଲଣ୍ଡନରେ ରହୁଥିଲେ। ଆଉ ଏଠି ଭାରତରେ ତାଙ୍କ ପରିବାର। ପତ୍ନୀ କୋମି ବ୍ୟାସ ବି ଜଣେ ଡାକ୍ତର। ଦୁଇ ଜାଆଁଳା ପୁଅ ପ୍ରଦ୍ୟୁତ ଓ ନକୁଲ ଏବଂ ଝିଅ ମିରାୟାଙ୍କୁ ନେଇ ତାଙ୍କ ସଂସାର। ଢେର ବର୍ଷ ପରିବାରଠାରୁ ଅଲଗା ରହିବା ପରେ ଡାକ୍ତର ପ୍ରତୀକ ପରିବାର ସହ ଲଣ୍ଡନରେ ସେଟେଲ୍ ହେବାକୁ ନିଷ୍ପତ୍ତି ନେଇଥିଲେ।
ପତ୍ନୀ ମଧ୍ୟ ତାଙ୍କ କଥାରେ ରାଜି ହୋଇ ରାଜସ୍ଥାନରେ କରୁଥିବା ଡାକ୍ତରୀ ଚାକିରିରୁ ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ। ଏହାପରେ ପୂରା ପରିବାର ଖୁସିରେ ଲଣ୍ଡନ ଅଭିମୁଖେ ବାହାରିଥିଲେ। କିନ୍ତୁ କିଏ ଜାଣିଥିଲା ଫ୍ଲାଇଟ୍ ଭିତରେ ସେମାନଙ୍କୁ ଯମ ଜଗିଛି? ବିମାନ ଭିତରେ ସେମାନେ ସେଲ୍ଫି ନେଇଥିଲେ। ଏହାପରେ ଆରମ୍ଭ ହୋଇଥିବା ବିମାନର ଉଡ଼ାଣ। କିନ୍ତୁ ଉଡ଼ାଣର ୫ ମିନିଟ ମଧ୍ୟରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ନଂ ଏଆଇ ୧୭୧ କ୍ରାଶ କରି ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା।
ଏଥିରେ ଡାକ୍ତରଙ୍କ ପ୍ରତୀକଙ୍କ ପରିବାର ସମେତ ୨୪୧ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଅନେକଙ୍କ ପରିବାର ଉଜୁଡ଼ି ଯାଇଛି। ହେଲେ ଡାକ୍ତର ଦମ୍ପତିଙ୍କ ଶେଷ ସେଲ୍ଫି ଏବେ ବି ସମସ୍ତଙ୍କ ଆଖି ଆଗରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
