ଆହ୍ଲାବାଦ ହାଇକୋର୍ଟ
ଦୀର୍ଘ ସମୟ ଧରି ଚାଲିଥିବା ନ୍ୟାୟିକ ବିଳମ୍ବର ପ୍ରଭାବ ପୁଣି ସାମ୍ନାକୁ ଆସିଛି। ଆହ୍ଲାବାଦ ହାଇକୋର୍ଟ ୧୯୮୨ ମସିହାର ଏକ ହତ୍ୟା ମାମଲାରେ ୧୦୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଦୋଷମୁକ୍ତ କରିଛନ୍ତି। ସନ୍ଦେହର ଲାଭ ଓ ତାଙ୍କ ଅପିଲ ନିଷ୍ପତ୍ତିରେ ହୋଇଥିବା ଅସାଧାରଣ ବିଳମ୍ବକୁ ନ୍ୟାୟାଳୟ ମୁଖ୍ୟ କାରଣ ଦର୍ଶାଇ ନିଜର ରାୟ ଦେଇଛନ୍ତି।
୧୯୮୪ ମସିହାରେ ହମିରପୁରର ଗୋଟିଏ ସେସନ୍ସ କୋର୍ଟ ଧନୀରାମଙ୍କୁ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଏହାକୁ ଆହ୍ଲାବାଦ ହାଇକୋର୍ଟର ଡିଭିଜନ ବେଞ୍ଚ ବିଚାରପତି ଜଷ୍ଟିସ ଚନ୍ଦ୍ରଧାରୀ ସିଂହ ଓ ଜଷ୍ଟିସ ସଞ୍ଜୀବ କୁମାର ରଦ୍ଦ କରି ଦେଇଛନ୍ତି।
ଆଜୀବନ ଜେଲଦଣ୍ଡ ବିରୋଧରେ ଧନୀରାମ କରିଥିବା ଆବେଦନ ଦୀର୍ଘ ୪୦ ବର୍ଷରୁ ଅଧିକ ସୟମ ଧରି ହାଇକୋର୍ଟରେ ପଡ଼ି ରହିଥିଲା। ହମିରପୁର ଜିଲ୍ଲାରେ ଗୁନୱା ନାମକ ଜଣେ ବ୍ୟକ୍ତିଙ୍କୁ ୧୯୮୨ ମସିହା ଅଗଷ୍ଟ ୯ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଧନିରାମ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ।
ସରକାରୀ ଓକିଲଙ୍କ କହିବା କଥା ଯେ ମୁଖ୍ୟ ଅଭିଯୁକ୍ତ ମୈକୁ ଗୁଳି ଚଳାଇଥିଲେ। କିନ୍ତୁ ଧନୀରାମ ଓ ଆଉ ଜଣେ ଅଭିଯୁକ୍ତ ସାତ୍ତିଦିନ ଏପରି କରିବାକୁ ଉସକାଇଥିଲେ। ଗୋଟିଏ ଟ୍ରାଏଲ କୋର୍ଟ ଧନୀରାମ ଓ ସାତ୍ତିଦିନଙ୍କୁ ସମାନ ଉଦ୍ଦେଶ୍ୟରେ ହତ୍ୟା ଚାର୍ଜରେ ଦୋଷୀ ସାବ୍ୟସ୍ତ କରିଥିଲେ। ଉଭୟ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ ଜାମିନରେ ଖଲାସ ହୋଇଥିଲେ।
ଘଟଣାକୁ ଗୋଟିଏ ପରେ ଗୋଟିଏ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନଥିଲା। ମାମଲାର ବିଚାର ପଡ଼ି ରହିଥିବା ବେଳେ ସାତ୍ତିଦିନ ପ୍ରାଣ ହରାଇଥିଲେ। ସେହିପରି ଧନିରାମ ଏକମାତ୍ର ଅଭିଯୁକ୍ତ ଭାବେ ରହି ଯାଇଥିଲେ।
ହାଇକୋର୍ଟ ନିଜ ରାୟରେ କହିଛନ୍ତି ଯେ ଘଟଣାର ପ୍ରମୁଖ ଅଭିଯୁକ୍ତ ମୈକୁ କେବେ ବି ଧରାପଡ଼ି ନାହିଁ। ଏବେ ଧନୀରାମ କେବଳ ଏକମାତ୍ର ଅଭିଯୁକ୍ତ। ଅପିଲ ଦୀର୍ଘ ସମୟ ଧରି ବିଚାରାଧୀନ ରହିବା ସହ ଜୀବିତ ଥିବା ଅଭିଯୁକ୍ତଙ୍କ ଅତ୍ୟଧିକ ବୟସ ଭଳି ଦୁଇଟି ମୁଖ୍ୟ ଦିଗକୁ ଅଣଦେଖା କରାଯାଇ ପାରିବ ନାହିଁ।
ଅଭିଯୋଗପକ୍ଷର ମାମଲାରେ ଥିବା ଗ୍ୟାପକୁ ମଧ୍ୟ ଉଲ୍ଲେଖ କରି ନ୍ୟାୟାଳୟ ଧନୀରାମଙ୍କୁ ସନ୍ଦେହର ଲାଭ ପ୍ରଦାନ କରିଛନ୍ତି। ଦୋଷସିଦ୍ଧି ରାୟକୁ ବାତିଲ୍ କରି ହାଇକୋର୍ଟ(High Court) ଧନୀରାମଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/high-court-2026-02-05-14-00-38.jpg)