Advertisment

ଜ୍ଞାନବ୍ୟାପୀ ସର୍ଭେ ମାମଲା: ମସଜିଦ କମିଟିକୁ ‘ବିଶ୍ୱାସ’ ପ୍ରଶ୍ନ କଲେ ହାଇକୋର୍ଟ

କୋର୍ଟରେ ସର୍ଭେ ମାମଲା କଥା ଉଠାଇ ମସଜିଦ କମିଟି କହିଛି ଯେ ଜ୍ଞାନବ୍ୟାପୀ ମସଜିଦ ୧୦୦୦ ବର୍ଷ ତଳେ ଯେଉଁ ସ୍ଥାନରେ ଥିଲା ଏବେ ସେହି ସ୍ଥାନରେ ରହିଛି। ଏହା ସର୍ବପୁରାତନ ପ୍ରତିଷ୍ଠାନ।

ଅଦ୍ୟତନ ହୋଇଛି
Masjid

Masjid

Advertisment

ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ କରିଥିବା ସର୍ଭେ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ଆଜି ଆହ୍ଲାବାଦ ହାଇକୋର୍ଟ କରିଛନ୍ତି। ମସଜିଦ କମିଟି ସର୍ଭେ ଉପରେ ରୋକ ଲଗାଇବାକୁ ଦାବି କରିଛି। ସର୍ଭେ ବେଳେ କାଳେ ମସଜିଦ ଭୁଶୁଶୁଡ଼ି ପଡ଼ିବ, ତା’ର ଆଶଙ୍କା ମଧ୍ୟ କମିଟି କର୍ତ୍ତୃପକ୍ଷ କରିଛନ୍ତି।

Advertisment

କମିଟିର ଏପରି ଆଶଙ୍କାକୁ ଦେଖି ହାଇକୋର୍ଟ ପାଲଟା ଜବାବ ଦେଇଛନ୍ତି। ଏଏସ୍‌ଆଇ ମସଜିଦ ଭିତ୍ତିଭୂମିର କୌଣସି ପ୍ରକାରର କ୍ଷତି ହେବ ନାହିଁ ବୋଲି କହିଛି। ଯଦି ଆପଣ ଏଏସ୍‌ଆଇର ପ୍ରତିଶ୍ରୁତିକୁ ବିଶ୍ୱାସ କରୁ ନାହାନ୍ତି, ତା’ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଉପରେ କେମିତି ବିଶ୍ୱାସ କରିବେ ବୋଲି ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି।

କୋର୍ଟରେ ସର୍ଭେ ମାମଲା କଥା ଉଠାଇ ମସଜିଦ କମିଟି କହିଛି ଯେ ଜ୍ଞାନବ୍ୟାପୀ ମସଜିଦ ୧୦୦୦ ବର୍ଷ ତଳେ ଯେଉଁ ସ୍ଥାନରେ ଥିଲା ଏବେ ସେହି ସ୍ଥାନରେ ରହିଛି। ଏହା ସର୍ବପୁରାତନ ପ୍ରତିଷ୍ଠାନ।

Advertisment

ହିନ୍ଦୁ ପକ୍ଷରୁ କୁହାଯାଇଛି ଯେ ଅଯୋଧ୍ୟାର ରାମଜନ୍ମଭୂମି କେସ୍‌ରେ ଯେଉଁଭଳି ସର୍ଭେ କରାଯାଇଥିଲା, ଏଠାରେ ମଧ୍ୟ ସେହିଭଳି ସର୍ଭେ ହେବ। ତେବେ ମସିଜିଦ କମିଟି କହିଥିଲା ରାମଜନ୍ମଭୂମି ବିବାଦ ଅଲଗା ମାମଲା ଥିଲା।

ଜ୍ଞାନବ୍ୟାପୀ ସହ ଏହାକୁ ତୁଳନା କରାଯାଇ ପାରିବ ନାହିଁ। ଜ୍ଞାନବ୍ୟାପୀ ମସଜିଦ ତଳେ ମନ୍ଦିର ଥିବା କଥା କହିବା ସଂପୂର୍ଣ୍ଣ ଅବାସ୍ତବ ଓ କାଳ୍ପନିକ। କେବଳ ଗୋଟିଏ ଆକଳନରେ ଏଏସ୍‌ଆଇ ସର୍ଭେକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ମସଜିଦ କମିଟି କହିଛି।

ହିନ୍ଦୁ ପକ୍ଷ ଦାବି କରିଛି ଯେ ଏହି ସ୍ଥାନରେ ଗୋଟିଏ ମନ୍ଦିରକୁ ୧୫୮୫ ମସିହାରେ ରାଜା ତୋଡାରମଲଙ୍କ ନିର୍ଦ୍ଦେଶରେ ନିର୍ମାଣ କରାଯାଇଥିଲା। ଏହାକୁ ୧୬୬୯ ମସିହାରେ ଭଙ୍ଗା ଯାଇଥିଲା। ଏବେ ସେଠାରେ ଥିବା ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ହିନ୍ଦୁ ମହିଳାମାନେ ଦାବି କରୁଛନ୍ତି। ସର୍ଭେ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ହିନ୍ଦୁ ପକ୍ଷ କହିଛି। 

ତଳ କୋର୍ଟ ଦେଇଥିବା ସର୍ଭେକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି କହିଛି, ମହିଳା ଆବେଦନକାରୀମାନେ ତଳ କୋର୍ଟଙ୍କୁ କହିଥିଲେ ଯେ ମସଜିଦ କମ୍ପ୍ଲେକ୍ସ ଭିତରେ ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଥିବାର ପ୍ରମାଣ ସେମାନଙ୍କ ପାଖରେ ନାହିଁ। ଏଏସ୍‌ଆଇ ଏହାର ପ୍ରମାଣ ଯେମିତି ହେଲେ ବି ଯୋଗାଡ଼ କରୁ। କିନ୍ତୁ ଏଭଳି ଦାବିକୁ କେବେ ହେଲେ ଅନୁମତି ଦିଆଯାଇ ପାରିବ ନାହିଁ। ଆପଣ ଅନ୍ୟ କାହାକୁ ପ୍ରମାଣ ଯୋଗାଡ଼ କରିବାକୁ କହିପାରିବେ ନାହିଁ। ଏହା ବେଆଇନ ବୋଲି କମିଟି ଯୁକ୍ତି ରଖିଛି।

ହିନ୍ଦୁ ପକ୍ଷ ଏହାର ଜବାବରେ କହିଥିଲା ଯେ ସେମାନଙ୍କ ପାଖରେ ପ୍ରମାଣ ରହିଛି ଓ ଏଏସ୍‌ଆଇ ସର୍ଭେକୁ ବିଶେଷଜ୍ଞଙ୍କ ମତାମତ ଭାବେ ବିଚାରକୁ ନେବା ଦରକାର।

କୋର୍ଟ ହିନ୍ଦୁ ପକ୍ଷଙ୍କୁ କହିଥିଲେ ଯେ ସର୍ଭେ ବେଳେ କ’ଣ ଖନନ ଜରୁରୀ। ଏହାର ଜବାବରେ ହିନ୍ଦୁ ପକ୍ଷର ଓକିଲ କହିଥିଲେ ଯେ ହଁ। କିନ୍ତୁ ମସଜିଦ ଭିତରେ କୌଣସି ଖନନ ହେବନି। ଏଏସଆଇ ରାଡର ମ୍ୟାପିଂ କରିବ। ଯଦି ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ଖନନ ହେବ। ତେବେ ଏହାକୁ ଶେଷ ପର୍ଯ୍ୟାୟରେ ହିଁ ବିଚାରକୁ ନିଆଯିବ।

ହିନ୍ଦୁ ପକ୍ଷରୁ ଜବାବ ଦାଖଲ ପରେ କୋର୍ଟ କହିଛନ୍ତି, “ଆପଣ ସର୍ଭେର ଭିଡିଓଗ୍ରାଫି କରନ୍ତୁ କିମ୍ବା ମସଜିଦର କୌଣସି ପ୍ରକାରର କ୍ଷତି ହେବ ନାହିଁ ବୋଲି ସତ୍ୟପାଠ ଦାଖଲ କରନ୍ତୁ।”

ଏଥିରେ ହିନ୍ଦୁ ପକ୍ଷର ଓକିଲ ହଁ ଭରିଛନ୍ତି। ଏହା ଶୁଣି ମସଜିଦ କମିଟି କହିଥିଲା ଯେ ଏହି ପ୍ରତିଶ୍ରୁତି ଉପରେ ଭରସା ନାହିଁ। କୋର୍ଟ କହିଥିଲେ “ଯଦି ଆପଣ କାହାକୁ ବି ବିଶ୍ୱାସ କରୁ ନାହାନ୍ତି, ତା’ହେଲେ ଆମ ରାୟକୁ ଆପଣ କେମିତି ବିଶ୍ୱାସ କରିବେ?” କୋର୍ଟ ଏହି ମାମଲାର ଶୁଣାଣି ପୁଣି ଆଜି ୪.୩୦ରୁ ଆରମ୍ଭ କରିବେ।

ସର୍ଭେ ଉପରେ ସୁପ୍ରିମକୋର୍ଟ ଆଜି ସନ୍ଧ୍ୟା ଯାଏ ରୋକ ଲଗାଇଛନ୍ତି। ତେଣୁ ଏହା ପୂର୍ବରୁ ହିଁ ହାଇକୋର୍ଟଙ୍କ ରାୟ ସାମ୍ନାକୁ ଆସିବ ।

Uttar Pradesh Gyanvapi Masjid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe