/odisha-reporter/media/post_attachments/uploadimage/library/16_9/16_9_0/TDP_1695385126.jpg)
TDP
ଜେଲରେ ଜେରା ହେବେ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା।
ସେ ଜେଲରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ସିଆଇଡି ତାଙ୍କୁ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ ଏହାକୁ ଆଧାର କରି ସିଆଇଡିକୁ ଜେରା ପାଇଁ ୨ ଦିନର ସମୟ ଦେଇଛନ୍ତି।
ଆନ୍ଧ୍ର ପ୍ରଦେଶର ଅତିରିକ୍ତ ଏଜି ପି ସୁଧାକର ରେଡ୍ଡୀ କହିଛନ୍ତି, ଚନ୍ଦ୍ରବାବୁ ପୂର୍ବଭଳି ରାଜାହମୁନ୍ଦ୍ରୀ ଜେଲରେ ରହିବେ। ସେଠାରେ ଘଟଣାର ଅଧିକ ତଦନ୍ତ ହେବ। ଚନ୍ଦ୍ରବାବୁଙ୍କ ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କ ତାଲିକା କୋର୍ଟଙ୍କୁ ଦିଆଯିବ।
ବନ୍ଦ ଲଫାପାରେ ହେପାଜତକୁ ନେଇ କରାଯାଇଥିବା ତଦନ୍ତର ରିପୋର୍ଟ କୋର୍ଟଙ୍କ ଆଗରେ ଦାଖଲ କରାଯିବ। ତଦନ୍ତ ସହ ଜଡ଼ିତ ଫଟୋ ଓ ଭିଡିଓ ଯେମିତି ଲିକ୍ ନ ହେବ, ତା’ ଉପରେ ଫୋକସ କରାଯିବ ବୋଲି ସେ କହିଛନ୍ତି।
ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ରିମାଣ୍ଡ ବା ବିଚାର ବିଭାଗୀୟ ହାଜତ ଅବଧିକୁ ସେପ୍ଟେମ୍ବର ୨୪ ଯାଏ ଏସିବି କୋର୍ଟ ବୃଦ୍ଧି କରିଥିଲେ। ଏହାପରେ ଏବେ ୨ ଦିନ ଜେରା ପାଇଁ ସିଆଇଡିକୁ ସମୟ ମିଳିଛି।
ଅନ୍ୟପକ୍ଷରେ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ତାଙ୍କ ଦଳ ଟିଡିପି ପକ୍ଷରୁ ରାଜ୍ୟ ତମାମ ବିକ୍ଷୋଭ ଜାରି ରହିଛି। ବିଧାନସଭା କାର୍ଯ୍ୟ ମଧ୍ୟ ବିକ୍ଷୋଭ ଯୋଗୁ ଠିକ ଭାବେ ହୋଇପାରୁ ନାହିଁ।
୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ତାଲିମ ଦେବା। ତେବେ ଏହି କାର୍ଯ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି।
ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
