Advertisment

ଅର୍ଥ ମନ୍ତ୍ରୀଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ଆଦେଶ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁଲିସ୍‌ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ ।

author-image
Niharika Rout
Nirmala Sitaraman

Nirmala Sitaraman

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।

Advertisment

ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାପରେ ବାଙ୍ଗାଲୁରସ୍ଥିତ ଜନପ୍ରତିନିଧିର ବିଶେଷ ଅଦାଲତ ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍‌ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ ।

ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା।

Advertisment

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୈତିକ ଦଳକୁ ଦାନ କରିପାରିବେ। ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ।

କିନ୍ତୁ ବିଭିନ୍ନ ରାଜନୀତିକ ଦଳ ଓ କର୍ପୋରେଟ ଡୋନର ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ଅନୈତିକ ଡିଲ୍‌ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାମାନଙ୍କଠାରୁ ଚାନ୍ଦା ନିଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଥିଲା ।

ସୁପ୍ରିମକୋର୍ଟ ଗତ ଫେବୃଆରୀ ୧୫ରେ ଏହାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାର ତଦନ୍ତ ଏସ୍‌ଆଇଟି ଦ୍ୱାରା କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଥିଲେ।

ଆବେଦନକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରା ନ ଯିବ, ତା’ହେଲେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଆସିପାରିବେ ବୋଲି କହିଥିଲେ।

Nirmala Sitharaman Bangalore