/odisha-reporter/media/media_files/2026/02/25/dhwan-2026-02-25-15-35-59.jpg)
ଆୟଶା ଓ ଧୱନ (ଫାଇଲ ଫଟୋ)
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧୱନ(Shikhar Dhawan)ଙ୍କ ବଡ଼ ବିଜୟ। ଦିଲ୍ଲୀର ଗୋଟିଏ କୋର୍ଟ ଧୱନଙ୍କ ପୂର୍ବତନ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ଅଷ୍ଟ୍ରେଲୀୟ ସମ୍ପତ୍ତିର ବୁଝାମଣା ପାଇଁ ଧୱନଙ୍କ ଠାରୁ ଆୟଶା ନେଇଥିବା ୫.୭ କୋଟି ଟଙ୍କା ଫେରାଇବାକୁ କୋର୍ଟ କହିଛନ୍ତି। ବୁଝାମଣା ପତ୍ରରେ ଭୟଭୀତ ଓ ଜାଲିଆତି କରି ଧୱନଙ୍କ ଦସ୍ତଖଣ୍ଡ ନିଆଯାଇଥିବା ମଧ୍ୟ କୋର୍ଟ ନିଜ ରୁଲିଂରେ ଉଲ୍ଲେଖ କରିଛନ୍ତି।
ପଟିଆଲା ହାଉସ କୋର୍ଟର ବିଚାରପତି ଦେବେନ୍ଦ୍ର କୁମାର ଗର୍ଗ ସମସ୍ତ ପ୍ରକାରର ବୁଝାମଣା ଦସ୍ତାବିଜକୁ ଅବୈଧ କରି ଦେଇଛନ୍ତି। ବିଚାରପତି ଗର୍ଗ ଜାଣିବାକୁ ପାଇଛନ୍ତି ଯେ ଧୱନଙ୍କୁ ଧମକ, ବଳପୂର୍ବକ, ଜାଲିଆତି ଓ ଧୋକା ଦେଇ ଦସ୍ତାବିଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା।
ଧୱନ ଆବେଦନ କରିଥିବା ତାରିଖ ଠାରୁ ୯% ସୁଧ ହାରରେ ସବୁ ଟଙ୍କା ଫେରାଇବାକୁ କୋର୍ଟ ଆୟଶା ମୁଖାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦମ୍ପତିଙ୍କ ବୈବାହିକ ବିବାଦର ବିଚାର କରିବାକୁ ଅଷ୍ଟ୍ରେଲିଆ କୋର୍ଟର କୌଣସି ଅଧିକାର ନଥିବା ମଧ୍ୟ କୋର୍ଟ କହିଛନ୍ତି।
ଅଷ୍ଟ୍ରେଲିଆ କୋର୍ଟ ଦେଇଥିବା ରାୟ ବଦଳିଲା
୨୦୨୪ ମସିହା ଫେବୃଆରୀ ମାସରେ ଅଷ୍ଟ୍ରେଲିଆର ଗୋଟିଏ କୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ ନ କରିବାକୁ ମୁଖାର୍ଜୀଙ୍କୁ ବାରଣ କରିଛନ୍ତି ଦିଲ୍ଲୀ କୋର୍ଟ। ଦମ୍ପତିଙ୍କ ଭାରତ ସମେତ ବିଦେଶରେ ଥିବା ସମ୍ପତ୍ତିକୁ ଭାଗଭାଗ କରିବା ପାଇଁ ଅଷ୍ଟ୍ରେଲିଆ କୋର୍ଟ ଦେଇଥିବା ରାୟରେ ରୋକ ଲାଗିଛି।
ଅଷ୍ଟ୍ରେଲୀୟ କୋର୍ଟ ଆୟଶା ମୁଖାର୍ଜୀଙ୍କ ମୋଟ ସମ୍ପତ୍ତିର ୧୫% ଅଂଶ ଦେଇଥିଲେ। ସେ ନିଜ ପାଖରେ ୭.୪୬ କୋଟି ଟଙ୍କାର ସମ୍ପତ୍ତି ରଖିବା ସହ ଧୱନଙ୍କ ଠାରୁ ଅତିରିକ୍ତ ୧୫.୯୫ କୋଟି ଟଙ୍କା ସମେତ ଗୋଟିଏ ସମ୍ପତ୍ତିର ମାଲିକାନା ହାସଲ କରିବେ ବୋଲି ଅଷ୍ଟ୍ରେଲୀୟ କୋର୍ଟ କହିଥିଲେ।
୨୦୨୧ରୁ ୨୦୨୪ରେ ମଧ୍ୟରେ ଅଷ୍ଟ୍ରେଲୀୟ କୋର୍ଟ ଏକାଧିକ ରାୟ ପାରିତ କରି ଦମ୍ପତିଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା କରିଥିଲେ। ତେବେ ଏପରି ଭାଗବଣ୍ଟାକୁ ଧୱନ ବିରୋଧ କରିଥିଲେ ଓ ଏହା ଭାରତୀୟ ବିବାହ ଆଇନ ମଧ୍ୟରେ ଆସୁ ନଥିବା ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିସହ ସେ ଅଷ୍ଟ୍ରେଲୀୟ ଆଇନ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ଘୋଷଣା କରିବାକୁ ଦାବି କରିଥିଲେ।
ଧୱନ ପଟିଆଲା ହାଉସ କୋର୍ଟଙ୍କୁ କହିଛନ୍ତି ଯେ ୨୦୧୨ରେ ଉଭୟ ବାହା ହୋଇଥିଲେ। ବାହାଘର ପରେ ଆୟଶା ମୁଖାର୍ଜୀ ଅନେକ ପ୍ରକାରର ନକଲି ଓ ମାନହାନୀ ଜିନିଷ ଶେୟାରି କରି ତାଙ୍କ ସମ୍ମାନ ଓ କ୍ରିକେଟ କ୍ୟାରିୟରକୁ ଧ୍ୱଂସ କରିଦେବାର ଧମକ ଦେଇଥିଲେ। ସେ ନିଜ ଟଙ୍କାରେ ସମ୍ପତ୍ତି କିଣିଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ କିଛିରେ ଆୟଶାଙ୍କ ନାଁ ଓ କିଛି ସମ୍ପତ୍ତିକୁ ସଂପୂର୍ଣ୍ଣ ଭାବେ ଆୟଶାଙ୍କ ନାଁରେ କରିବାକୁ ବାଧ୍ୟ ହୋଇଥିଲେ।
ଏକଦା ଧୱନ କିଣିଥିବା ଗୋଟିଏ ସମ୍ପତ୍ତିରେ ଆୟଶାଙ୍କୁ ୯୯% ମାଲିକ ଭାବେ ତାଲିକା ଭୁକ୍ତ କରିଥିଲେ। ଏସବୁ ବଳ ପୂର୍ବକ ଓ ଧମକ ଦେଇ କରାଯାଇଥିଲା ବୋଲି ଧୱନ କୋର୍ଟଙ୍କୁ ଜଣାଇଥିଲେ।
କୋର୍ଟ ସବୁ କିଛି ଶୁଣିବା ପରେ ଓ ତଥ୍ୟଗୁଡ଼ିକ ଯାଞ୍ଚ କରିବା ପରେ ଧୱନଙ୍କ ଯୁକ୍ତିକୁ ଗ୍ରହଣ କରିଛନ୍ତି। ଏଥିସହ ସେ ଅଷ୍ଟ୍ରେଲୀୟ କୋର୍ଟର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ନୁହନ୍ତି ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
