Advertisment

ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ

୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍‌କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।

author-image
Hemant Lenka
atul

atul

ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ୪ ବର୍ଷର ପୁଅ ଏବେ କେଉଁଠି, ତା’ର ତଥ୍ୟ ମିଳିଛି। ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ନିଜର ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ୪ ବର୍ଷର ପୁଅର ଠିକଣା ସମ୍ପର୍କରେ ଅବଗତ କରାଇଛନ୍ତି।

Advertisment

ଅତୁଲଙ୍କ ୪ ବର୍ଷର ପୁଅ ଏବେ ହରିୟାଣାର ଫରିଦାବାଦରେ ଥିବାରେ ଗୋଟିଏ ବୋର୍ଡିଂ ସ୍କୁଲରେ ପଢ଼ୁଛି। କିନ୍ତୁ ଖୁବଶୀଘ୍ର ସେ ବେଙ୍ଗାଲୁରୁ ଯିବେ। ସେଠାରେ ସେ ନିଜ ମା’ଙ୍କ ସହ ରହିପାରିବେ ବୋଲି ନିକିତାଙ୍କ ଓକିଲ କହିଛନ୍ତି।

୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍‌କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ। ପୁଲିସ୍‌ ଏହି ଘଟଣାରେ ଅତୁଲଙ୍କ ପତ୍ନୀ ନିକିତା, ଶାଶୂ ନିଶା ଓ ଶାଳକ ଅନୁରାଗଙ୍କୁ ଗିରଫ କରିଥିଲା। ତେବେ ସେମାନେ ଜାମିନରେ ରହିଛନ୍ତି।

Advertisment

ଏସବୁ ଭିତରେ ଅତୁଲଙ୍କ ମା’ ଅନୁଜ ଦେବୀ ନିଜର ୪ ବର୍ଷର ନାତିଙ୍କୁ ନିଜ ହେପାଜତକୁ ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାର ଶୁଣାଣି ବେଳେ ନିକିତାଙ୍କ ଓକିଲ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ୪ ବର୍ଷର ପୁଅ ଫରିଦାବାଦ ବୋର୍ଡିଂ ସ୍କୁଲରେ ନାଁ ଲେଖାଇଥିଲେ।

ମା’ ନିକିତାଙ୍କ ଗିରଫଦାରୀ ଓ ଜାମିନ ବେଳେ ସେ ସେଠାରେ ଉପସ୍ଥିତ ଥିଲେ। ତେବେ ପିଲାଟିକୁ ଏବେ ବେଙ୍ଗାଲୁରୁ ପଠାଯିବ। କାରଣ ଜାମିନର ସର୍ତ୍ତ ଅନୁସାରେ ନିକିତାଙ୍କୁ ବେଙ୍ଗାଲୁରୁରେ ରହିବାକୁ କୁହାଯାଇଛି। ସେହି ଅନୁସାରେ ତାଙ୍କ ପୁଅ ମଧ୍ୟ ବେଙ୍ଗାଲୁରୁରେ ରହିବ।

ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଏନ କୋଟିସ୍ୱର ସିଂହ ଏହାକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ବେଳେ ଅତୁଲଙ୍କ ପୁଅକୁ କୋର୍ଟରେ ଉପସ୍ଥିତ ରଖିବାକୁ କହିଛନ୍ତି। ଏହି ସମୟରେ ଅତୁଲଙ୍କ ମା’ ଅନୁଜ ଦେବୀଙ୍କ ଓକିଲ କହିଥିଲେ ଯେ ଜେଜେ ମା’ ହିସାବରେ ନାତିର ହେପାଜତ ତାଙ୍କ ପାଖରେ ରହିବା ଦରକାର। ୬ ବର୍ଷରୁ କମ ପିଲାଙ୍କୁ କେବେ ହେଲେ ବୋର୍ଡିଂ ସ୍କୁଲକୁ ପଠାଯାଇ ପାରିବ ନାହିଁ।

ଏକଥା ଶୁଣି ଖଣ୍ଡପୀଠ କହିଥିଲେ ଯେ ପିଲାଟି ଖୁବ କମ ସମୟ ନିଜର ଜେଜେମା’ଙ୍କ ସହ ବିତାଇଛି। ଦୁଃଖର ସହ ଆମକୁ କହିବାକୁ ପଡ଼ୁଛି ଯେ ପିଲାଟି ପାଇଁ ଆବେଦନକାରୀ ଅତ୍ୟନ୍ତ ଅଜଣା ଓ ଅପରିଚିତ। ତଥାପି ଅନୁଜ ଦେବୀଙ୍କ ଓକିଲ କହିଥିଲେ ଯେ ସେମାନଙ୍କ ପାଖରେ ଏମିତି ଏକ ଫଟୋ ରହିଛି ଯେଉଁଥିରେ ଜେଜେ ମା’ ଓ ନାତି ପରସ୍ପର ସହ କଥା ହେଉଛନ୍ତି। ସେତେବେଳେ ପିଲାଟିକୁ ୨ ବର୍ଷ ହୋଇଥିଲା। ତଥାପି କୋର୍ଟ ଏହାକୁ ନ ଶୁଣି ପରବର୍ତ୍ତୀ ତାରିଖରେ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି। ଜାନୁଆରୀ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅତୁଲ ଓ ନିକିତା ୨୦୧୯ରେ ବିବାହ କରିଥିଲେ। ପରବର୍ତ୍ତୀ ବର୍ଷ ସେମାନଙ୍କର ଗୋଟିଏ ପୁଅ ହୋଇଥିଲା। ଅତୁଲଙ୍କ ସହ ଝଗଡ଼ା କରି ନିକିତା ୨୦୨୧ରେ ବେଙ୍ଗାଲୁରୁ ଘର ଛାଡ଼ି ଚାଲି ଯାଇଥିଲେ। ୨୦୨୨ରେ ସେ ଅତୁଲ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା କରିଥିଲେ।

ଆଜିର ଶୁଣାଣି ବେଳେ କୋର୍ଟ ଆହୁରି କହିଛନ୍ତି ଯେ ନିକିତା ଏଯାଏ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ମିଡିଆ ଟ୍ରାଏଲ ଅନୁସାରେ ମାମଲା ବିଚାର କରାଯାଇ ପାରିବ ନାହିଁ।

Atul Subhash Mother Atul Subhash Suicide Case