/odisha-reporter/media/post_attachments/uploadimage/library/16_9/16_9_0/IMAGE_1748345960.jpg)
Bombay High Court
ମହାରାଷ୍ଟ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବମ୍ବେ ହାଇକୋର୍ଟ। ଅପରେସନ ସିନ୍ଦୂର ସମ୍ପର୍କରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ସମାଲୋଚନା ଭରା ପୋଷ୍ଟ କରିଥିବାରୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା ଓ ପରବର୍ତ୍ତୀ ଅବସ୍ଥାରେ ଗିରଫ କରାଯାଇଥିଲା। ଇଞ୍ଜିନିୟରିଂ କଲେଜର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀଙ୍କ ଆବେଦନର ଶୁଣାଣି କରିବା ପରେ ତାଙ୍କୁ ତୁରନ୍ତ ଖଲାସ କରାଯିବା ଦରକାର ବୋଲି କହିଛନ୍ତି।
କଲେଜରୁ ବହିଷ୍କାର କରାଯିବା ନିଷ୍ପତ୍ତିକୁ ଛାତ୍ରୀ ଜଣଙ୍କ ମନମାନୀ ଓ ବେଆଇନ ବୋଲି କହିଥିଲେ। ଗିରଫ ପରେ ତାଙ୍କୁ ପୁଣେର ୟେରୱାଡା କେନ୍ଦ୍ରୀୟ ଜେଲରେ ରଖାଯାଇଛି। ପୁଣେର ସ୍ନିଗ୍ଧା ଏକାଡେମୀ ଅଫ ଇଞ୍ଜିନିୟରିଂରେ ଛାତ୍ରୀ ଜଣଙ୍କ ପଢ଼ୁଛନ୍ତି। ଏହା ବିନା ସରକାରୀ ଅନୁଦାନରେ ଚାଲୁଥିବା ଗୋଟିଏ ଘରୋଇ କଲେଜ। ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଅନୁବନ୍ଧିତ।
ଛାତ୍ରୀ ଜଣ ଅପରେସନ ସିନ୍ଦୂର ସମ୍ପର୍କରେ ଭାରତକୁ ସରକାରଙ୍କୁ ସମାଲୋଚନା ହୋଇଥିବା ଗୋଟିଏ ପୋଷ୍ଟକୁ ରିପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏହା ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଗୌରୀ ଗଡସେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଶିକ୍ଷାର୍ଥୀମାନେ କିଛି ଗୋଟେ କହି ଦେବାରୁ ସେମାନଙ୍କୁ ସରକାର ଏଭଳି ଢଙ୍ଗରେ ଗିରଫ କରି ପାରିବ ନାହିଁ ବୋଲି କହିଛନ୍ତି।
ଜଷ୍ଟିସ ଗଡସେ କହିଛନ୍ତି, “ଏସବୁ କ’ଣ? ଆପଣ ଜଣେ ଛାତ୍ରୀଙ୍କ ଜୀବନକୁ ବରବାଦ କରି ଦେଉଛନ୍ତି? ଏହା କେଉଁ ଧରଣର ଆଚରଣ? କେହି ଜଣେ ଯଦି କିଛି କହୁଛନ୍ତି ଆପଣ ସିଧା ଜଣେ ଛାତ୍ରୀଙ୍କ ଜୀବନକୁ ବରବାଦ କରି ଦେବାକୁ ବସିଛନ୍ତି? ଆପଣ କେମିତି ବହିଷ୍କାର କରିବେ? ଆପଣ ତାଙ୍କୁ ଜବାବ ବା ସ୍ପଷ୍ଟୀକରଣ ମାଗିଥିଲେ?”
ଛାତ୍ରୀଙ୍କ ଓକିଲ ଫରହାନ ଶାହ ସୋମବାର ଆବେଦନର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସେମିଷ୍ଟର ପରୀକ୍ଷା ଚାଲୁଥିବା କଥା ଫରହାନ କହିବା ସହ ଛାତ୍ରୀଙ୍କ ସ୍ୱତନ୍ତ୍ରତାକୁ ଛଡ଼ା ନିଆଯାଇଥିବା ଯୁକ୍ତି ରଖିଥିଲେ।
କଲେଜର ଓକିଲ କହିଥିଲେ ଯେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ପାରିବେ। କୋର୍ଟ ଏହାକୁ ବିରୋଧ କରିଥିଲେ। ଛାତ୍ରୀ ଜଣଙ୍କ ଜଣେ ଅପରାଧୀ ନୁହନ୍ତି ବୋଲି କୋର୍ଟ କହିଛନ୍ତି।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଜଷ୍ଟିସ ଗଡସେ କହିଛନ୍ତି, “ଗୋଟିଏ ଶିକ୍ଷାନୁଷ୍ଠାନର ପ୍ରକୃତ ଉଦ୍ଦେଶ୍ୟ କ’ଣ? କେବଳ ପିଲାଙ୍କୁ କ’ଣ ଏକାଡେମୀ ଦୃଷ୍ଟିରୁ ଶିକ୍ଷିତ କରିବା? ଆପଣ ଜଣେ ପିଲାକୁ ସଂସ୍କାରୀ କରିବେ ନା ପିଲାକୁ ଅପରାଧୀ ସଜାଇବେ? ଆମେ ବୁଝି ପାରୁଛୁ ଯେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ ପରୀକ୍ଷାରୁ ବଞ୍ଚିତ କରିପାରିବେ ନାହିଁ। ଏବେ ତାଙ୍କୁ ବାକି ରହିଥିବା ୩ଟି ବିଷୟର ପରୀକ୍ଷା ଦେବାକୁ ଛଡ଼ା ଯାଉ।”
କୋର୍ଟ ଛାତ୍ରୀଙ୍କୁ ତୁରନ୍ତ ଛଡ଼ା ଯିବା ଦରକାର ବୋଲି ନିର୍ଦ୍ଦେଶ ଦେଇ କହିଛନ୍ତି, “ପରୀକ୍ଷା ଦେବାରୁ ଛାତ୍ରୀଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ। ଚାରିପାଖରେ ପୁଲିସ୍ ଉପସ୍ଥିତିରେ ତାଙ୍କୁ ପରୀକ୍ଷା ଦେବାକୁ କୁହାଯାଇ ପାରିବ ନାହିଁ।”
ପହଲଗାମ ନରସଂହାର ପରେ ପାକିସ୍ତାନ ସହ ତିକ୍ତତା ଚରମସୀମାରେ ପହଞ୍ଚିଥିଲା। ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏସବୁ ଭିତରେ ଭାରତ ସରକାରଙ୍କୁ ଟାର୍ଗେଟ କରି ମେ’ ୭ରେ ହୋଇଥିବା ଗୋଟିଏ ସୋଶାଲ ମିଡିଆ ପୋଷ୍ଟକୁ ଛାତ୍ରୀ ଜଣଙ୍କ ରିପୋଷ୍ଟ କରିଥିଲେ।
ଏହାକୁ ନେଇ ବିବାଦ ଦେଖାଯିବାରୁ ୨ ଘଣ୍ଟା ମଧ୍ୟରେ ଛାତ୍ରୀ ଜଣଙ୍କ ଡିଲେଟ କରି ଦେଇଥିଲେ। ତଥାପି ତାଙ୍କୁ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଧମକ ଓ ଅଭଦ୍ର ଟିପ୍ପଣୀର ଶିକାର ହେବାକୁ ପଡ଼ିଥିଲା। ସେହିପରି ପୁଲିସ୍ ତାଙ୍କୁ ମେ’ ୯ରେ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
