Advertisment

କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା: ଆଇଟି ଆଇନରେ ସଂଶୋଧନକୁ ଖାରଜ କଲେ କୋର୍ଟ

ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା କୋର୍ଟରେ ପହଞ୍ଚିଥିଲେ। ଏବେ ବମ୍ବେ ହାଇକୋର୍ଟ କେନ୍ଦ୍ରର ଏହି ସଂଶୋଧନକୁ ରଦ୍ଦ କରିଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Bombay

Bombay

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଲାଗିଛି ବଡ଼ ଝଟକା। ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂ‌ଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ ଫ୍ୟାକ୍ଟ ଚେକିଂ ୟୁନିଟ ବା ତଥ୍ୟ ଯାଞ୍ଚ କମିଟି ଗଠନ କରିବାକୁ ଚାହୁଁଥିଲେ। ଏହି ୟୁନିଟ ସୋଶାଲ ମିଡିଆରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରକାଶ ପାଉଥିବା ପୋଷ୍ଟର ସତ୍ୟତା ଯାଞ୍ଚ କରିବା ସହ ମିଛ ପୋଷ୍ଟଗୁଡ଼ିକୁ ହଟାଇବାର କ୍ଷମତା ରଖିଥାଆନ୍ତା।

ତେବେ କେନ୍ଦ୍ରର ଏପରି ଆଭିମୁଖ୍ୟ ବିରୋଧରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା କୋର୍ଟରେ ପହଞ୍ଚିଥିଲେ। ଏବେ ବମ୍ବେ ହାଇକୋର୍ଟ କେନ୍ଦ୍ରର ଏହି ସଂଶୋଧନକୁ ରଦ୍ଦ କରିଦେଇଛନ୍ତି

Advertisment

ଜଷ୍ଟିସ ଏଏସ ଚନ୍ଦ୍ରୁକର କହିଛନ୍ତି, ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମ, ୨୦୨୩ରେ ଫ୍ୟାକ୍ଟ ଚେକ ୟୁନିଟ(ଏଫସିୟୁ) ତିଆରି କରିବାକୁ କେନ୍ଦ୍ରକୁ କ୍ଷମତା ଦେଇଛି। ଅନଲାଇନରେ ଫେକ ନ୍ୟୁଜକୁ ଚିହ୍ନଟ କରିବା ଉପରେ ଏହି ୟୁନିଟ କାର୍ଯ୍ୟ କରିବ। କିନ୍ତୁ ଏହା ସମ୍ବିଧାନର ଧାରା ୧୪ ଓ ୧୯କୁ ଉଲ୍ଲଙ୍ଘନ କରୁଛି। ତେଣୁ ପ୍ରସ୍ତାବିତ ଆଇଟି ଆକ୍ଟ ସଂଶୋଧନକୁ ଅଗ୍ରାହ୍ୟ କରାଯାଉଛି।

ଏହି ପ୍ରସଙ୍ଗରେ ପ୍ରଥମେ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ। ଜାନୁଆରୀ ମାସରେ ବେଞ୍ଚ ବିଭାଜିତ ରାୟ ପ୍ରକାଶ କରିବାରୁ ମାମଲା ତୃତୀୟ ବିଚାରପତିଙ୍କ ପାଖକୁ ଯାଇଥିଲା। ଆଜି ତୃତୀୟ ବିଚାରପତି କେନ୍ଦ୍ର ବିରୋଧରେ ରାୟ ଦେଇଛନ୍ତି।

ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ନିଜର ତଥ୍ୟ ଯାଞ୍ଚ ୟୁନିଟ୍ ବା ଏଫସିୟୁର ଅପରେସନାଲ ଷ୍ଟାଟସ ନେଇ ପ୍ରକାଶ କରିଥିବା ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଥିଲେ। ବମ୍ବେ ହାଇକୋର୍ଟ ଏହା ଉପରେ ନିଷ୍ପତ୍ତି ନ ନେବା ଯାଏ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସରକାରଙ୍କ ସଂ‌ଶୋଧନ ବିରୋଧରେ କୋର୍ଟ ଯାଇଥିବା କୁନାଲ କାମରା ଓ ଅନ୍ୟ ଆବେଦନକାରୀଙ୍କ କହିବା କଥା ଯେ ଏପରି ସଂଶୋଧନ ଅକାରଣରେ ବାକ ସ୍ୱାଧୀନତା ଉପରେ କଟକଣା ଲଗାଇବ। ଏହି ପ୍ରୋଭିଜନ ଦ୍ୱାରା ସରକାରୀ ନେତୃତ୍ୱାଧୀନ ୟୁନିଟ ଅନଲାଇନରେ ନିଜକୁ ସୁହାଇଲା ଭଳି ପଦକ୍ଷେପ ନେବ। ଯାହା ଜଣେ ବ୍ୟକ୍ତିଙ୍କ ବାକ ସ୍ୱାଧୀନତାକୁ କ୍ଷୁଣ୍ଣ କରିବ ବୋଲି ଆବେଦନକାରୀ କହିଥିଲେ।

Bombay HighCourt New IT Act