Advertisment

ନବନିର୍ମିତ ଅଟଳ ସେତୁରେ ଫାଟ, କଂଗ୍ରେସ ଆଣିଲା ଦୁର୍ନୀତି ଅଭିଯୋଗ

ନୂଆ କରି ଖୋଲିଥିବା ବ୍ରିଜରେ ଫାଟ ଦେଖାଯାଇଥିବାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ନୂଆ କରି ମୁମ୍ବାଇରେ ନିର୍ମାଣ ହୋଇଥିବା ଅଟଳ ସେତୁର ବିରାଟକାୟ ଫାଟ ସୃଷ୍ଟି ହୋଇଛି। ଅଟଳ ବିହାରୀ ବାଜପେୟୀ ସେୱରି-ନହାବା ସେବା ଅଟଳ ସେତୁ ତଥା ମୁମ୍ବାଇ ଟ୍ରାନ୍ସ ହାରର୍ବର ଲିଙ୍କ (ଏମଟିଏଚଏଲ) ଭାବେ ପରିଚିତ ଏହି ରାସ୍ତା ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ନଭି ମୁମ୍ବାଇର ଉଲୱେ ଆଡକୁ ଥିବା ରାସ୍ତାର ବେଶ କିଛି ଅଂଶ ଫାଟି ଯାଇଛି। ଦେଶର ସର୍ବବୃହତ୍ତ ସାମୁଦ୍ରିକ ସେତୁର ଆଖ୍ୟା ପାଇଥିବା ଏହି ବ୍ରିଜ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୫ ମାସ ତଳେ ଉଦଘାଟନ କରିଥିଲେ।

ନୂଆ କରି ଖୋଲିଥିବା ବ୍ରିଜରେ ଫାଟ ଦେଖାଯାଇଥିବାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର କଂଗ୍ରେସ ସଭାପତି ନାନା ପାଟୋଲେ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ସେ କହିଛନ୍ତି, “ଆମେ ଯାହା କହୁଛୁ, ସେସବୁ କେବଳ ଅଭିଯୋଗ ନୁହେଁ ବୋଲି ପ୍ରମାଣ କରିବାକୁ ମୁଁ ଏଠାକୁ ଆସିଛି। ସରକାର ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ଆପଣମାନେ ଏଠାରେ ହୋଇଥିବା ଦୁର୍ନୀତିକୁ ଦେଖିପାରୁଥିବେ।

ସେମାନେ ନିଜ ପକେଟକୁ ଫୁଲ କରିବାରେ ଲାଗିଛନ୍ତି। କିନ୍ତୁ ଲୋକଙ୍କୁ ବିପଦରେ ପକାଇବାକୁ ଅଧିକାର ସେମାନଙ୍କୁ କିଏ ଦେଲା? ଲୋକମାନେ ଏବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କେମିତି ହଟା ଯିବ, ତା’ର ଯୋଜନା କରିବା ଦରକାର।”

ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଏହି ସର୍ବବୃହତ୍ତ ସାମୁଦ୍ରିକ ବ୍ରିଜକୁ ଉଦଘାଟନ କରିଥିଲେ। ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ କରିବାକୁ ଏହି ସେତକୁ ନିର୍ମାଣ କରାଯାଇଥିଲା।

ପାଟୋଲେ କହିଛନ୍ତି, “ଏହି ବ୍ରିଜଟିକୁ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ଆମେ ସମସ୍ତେ ତାଙ୍କୁ ସମ୍ମାନ କରୁ। କିନ୍ତୁ ତାଙ୍କ ନାଁରେ ନିର୍ମାଣ ହୋଇଥିବା ବ୍ରିଜରେ ବି ଦୁର୍ନୀତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ପ୍ରଧାନମନ୍ତ୍ରୀ ମୋଦି ଏସବୁ ବିଚାରକୁ ନିଅନ୍ତୁ।”

ଅନ୍ୟପକ୍ଷରେ ମୁମ୍ବାଇ ମେଟ୍ରୋପଲିଟାନ ରିଜନ ଡେଭଲପମେଣ୍ଟ ଅଥୋରିଟୀ କହିଛି, ମୁଖ୍ୟ ରାସ୍ତାରେ କୌଣସି ପ୍ରକାରର ଫାଟ ହୋଇନାହିଁ। କେବଳ ରାସ୍ତାର ସାଇଡରେ କ୍ରାକ ଦେଖିବାକୁ ମିଳିଛି।

ଆପ୍ରୋଚ ରୋଡରେ କିଛି ଫାଟ ରହିଥିବା ଦେଖିବାକୁ ମିଳିଛି। ମୁଖ୍ୟ ବ୍ରିଜ ସହ ଫୁଟପାଥର କୌଣସି ଲିଙ୍କ ନାହିଁ। ବ୍ରିଜକୁ ସଂଯୋଗ କରୁଥିବା ସର୍ଭିସ ରୋଡରେ ଏସବୁ ଘଟଣା ଘଟିଛି।

ବିଜେପି ମଧ୍ୟ ଅଟଳ ସେତୁରେ ଫାଟ ହୋଇ ନଥିବା କହିଛି। ଏଥିସହ ଅଟଳ ସେତୁକୁ ବଦନାମ କରିବା ପାଇଁ ଚାଲିଥିବା ଉଦ୍ୟମ ବନ୍ଦ ହେଉ। ଅଟଳ ସେତୁ ପ୍ରତି କୌଣସି ବିପଦ ନଥିବା ଦଳ କହିଛି। 

Mumbai Narendra Modi Atal Setu