/odisha-reporter/media/post_attachments/uploadimage/library/16_9/16_9_0/Godman_1751708690.jpg)
Godman
ଦେଶର ଇତିହାସରେ ଅନ୍ୟତମ ବଡ଼ ମେଡିକାଲ କଲେଜ ସ୍କାମର ପର୍ଦ୍ଦାଫାସ କରିଛି ସିବିଆଇ। ଏହି ଠକେଇର ଚେର ଏକାଧିକ ରାଜ୍ୟକୁ ଲମ୍ବିଛି। ଠକେଇରେ ବରିଷ୍ଠ ସରକାରୀ ବାବୁ, ମଧ୍ୟସ୍ଥି, ବରିଷ୍ଠ ଶିକ୍ଷାବିତ ଓ ଜଣେ ଆତ୍ମଘୋଷିତ ବାବା ବା ଧର୍ମଗୁରୁ ମଧ୍ୟ ଜଡ଼ିତ ରହିଛନ୍ତି।
ଭାରତୀୟ ମେଡିକାଲ ଶିକ୍ଷା ବ୍ୟବସ୍ଥାର ମୂଳରେ ସିବିଆଇ ପହଞ୍ଚିବା ସହ ପୂରା ଦେଶରେ କେମିତି ଲାଞ୍ଚ କାରବାର ଚାଲିଛି, ସେକଥା ଜାଣି ପାରିଛି। ପୂର୍ବତନ ୟୁଜିସି ଅଧ୍ୟକ୍ଷ ଓ ବର୍ତ୍ତମାନ ଟିଆଇଏସଏସର ଚାନସେଲର ରହିଥିବା ଡିପି ସିଂହ, ଆତ୍ମଘୋଷିତ ବାବା ରାୱାତପୁରା ସରକାର, ଇନ୍ଦୋରର ଇଣ୍ଡେକ୍ସ ମେଡିକାଲ କଲେଜର ସୁରେଶ ସିଂହ ଭଦୋରିଆ ଓ ଅନେକ ଅଧିକାରୀ ଏବଂ ମଧ୍ୟସ୍ଥିଙ୍କ ଭୂମିକା ସମ୍ପର୍କରେ ସିବିଆଇ ସୁରାକ ପାଇଛି।
ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଲାଞ୍ଚ କାରବାର ମାମଲାରେ ସିବିଆଇ ଗୋଟିଏ ଏଫଆଇଆର ରୁଜୁ କରିଛି। ଏଥିରେ ୩୫ ଜଣଙ୍କ ନାଁ ଉଲ୍ଲେଖ କରାଯାଇଛି। ଏହି ୩୫ ଜଣଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଫଏସ ଅଫିସର ସଞ୍ଜୟ ଶୁକ୍ଳାଙ୍କ ନାଁ ମଧ୍ୟ ରହିଛି। ସଞ୍ଜୟ ଶୁକ୍ଳା ଏକଦା ରିୟଲ ଇଷ୍ଟେଟ ରେଗୁଲେଟୋରୀ ଅଥୋରିଟୀ ବା ରେରାର ଅଧ୍ୟକ୍ଷ ଭାବେ କାମ କରିଥିଲେ।
ଛତିଶଗଡ଼ ଜଙ୍ଗଲ ବିଭାଗ ଓ ପିସିସିଏଫର ପୂର୍ବତନ ମୁଖିଆ ହେଉଛନ୍ତି ଶୁକ୍ଳା। ତାଙ୍କର ଲିଙ୍କ ରାୱାତପୁରା ଗ୍ରୁପ ସହ ରହିଛି। ଏହି ଗ୍ରୁପରେ ସେ ଟ୍ରଷ୍ଟି ରହିଛନ୍ତି। କିନ୍ତୁ ସିବିଆଇ ବର୍ତ୍ତମାନ କେବଳ ଜଣଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଗ୍ରୁପର ନିର୍ଦ୍ଦେଶକ ଅତୁଲ ତିୱାରୀ।
ଡମି କର୍ମଚାରୀ, ନକଲି ଇନସପେକ୍ସନ ଓ ଲିକ ଫାଇଲ ହେଉଛି କୋଟି କୋଟି ଟଙ୍କା ଠକେଇର ଅଂଶ ବିଶେଷ। ରାଜସ୍ଥାନ, ଗୁରୁଗ୍ରାମ, ଇନ୍ଦୋର, ୱାରଙ୍ଗଲ ଓ ବିଶାଖାପଟନମ ଯାଏ ଏହି ଠକେଇ ବ୍ୟାପିଛି। ହାୱାଲା ଓ ବ୍ୟାଙ୍କିଂ ରୁଟ ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଖାତା ଖତିଆନ ନଥିବା ମେଡିକାଲ କଲେଜକୁ ବେଆଇନ ଅନୁମତି ଦେବାକୁ ସବୁ କସରତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କୁ ମଧ୍ୟ ଏହି ରାକେଟ ପ୍ରଭାବିତ କରିବାକୁ ଚେଷ୍ଟା କରିଛି।
ତଦନ୍ତର ଦିଗ
ରାୟପୁରରେ ଥିବା ଶ୍ରୀ ରାୱାତପୁରା ସରକାର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଏସଆରଆଇଏମଏସ୍ଆର)ରେ ଯାଞ୍ଚ ପାଇଁ ହୋଇଥିବା ଲାଞ୍ଚ କାରବାର ମାମଲାରୁ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ୩ ଜଣ ଡାକ୍ତରଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରାଯାଇଛି। ସଂସ୍ଥାକୁ ସୁହାଇବା ଭଳି ରିପୋର୍ଟ ଦେବାକୁ ଏମାନେ ୫୫ ଲକ୍ଷ ଟଙ୍କାର ଲାଞ୍ଚ ନେଇ ଧରାପଡ଼ିଥିଲେ।
ସିବିଆଇ ଡାକ୍ତରମାନଙ୍କୁ ରଙ୍ଗେ ହାତ ଧରିବା ସହ ୩୮.୩୮ ଲକ୍ଷ ଟଙ୍କା ଇନସପେକସନ ଟିମର ମୁଖିଆଙ୍କ ସହଯୋଗୀଙ୍କ ଠାରୁ ଜବତ କରିଥିଲା। ସେହିପରି ଆଉ ଜଣେ ଅଧିକାରୀଙ୍କ ଘରୁ ସିବିଆଇ ୧୬.୬୨ ଲକ୍ଷ ଟଙ୍କା ପାଇଥିଲା। ସିବିଆଇର କହିବା କଥା ଯେ ଯୋଜନାବଦ୍ଧ ଭାବେ ଲାଞ୍ଚ କାରବାର ଚାଲିଥିଲା ଓ ଏହାକୁ ହାୱାଲା ରାସ୍ତାରେ ସଂଗ୍ରହ କରାଯିବା ସହ ଇନସପେକସନ ଟିମ ମଧ୍ୟରେ ବଣ୍ଟା ଯାଇଥିଲା।
ରାୟପୁରରୁ ଆରମ୍ଭ ହୋଇଥିବା ଏହି ମାମଲା ଏବେ ଗୋଟିଏ ଜାତୀୟସ୍ତରର ସ୍କାମରେ ପରିଣତ ହୋଇଛି।
ଆତ୍ମଘୋଷିତ ବାବା
ସିବିଆଇ ତା’ ଏଫଆଇଆରରେ ରାୱାତପୁରା ସରକାର ଓରଫ ରବିଶଙ୍କର ମହାରାଜଙ୍କ ନାଁ ରହିଛି। ମହାରାଜ ଅନେକ ବରିଷ୍ଠ ରାଜନେତା, ମନ୍ତ୍ରୀ ଓ ବାବୁମାନଙ୍କ ସମ୍ପର୍କରେ ଥିବାରୁ ଏବେ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି। ରବିଶଙ୍କର ମହାରାଜଙ୍କୁ କ୍ଷମତା କେନ୍ଦ୍ର ମଧ୍ୟ କୁହାଯାଏ। ଅନେକ ଆଇଏଏସ୍, ଆଇପିଏସ, ରାଜନେତାଙ୍କ ସହ ତାଙ୍କ ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ଅଭିଯୋଗ ହୋଇଛି ଯେ ମହାରାଜଙ୍କ ଟ୍ରଷ୍ଟ ସରକାରୀ ଯୋଜନାର ଲାଭ ଉଠାଇଛି। ରାସ୍ତା ଠାରୁ ଆରମ୍ଭ କରି ବିଜୁଳିରେ ଟ୍ରଷ୍ଟକୁ ସବସିଡି ମିଳୁଛି।
ପ୍ରଥମଥର ପାଇଁ ରାୱାତପୁରା ସରକାର ବିବାଦ ମଧ୍ୟକୁ ଆସି ନାହାନ୍ତି। ତାଙ୍କ ଟ୍ରଷ୍ଟ ବେଆଇନ ଭାବେ ଜମି ଦଖଲ କରିବା, ଅନୁମତି ନଥିବା କଲେଜ ଚଳାଇବା, ଶିକ୍ଷାର୍ଥୀଙ୍କୁ ବଳପୂର୍ବକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଓ ଆଶ୍ରମ ଭିତରେ ମହିଳା ଅନ୍ତେବାସୀଙ୍କୁ ମାନସିକ ନିର୍ଯାତନା ଦେବା ଆଦି ଅଭିଯୋଗ ରହିଛି। ଏହାର ତଦନ୍ତ ଚାଲିଥିଲେ ହେଁ ରିପୋର୍ଟ ଏଯାଏ ଆସିନି।
ସୂତ୍ର ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ଥିବା ୪୦ରୁ ଅଧିକ ମେଡିକାଲ କଲେଜ ଲାଞ୍ଚ ଦେଇ, ମିଥ୍ୟା ରେକର୍ଡ ଓ ତ୍ରୁଟି ଯୁକ୍ତ ଯାଞ୍ଚ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକ୍ଷମ ହେବାର ଅନୁମତି ପାଇଛନ୍ତି।
ଗୋଟିଏ ସମାନ୍ତରଳ ଅପରେସନ
ସିବିଆଇ ନିଜର ତଦନ୍ତ ପରିସରକୁ ବିସ୍ତାର କରିଥିବା ବେଳେ ଇନ୍ଦୋରର ଇଣ୍ଡେକ୍ସ ମେଡିକାଲ କଲେଜରେ ସମାନ୍ତରଳ ଅପରେସନ କରିଛି। ଏଠାରେ ଅଧିକାରୀମାନେ ଭୂତ କର୍ମଚାରୀ, ନକଲି ବାୟୋମେଟ୍ରିକ ଉପସ୍ଥାନ ଓ ନକଲି ଅଭିଜ୍ଞତା ପ୍ରମାଣପତ୍ର ଜରିଆରେ ଜାତୀୟ ମେଡିକାଲ କଲେଜ(ଏନଏମସି) ମାନ୍ୟତା ହାସଲ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଭଦୋରିଆ ଓ ରାୱାତପୁରା ସରକାର ଉଭୟ ମୂଳତଃ ମଧ୍ୟପ୍ରଦେଶର ଲାହାରର।
ସେମାନେ ଗୋଟିଏ ନେଟୱର୍କ ଚଳାଇବା ସହ ଭାରତର ବିଭିନ୍ନ ଘରୋଇ ଶିକ୍ଷା ସଂସ୍ଥାକୁ ନିଶ୍ଚିତ ଏନଏମସି ଅନୁମୋଦନ ପାଇଁ ୩ରୁ ୫ କୋଟି ଚାର୍ଜ କରୁଥିଲେ। ଏନଏମସି ପାଇଁ ଯୋଗ୍ୟତା ନଥିଲେ ମଧ୍ୟ ଟଙ୍କା ବଳରେ ସେମାନଙ୍କୁ ସବୁ ସୁବିଧା ମିଳିବ ବୋଲି ଏହି ନେଟୱର୍କ ପକ୍ଷରୁ ଗ୍ୟାରେଣ୍ଟୀ ଦିଆଯାଉଥିଲା।
ଠକେଇ କେବଳ ଏତିକିରେ ସୀମିତ ନାହିଁ। ତଥ୍ୟ ଲିକ, ଡମି ଇନସପେକସନ, ଲାଞ୍ଚ କାରବାର ଓ ଅପରାଧିକ ଷଡ଼ଯନ୍ତ୍ର ବିଭିନ୍ନ ସ୍ତରରେ ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ନୂଆଦିଲ୍ଲୀରେ ନେଟୱର୍କ ଲିଙ୍କରେ ରହିଥିବା ଅଧିକାରୀମାନେ ଆଭ୍ୟନ୍ତରୀଣ ଫାଇଲର ଫଟୋ ଉଠାଉଥିଲେ ଓ ଏହାକୁ ଏଜେଣ୍ଟମାନଙ୍କୁ ହ୍ୱାଟସଆପରେ ପଠାଉଥିଲେ। ଏଜେଣ୍ଟମାନେ କଲେଜ ମ୍ୟାନେଜମେଣ୍ଟକୁ ଆଗକୁ ଏ ସମ୍ପର୍କରେ ଅବଗତ କରାଇ ଦେଉଥିଲେ।
ଗୁପ୍ତ ତଥ୍ୟ ହାସଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୁରୁଗ୍ରାମର ବୀରେନ୍ଦ୍ର କୁମାର, ଦ୍ୱାରକାର ମନୀଶା ଯୋଶୀ, ଉଦୟପୁରରେ ଥିବା ଗୀତାଞ୍ଜଳି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୟୂର ରାଭଲଙ୍କ ଠାରୁ ଆରମ୍ଭ କରି ଅନେକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରତିନିଧି ପ୍ରମୁଖଙ୍କ ନାଁ ରହିଛି।
ଏହି ସୂଚନା ଲିକ ରାକେଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜିତୁ ଲାଲ ମୀନା। ଏକଦା ସେ ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡର ପୂର୍ଣ୍ଣକାଳୀନ ସଦସ୍ୟ ରହିଥିଲେ। ସେ ପୂରା ନେଟୱର୍କର ପ୍ରମୁଖ ମଧ୍ୟସ୍ଥି ରହିଥିଲେ ଓ ନିଜର କ୍ଷମତା ବଳରେ ଲାଞ୍ଚ କାରବାର କରୁଥିଲେ। ବେଆଇନ କାରବାରରୁ ମିଳିଥିବା ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୀନା ରାଜସ୍ଥାନରେ ଗୋଟିଏ ହନୁମାନ ମନ୍ଦିର ତିଆରି କରିଥିବା ସିବିଆଇ ଜାଣିବାକୁ ପାଇଛି।
ଦକ୍ଷିଣ ଭାରତ ଦିଗ
ଆନ୍ଧ୍ର ପ୍ରଦେଶର କାଦିରି ସ୍ଥିତ ଏଜେଣ୍ଟ ବି ହରି ପ୍ରସାଦ, ହାଇଦ୍ରାବାଦର ଅନକମ ରାମବାବୁ ଓ ବିଶାଖାପଟନମର କ୍ରିଷ୍ଣା କିଶୋର କେମିତି ଡମି କର୍ମଚାରୀ ଓ ନକଲି ରୋଗୀଙ୍କୁ ଏନଏମସି ଯାଞ୍ଚ ବେଳେ ଉପସ୍ଥାପନ କରିଥିଲେ, ସେକଥା ସିବିଆଇ ଜାଣିବାକୁ ପାଇଛି।
ଗୋଟିଏ ମାମଲାରେ ଗାୟତ୍ରୀ ମେଡିକାଲ କଲେଜର ନିର୍ଦ୍ଦେଶଙ୍କ ଠାରୁ କିଶୋର ୫୦ ଲକ୍ଷ ଟଙ୍କା ନେଇଥିବା ବେଳେ ୱାରଙ୍ଗଲରେ ଥିବା ଫାଦର କଲମ୍ବୋ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ଅନୁମୋଦନ ଦେବା ପାଇଁ ୪ କୋଟି ଅଧିକ ଟଙ୍କା ଆଣିଥିଲେ। ଏହି ଲାଞ୍ଚ ଟଙ୍କାକୁ ବ୍ୟାଙ୍କ ଜରିଆରେ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
