Minal
ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛନ୍ତି। ଏଥିଯୋଗୁ ଭାରତରେ ବିଭିନ୍ନ କାମ ତଥା ପରିବାର ନେଇ ରହୁଥିବା ପାକିସ୍ତାନୀଙ୍କୁ ନିଜ ଦେଶକୁ ଫେରିବାକୁ ପଡ଼ୁଛି। ଅଟ୍ଟାରୀ ଓ ୱାଘା ବର୍ଡର ଦେଇ ପାକିସ୍ତାନୀ ନିଜ ଦେଶକୁ ଫେରୁଛନ୍ତି। ବର୍ଷବର୍ଷ ଧରି ଭାରତରେ ରହୁଥିବା ପାକିସ୍ତାନୀ ଏପରି ଏକ ମୁହୂର୍ତ୍ତରେ ଭାଗପ୍ରବଣ ମଧ୍ୟ ହେଉଛନ୍ତି। ସୀମା ପାର ଘଟଣାକୁ ନେଇ ଅନେକ ଖବର ପ୍ରକାଶ ପାଇଛି।
ଏହିକ୍ରମରେ ଦେଶର ସୁରକ୍ଷା କରୁଥିବା ସିଆରପିଏଫର ଜଣେ ଯବାନଙ୍କ ପାକିସ୍ତାନୀ ପତ୍ନୀ ମଧ୍ୟ ଭାରତ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ହେଲେ ତାଙ୍କ ଭାରତ ଛାଡ଼ିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଶେଷ ମୁହୂର୍ତ୍ତରେ ସେ କେମିତି ଭାରତରେ ରହିବାକୁ ସୁଯୋଗ ପାଇଲେ, ତା’ହା ଏଠାରେ ମୂଳପ୍ରସଙ୍ଗ।
ସିଆରପିଏଫ ହେଉଛି ଗୋଟିଏ ପାରାମିଲିଟାରୀ ଫୋର୍ସ। ଏହାର ଯବାନମାନେ ଆତଙ୍କବାଦ ନିରୋଧ ଅପରେସନ, ସୀମା ପାର ଅନୁପ୍ରବେଶ ଓ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥାଆନ୍ତି। ଏହି ସିଆରପିଏଫରେ କାମ କରୁଥିବା ଜଣେ ଯବାନ ପାକିସ୍ତାନର ଜଣେ ଯୁବତୀଙ୍କୁ ବିବାହ କରିଥିଲେ।
ପାକିସ୍ତାନର ପଞ୍ଜାବ ପ୍ରଦେଶର ମିନାଲ ଖାନ ଓ ସିଆରପିଏଫ ଯବାନ ମୁନିର ଖାନଙ୍କ ପରିଚୟ ଅନଲାଇନରୁ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଦୀର୍ଘ ବର୍ଷ ଧରି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ହେଁ ଭିସା ମିଳୁ ନଥିବାରୁ ବାହାଘର ହୋଇ ପାରି ନଥିଲା। କିନ୍ତୁ ୨୦୨୪ ମେ’ ମାସରେ ଅନଲାଇନରେ ଉଭୟ ନିକା କରିଥିଲେ।
ବାହାଘର ପରେ ସେ ମୁନିରଙ୍କ ପାଖକୁ ଆସିବାକୁ ଚାହିଁଥିଲେ। ଏତିକି ବେଳେ ଗୋଟିଏ ଚମତ୍କାର ହୋଇଥିଲା। ୯ ବର୍ଷ ଧରି ଭିସା ପାଇଁ ଅପେକ୍ଷା କରିଥିବା ମିନାଲଙ୍କୁ ୨୦୨୫ ମାର୍ଚ୍ଚ ମାସରେ ଭାରତ ଆସିବାକୁ ଅନୁମତି ମିଳିଥିଲା। ମିନାଲଙ୍କ ଛୋଟିଆ ଭିସା ଅବଧି ମାର୍ଚ୍ଚ ୨୨ରେ ଶେଷ ହୋଇ ଯାଇଥିଲା। ତଥାପି ସେ ମାର୍ଚ୍ଚ ୨୨ ପରେ ମଧ୍ୟ ସ୍ୱାମୀ ମୁନିରଙ୍କ ସହ ଜମ୍ମୁରେ ରହୁଥିଲେ।
କିନ୍ତୁ ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ତାଙ୍କୁ ଭାରତ ଛାଡ଼ିବାକୁ ପ୍ରଶାସନ ନୋଟିସ କରିଥିଲା। ଭିସା ଅବଧି ସରିବା ପରେ ବି ଭାରତରେ ରହୁଥିବା ମିନାଲ ବାଧ୍ୟ ହୋଇ ପାକିସ୍ତାନ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୨୯ ସୁଦ୍ଧା ତାଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଥିଲା। ଅବଧି ଶେଷ ହେଉଥିବାରୁ ସେ ପ୍ରତ୍ୟର୍ପଣ ପାଇଁ ସୀମାରେ ଥିବା ବସରେ ବସିଥିଲେ।
ଅନେକ ଦୁଃଖ ଓ କଷ୍ଟକୁ ଛାତିରେ ଧରି ସେ ପାକିସ୍ତାନ ଯିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ପୁଣି ତାଙ୍କ ସହ ଘଟିଥିଲା ଚମତ୍କାର ଘଟଣା। ସେ ବସ୍ରେ ବସିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ଓକିଲ ଅଙ୍କୁର ଶର୍ମାଙ୍କ ଫୋନ ଆସିଥିଲା। ତାଙ୍କୁ ଭାରତ ଛାଡ଼ିବାକୁ ମିଳିଥିବା ନୋଟିସ ଉପରେ କୋର୍ଟ ରୋକ ଲଗାଇ ଦେଇଥିବା ଅଙ୍କୁର କହିଥିଲେ। ବାସ୍ ଏହା ଶୁଣି ମିନାଲ ଖୁସିରେ କାନ୍ଦି ପକାଇଥିଲେ।
ମିନାଲ ଖାନ ଜମ୍ମୁରୁ ବସ୍ ଯୋଗେ ଅଟ୍ଟାରୀ-ୱାଘା ସୀମାକୁ ଯିବା ସହ ସେଠାରୁ ପାକିସ୍ତାନ ଯାଇଥାଆନ୍ତେ। ହେଲେ ଶେଷ ମୁହୂର୍ତ୍ତରେ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ସେ ସ୍ୱାମୀଙ୍କ ସହ ଭାରତରେ ରହିବାକୁ ଅନୁମତି ପାଇଛନ୍ତି। ସବୁଠାରୁ କୌତହଳର ବିଷୟ ହେଉଛି ଯେ ଓକିଲ ଅଙ୍କୁର ଶର୍ମା ହେଉଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପିର ଜଣେ ମୁଖପାତ୍ର। ସେ ମିନାଲଙ୍କ ପାଇଁ କୋର୍ଟରେ ଲଢ଼େଇ କରି ପ୍ରତ୍ୟର୍ପଣ ନୋଟିସ ଉପରେ ରୋକ ଲଗାଇବାକୁ ସକ୍ଷମ ହୋଇଛନ୍ତି।
ରିପୋର୍ଟ ଅନୁସାରେ, ମିନାଲ ଖାନ ତାଙ୍କ ଭିସା ଅବଧି ବୃଦ୍ଧି କରିବା ପାଇଁ ପହଲଗାମ ଆକ୍ରମଣ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ଏବେ ଏହି ଆବେଦନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ପଡ଼ି ରହିଛି। ଏହାପୂର୍ବରୁ ମିନାଲ ମଧ୍ୟ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେବାକୁ ସରକାରଙ୍କୁ ନିବେଦନ କରିଥିଲେ।
ମିନାଲ କହିଥିଲେ, “ଆମକୁ ଆମ ପରିବାର ସହ ରହିବାକୁ ଅନୁମତି ଦିଆଯାଉ। ଆତଙ୍କବାଦୀଙ୍କ ନୃଶଂସ ହତ୍ୟାକୁ ଆମେ ନିନ୍ଦା କରୁଛୁ। ହତ୍ୟାକାରୀଙ୍କୁ ଦୃଢ଼ ଭାବେ ଦଣ୍ଡ ଦିଆଯାଉ। ଆମେ ସବୁ ନିୟମ ପାଳନ କରିଛୁ। ମାର୍ଚ୍ଚରେ ମୋ ଭିସା ଅବଧି ଶେଷ ହୋଇଥିବା ବେଳେ ମୁଁ ଦୀର୍ଘ କାଳୀନ ଭିସା ପାଇଁ ଆବେଦନ କରିଛି। ଏହାକୁ ଅନୁମତି ମିଳିବ ବୋଲି ଆମକୁ କୁହାଯାଇଥିଲା। କିନ୍ତୁ ଆକ୍ରମଣ ପରେ ମୁଁ ମୋ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଛି। ମୋ ଭଳି ଅନେକ ପିଲା ସେମାନଙ୍କ ବାପା କିମ୍ବା ମା’ଙ୍କ ଠାରୁ ଅଲଗା ହୋଇଛନ୍ତି। ଏହା ଅମାନବୀୟ। ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାୟ ଦିଅନ୍ତୁ।”
ପାକିସ୍ତାନୀ ମହିଳାଙ୍କୁ ସିଆରପିଏଫ ଯବାନ ବାହା ହେବା ପ୍ରଶ୍ନ ସୃଷ୍ଟି କରିଛି
ପାକିସ୍ତାନୀ ନାଗରିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ୱାଘା-ଅଟ୍ଟାରୀ ସୀମା ଦେଇ ନିଜ ଦେଶକୁ ଫେରିଯିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବା ବେଳେ ମିନାଲ ଖାନଙ୍କ ପ୍ରତ୍ୟର୍ପଣ ଉପରେ ରୋକ ଲାଗିଛି। ପୂର୍ବରୁ କେନ୍ଦ୍ର ସରକାର ଏପ୍ରିଲ ୩୦ରେ ସୀମା ସିଲ ହେବ ବୋଲି କହିଥିଲେ। ତେଣୁ ସମସ୍ତଙ୍କ ପାକିସ୍ତାନୀଙ୍କୁ ଏପ୍ରିଲ ୨୯ ସୁଦ୍ଧା ଦେଶ ଛାଡ଼ିବାକୁ କୁହାଯାଇଥିଲା।
ଗତ ସପ୍ତାହରେ ଭାରତ ସରକାର ଘୋଷଣା କରିଥିଲେ ଯେ ପାକିସ୍ତାନୀଙ୍କୁ ମିଳିଥିବା ସମସ୍ତ ଭିସା ଏପ୍ରିଲ ୨୭ରେ ରଦ୍ଦ ହେବ। ଏପ୍ରିଲ ୨୯ ସୁଦ୍ଧା ସମସ୍ତେ ଦେଶ ଛାଡ଼ିବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ୬ ଦିନ ଭିତରେ ୭୮୬ ଜଣ ପାକିସ୍ତାନୀ ଭାରତ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୫୫ ଜଣ ପାକିସ୍ତାନ କୂଟନୀତିଜ୍ଞ ଓ କର୍ମଚାରୀ ରହିଛନ୍ତି। ପାକିସ୍ତାନରୁ ଏହି ସମୟସୀମା ମଧ୍ୟରେ ୧୪୬୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି।
ମିନାଲ ଖାନଙ୍କ ମାମଲା ସାମ୍ନାକୁ ଆସିବା ପରେ କିଛି ଲୋକ କେମିତି ଜଣେ ସିଆରପିଏଫ ଯବାନ ପାକିସ୍ତାନୀ ମହିଳାଙ୍କୁ ବିବାହ ପାଇଁ ଅନୁମତି ପାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। କିଛି ଏହା ଏକ ଟ୍ରାପ ବୋଲି କହିଛନ୍ତି। ସେହିପରି ମିନାଲଙ୍କ ଭିସା ମାର୍ଚ୍ଚ ୨୨ରୁ ଶେଷ ହୋଇଥିବା ବେଳେ ସେ କେମିତି ଏତେ ଦିନ ଭାରତରେ ରହିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଏନଆଇଏ ତଦନ୍ତ ପାଇଁ ମଧ୍ୟ ସୋଶାଲ ମିଡିଆରେ ଦାବି କରାଯାଇଛି।
ସୀମା ପାର ପ୍ରେମ କାହାଣୀ ନୂଆ ନୁହେଁ। ବଲିଉଡରେ ଏନେଇ ଅନେକ ସିନେମା ମଧ୍ୟ ତିଆରି କରାଯାଇଛି। ଏହା ସତ ଯେ ପ୍ରେମ କେବେ ହେଲେ ସୀମା ମାନେ ନାହିଁ। କିନ୍ତୁ ଜମ୍ମୁ-କଶ୍ମୀରର ଜଣେ ସିଆରପିଏଫ ଯବାନ ପାକିସ୍ତାନ ମହିଳାଙ୍କୁ ବିବାହ କରିବା ସାଧାରଣରେ ପ୍ରଶ୍ନ ଉଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Minal_1746101137.jpg)