ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ
`ଇରାନ୍ ବିପକ୍ଷରେ ଆମେରିକା-ଇସ୍ରାଏଲ ଯୁଦ୍ଧ 4-5 ସପ୍ତାହ ଚାଲିପାରେ, ବା ତା’ଠାରୁ ଲମ୍ବା ହୋଇପାରେ’ ନିକଟରେ ଏକଥା କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ଏବେ ଜାରି ରହିଥିବା ଯୁଦ୍ଧ ଘନଘଟା (middle east) ଭିତରେ ଅଶୋଧିତ ତୈଳ ଦର ସପ୍ତାହକ ଭିତରେ ପ୍ରାୟ 36% ବଢ଼ି ପାଖାପାଖି 90 ଡଲାରରେ ପହଞ୍ଚିଛି। ବିଶ୍ବରେ 1970ରୁ 2022 ଭିତରେ ହୋଇଥିବା ଅନେକ ଯୁଦ୍ଧରେ ଅଶୋଧିତ ତୈଳ ଦର ଦୁଇ-ତିନି ଗୁଣା ବଢ଼ିଯାଇଥିବା ଦେଖାଯାଇଛି। ଭାରତ ନିଜ ଚାହିଦାର ପ୍ରାୟ 90 ପ୍ରତିଶତ ଅଶୋଧିତ ତୈଳ (crude oil) ବିଭିନ୍ନ ଦେଶରୁ ଆମଦାନୀ କରୁଥିବାବେଳେ ପ୍ରାୟ 50% ପ୍ରାକୃତିକ ଗ୍ୟାସ୍ ଆମଦାନୀ କରିଥାଏ। ତେବେ ଭାରତରେ ରହିଥିବା ନିଜସ୍ବ ତୈଳ ଓ ଗ୍ୟାସ୍ ମହଜୁଦ ପରିମାଣକୁ ଦେଖିଲେ, ଭାରତରେ ଅଶୋଧିତ ତୈଳ 15 ବର୍ଷରେ ସରିଯିବ। ସେହିଭଳି ପ୍ରାକୃତିକ ଗ୍ୟାସ୍ 17 ବର୍ଷରେ ସରିଯିବ!
ଶକ୍ତି ସୁରକ୍ଷା ଦୃଷ୍ଟିରୁ ଭାରତରେ କେତେ ତୈଳ ଓ ପ୍ରାକୃତିକ ଗ୍ୟାସ ମହଜୁଦ ରହିଛି? ଏ ସଂପର୍କରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଗୋପୀ ନିକଟରେ ଫେବ୍ରୁଆରୀ 5 ତାରିଖରେ ଲୋକସଭାରେ ଉତ୍ତର ଦେଇ କହିଛନ୍ତି: PRMS (Petroleum Reserve Management System) ହିସାବ ଅନୁସାରେ, Reserve/Production ratio (R/P ratio)ରେ ଦେଶର ତୈଳ ଓ ପ୍ରାକୃତିକ ଗ୍ୟାସ ମହଜୁଦ ସ୍ଥିତି ସ୍ଥିର କରାଯାଇଥାଏ। ଏହି ଅନୁପାତରେ ଦେଖିଲେ, ବର୍ତ୍ତମାନ ଦେଶରେ କେତେ ତୈଳ ଓ ପ୍ରାକୃତିକ ଗ୍ୟାସ ସମ୍ପଦ ମହଜୁଦ ଅଛି ଓ ଏହିଭଳି ବ୍ୟବହାର ଚାଲିଲେ କେତେ ବର୍ଷରେ ଏହା ଶେଷ ହେବ ଜଣାପଡ଼ିଥାଏ। ସେହି ଅନୁସାରେ ଦେଖିଲେ, ଭାରତରେ ମହଜୁଦ ଥିବା ଅଶୋଧିତ ତୈଳ 15 ବର୍ଷରେ ଓ ପ୍ରାକୃତିକ ଗ୍ୟାସ୍ 17 ବର୍ଷରେ ସରିଯିବ! ଅବଶ୍ୟ ଅନୁସନ୍ଧାନରୁ ନୂଆ ହାଇଡ୍ରୋକାର୍ବନ ରିଜର୍ଭ ରହିଥିବା ଜଣାପଡ଼ିଲେ, ଏହି ସମୟ ବଢ଼ିପାରେ।
ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ ଗୋପୀ କହିଛନ୍ତି- ସରକାର ଏସବୁ ଜାଣିଥିବାରୁ ଅଧିକ ବିକଳ୍ପ ଶକ୍ତି ଯଥା- ସୌର, ପବନ ଓ ଜୈବିକ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି।
ଅନ୍ୟପଟରେ ସେହି ଫେବ୍ରୁଆରୀ 5 ତାରିଖରେ ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି: ଭାରତ ଏବେ ଅଣ-ଜୀବାଶ୍ମ ଇନ୍ଧନ (Non-fossil fuel)ରୁ 50% ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିସାରିଲାଣି। 2015ରେ ହୋଇଥିବା ପ୍ୟାରିସ ଜଳବାୟୁ ଚୁକ୍ତିକୁ ଦେଖିଲେ ଭାରତ ଏହି ଲକ୍ଷ୍ୟ 5 ବର୍ଷ ପୂର୍ବରୁ ହାସଲ କରିସାରିଲାଣି। ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। `ନେଟ୍ ଜିରୋ’ ବା ଗ୍ରୀନହାଉସ୍ ଗ୍ୟାସ୍ କମାଇବାକୁ ଲକ୍ଷ୍ୟ ରଖି ଭାରତ ଅନ୍ୟ ଏକ ବିକଳ୍ପ ଶକ୍ତି ଉତ୍ସ ଭାବେ ଆଣବିକ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛି। 2047 ସୁଦ୍ଧା କେବଳ ଆଣବିକ ଶକ୍ତିରୁ 100 ଗିଗା ଓ୍ବାଟ୍ (GW) ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/07/crude-oil-and-natural-gas-2026-03-07-16-33-58.jpg)