Advertisment

ମଣିପୁରରେ ପୁଣି କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

ବିଧାୟକଙ୍କ ଘରେ ପଶି ଝରକା କବାଟ ଭାଙ୍ଗିଲେ, ଜାଳିଦେଲେ ଆସବାବପତ୍ର। ଭୟଙ୍କର ହିଂସା କାରଣରୁ ମଣିପୁରକୁ ପୁଣି ଫେରିଲା କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ।

author-image
Debadatta Aryashrestha
curfew in manipur

curfew in manipur

ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ସାତଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ ଓ ପରେ ସେମାନଙ୍କ ମୃତଦେହ ମିଳିବା ପରେ ଏହି ଜିଲ୍ଲାଗୁଡ଼ିକରେ ପୁଣିଥରେ ହିଂସା ଉଗ୍ରରୂପ ନେବାକୁ ଲାଗିଛି।

Advertisment

ଏହି ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି। ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।

ଖବର ଅନୁସାରେ ଏକ ଗୋଷ୍ଠୀ ସପାମ ନିଶିକାନ୍ତ ସିଂହ(ବିଧାୟକ)ଙ୍କ ଘର ଉପରେ ଆକ୍ରମଣ କରି ଗେଟ୍ ଏବଂ ଗେଟ୍ ସମ୍ମୁଖରେ ନିର୍ମିତ ବଙ୍କରଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ସମାନ ଗୋଷ୍ଠୀର ପ୍ରଦର୍ଶନକାରୀମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବନ୍ଦରେ ବିଧାୟକ ଆର.କେ ଇମୋଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରି ଆସବାବପତ୍ର ପୋଡିବା ସହ ଝରକା କବାଟ ଭାଙ୍ଗିଦେଇଛନ୍ତି।

Advertisment

ପ୍ରକାଶ ଥାଉ, ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି। ଏହାପରେ ରାଜ୍ୟରେ ହିଂସା ପୁଣି ଉଗ୍ରରୂପ ନେଇଛି। ଯାହାକୁ ଦୃଷ୍ଟିରେ ରଖି ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ସାତଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

Manipur Violence Manipur News Curfew In Manipur Internet Suspended