/odisha-reporter/media/media_files/2026/02/10/manipur-2026-02-10-15-50-05.jpg)
ମଣିପୁରରେ ହିଂସାକାଣ୍ଡ
ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଯୁମନାମ ଖେମଚାନ୍ଦ ସିଂହ ଶପଥ ନେବାର କିଛି ଦିନ ପରେ ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ସୋମବାର ଠାରୁ ମଣିପୁର (Manipur Burning)ର ଉଖୁରୁଲ ଜିଲ୍ଲାରେ ଦେଖାଯାଇଛି ବ୍ୟାପକ ହିଂସାକାଣ୍ଡ। ସ୍ଥିତି ଭୟଙ୍କର ରୂପ ଧାରଣ କରିବାକରୁ ପ୍ରଶାସନ ପକ୍ଷରୁ ପୂରା ଜିଲ୍ଲାରେ ଲାଗୁ କରାଯାଇଛି କର୍ଫ୍ୟୁ। ସେହିପରି ଇଣ୍ଟରନେଟକୁ ବନ୍ଦ କରି ଦିଆଯାଇଛି। ଏପରି କଟକଣା ୫ ଦିନ ପାଇଁ ବଳବତ୍ତର ରହିବ।
ସୋମବାର ରାତିରେ ସଶସ୍ତ୍ର ଦୁର୍ବୃତ୍ତ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁ ଅନେକ ଲୋକ ରାତାରାତି ନିଜ ନିଜର ଘର ଛାଡ଼ିବ ଆଶ୍ରୟ ସ୍ଥଳକୁ ଯିବାକୁ ବାଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମାବାର ବିଳମ୍ବିତ ରାତିରେ ହାତରେ ଅସ୍ତ୍ରଶସ୍ତ୍ର ଧରି କିଛି ଲୋକ ସଂଘବଦ୍ଧ ଭାବେ ଲିଟାନ ସାରେଇଖୋଙ୍ଗ ଗାଁରେ ଆକ୍ରମଣ କରିଥିଲେ।
ସେମାନେ ଅନେକ ଲୋକଙ୍କ ଘରେ ନିଆଁ ଲଗାଇବା ସହ ଫାଙ୍କା ଗୁଳି ଚାଳନା କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ। ହିଂସାକାଣ୍ଡ ଓ ପୋଡ଼ାଜଳାକୁ ଦୃଷ୍ଟିରେ ରଖି ଅନେକ ଲୋକ ସେମାନଙ୍କ ଜରୁରୀ ଜିନିଷପତ୍ର ଧରି ରାତାରାତି ପଡ଼ୋଶୀ କାଙ୍ଗପୋକପି ଜିଲ୍ଲାରେ ଥିବା ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। କେବଳ ଏହି ଗାଁ ନୁହେଁ, ଟାଙ୍ଗଖୁଲ ଗାଁର ଅନେକ ଲୋକ ମଧ୍ୟ ସେମାନଙ୍କ ଘର ଛାଡ଼ିଛନ୍ତି।
ବିବାଦ ବଢ଼ୁଥିବାରୁ ମଣିପୁର ସରକାର ତତ୍କାଳ ଭାବେ ଉଖରୁଲ ଜିଲ୍ଲାରେ ଇଣ୍ଟରନେଟକୁ ବନ୍ଦ କରି ଦେଇଛନ୍ତି। ଗୃହ ବିଭାଗ କମିଶନର ଏପରି ନିର୍ଦ୍ଦେଶ ଜାରି କହିଛନ୍ତି ଯେ ବର୍ତ୍ତମାନ ଦେଖା ଯାଇଥିବା ବିଶୃଙ୍ଖଳା ସାଧାରଣ ସୁରକ୍ଷା ଓ ଶାନ୍ତି ଉପରେ ବିପଦ ସୃଷ୍ଟି କରିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଭୁଲ ତଥ୍ୟର ପ୍ରଚାରକୁ ରୋକିବା ପାଇଁ ତତ୍କାଳ ଭାବେ ଜିଲ୍ଲାରେ ଇଣ୍ଟରନେଟକୁ ବନ୍ଦ କରାଯାଇଛି। ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ।
ସେହିପରି ପୋଡ଼ାଜଳା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
