Advertisment

ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି... କହି ନେଇଗଲେ ଦେଢ କୋଟି

ଭୟଭୀତ ହୋଇ ଯାଇଥିବା ବୟସ୍କ ମହିଳାଜଣକ ଅପର ପାର୍ଶ୍ୱର ବ୍ୟକ୍ତିଙ୍କୁ ନିଜ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଦେଇ ଦେଇଥିଲେ। ଏହାର କିଛି ସମୟ ପରେ ବୃଦ୍ଧାଙ୍କ ଆକାଉଣ୍ଟରୁ କଟିଗଲା ୧ କୋଟି ୪୮ ଲକ୍ଷ ଟଙ୍କା।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

‘ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି। ମୋତେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦିଅନ୍ତୁ। ’ ଏହା ଶୁଣି ଭୟଭୀତ ହୋଇ ଯାଇଥିବା ବୟସ୍କ ମହିଳାଜଣକ ଅପର ପାର୍ଶ୍ୱର ବ୍ୟକ୍ତିଙ୍କୁ ନିଜ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଦେଇ ଦେଇଥିଲେ। ଏହାର କିଛି ସମୟ ପରେ ବୃଦ୍ଧାଙ୍କ ଆକାଉଣ୍ଟରୁ କଟିଗଲା ୧ କୋଟି ୪୮ ଲକ୍ଷ ଟଙ୍କା।

Advertisment

ନକଲି ଡିସିପି କହି ଭିଡିଓ କଲ୍‌ କରିଥିବା ବ୍ୟକ୍ତିଜଣକ ବୃଦ୍ଧାଙ୍କୁ ଘରୁ ୩ ଦିନ ପର୍ଯ୍ୟନ୍ତ ନ ବାହାରିବାକୁ କହି ଏକ ପ୍ରକାର ଗୃହବନ୍ଦୀ କରି ରଖିଥିଲେ। ଏହାପରେ ବୃଦ୍ଧାଜଣକ ଏକ ବଡ଼ ଧରଣର ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାରେ ପହଞ୍ଚିଛନ୍ତି। ପୁଲିସ୍‌ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

ଏପରି ଏକ ସାଂଘାତିକ ଠକେଇ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି। ଠକେଇର ଶିକାର ହୋଇଥିବା ବୃଦ୍ଧାଜଣକ କାକୋଳି ଦାସ ବୋଲି ଜଣାଯାଇଛି।

Advertisment

ପ୍ରୟାଗରାଜରେ ଏକୁଟିଆ ରହୁଥିବା କାକୋଳି ଦାସ ଜଣେ ସିବିଆଇ ଅଫିସରଙ୍କ ପତ୍ନୀ। ଗତ କିଛି ବର୍ଷ ହେବ ସ୍ୱାମୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏକମାତ୍ର ଝିଅ ବିଦେଶରେ ରହୁଛି। ତେଣୁ କାକୋଳି ପ୍ରୟାଗରାଜରେ ଏକୁଟିଆ ରହୁଛନ୍ତି।

ଗତ ୨୩ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି କହିଥିଲେ। ଏହାପରେ ତାଇୱାନରୁ ଆପଣଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ସ , ୩ କ୍ରେଡିଡ କାର୍ଡ ଓ ୫ ଲାପଟପ୍‌ ରହିଛି। ତେଣୁ ଆପଣ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦିଅନ୍ତୁ, ଆମେ ଯାଞ୍ଚ କରିବୁ ବୋଲି ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ।

ଏଥିରେ ଭୟଭୀତ ହୋଇ ଯାଇଥିବା କାକୋଳି ଦାସ ତୁରନ୍ତ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦେଇ ଦେଇଥିଲେ। କିଛି ସମୟ ମଦ୍ୟରେ କାକୋଳିଙ୍କ ବ୍ୟାଙ୍କ ଖାତାରୁ ୧ କୋଟି ୪୮ ଲକ୍ଷ ଟଙ୍କା କଟି ଯାଇଥିଲା।

ଏହାପରେ ପୁଲିସ୍‌ ୟୁନିଫର୍ମରେ ଥିବା ଜଣେ ବ୍ୟକ୍ତି କାକୋଳିଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଭିଡିଓ କଲ୍‌ କରି ନିଜକୁ କ୍ରାଇମବ୍ରାଞ୍ଚ ଡିସିପି ବୋଲି କହିଥିଲେ। ଏଥିସହ ୩ ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କିମ୍ବା କାହାକୁ କିଛି ନ କହିବାକୁ କହିଥିଲେ। ଚତୁର୍ଥ ଦିନ ଠକେଇର ଶିକାର ହୋଇଥିବା ଜାଣିପାରି ବୃଦ୍ଧାଜଣକ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

ପ୍ରୟାଗରାଜ ସାଇବର ସେଲ୍‌ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଯେଉଁ ୪ ଆକାଉଣ୍ଟକୁ ବୃଦ୍ଧାଙ୍କ ଟଙ୍କା ଟ୍ରାନ୍ସଫର ହୋଇଥିଲା ସେମାନଙ୍କୁ ଗିରଫ କରିଛି।

ପୁଲିସ୍‌ର ପଚରାଉଚରେ ପରେ ଅଭିଯୁକ୍ତମାନେ କହିଛନ୍ତି,ସେମାନେ ହ୍ୱାଟସ୍‌ ଆପ୍‌ ଓ ଟେଲିଗ୍ରାମରେ ଲୋକଙ୍କ ପାଖକୁ APK ଫାଇଲ ପଠାଇଥାନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍‌ କରି ବିଭିନ୍ନ କଥାରେ ଫସାଇ ଉକ୍ତ ଫାଇଲକୁ ଡାଉନଲୋଡ଼ କରାଇଥାନ୍ତି। ଏହାପରେ ଅପରପକ୍ଷଙ୍କ ଫୋନ୍‌ର ରିମୋଟ ଆସେସ କରି ତାଙ୍କୁ ଶିକାର କରିଥାନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇ ଥାଆନ୍ତି। ଏହାପରେ ତାହାକୁ ଭିନ୍ନ ଭିନ୍ନ ଜାଗାରୁ ବାହାର କରି ଭାଗ କରି ନେଇ ଥାଆନ୍ତି। ପୁଲିସ୍‌ ଏହି ଘଟଣାର ଅଧିକ ଯାଞ୍ଚ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

Uttar Pradesh Cyber Fraud Cyber Loot