Advertisment

ମାଡିଆସୁଛି ‘ମିଗଜୋମ’; ଜଳମଗ୍ନ ଚେନ୍ନାଇ, ଗଲାଣି ୮ ଜଣଙ୍କ ଜୀବନ

ବାତ୍ୟା ‘ମିଗଜୋମ’ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଖପାଖ ରାଜ୍ୟରେ ବର୍ଷା ହେଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ମାଡିଆସୁଛି ବାତ୍ୟା ‘ମିଗଜୋମ’। ସମୁଦ୍ରରେ ଭୀଷଣ ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ମୁହାଁଉଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ପବନର ବେଗ ବଢିବା ସହ ଅବିଶ୍ରାନ୍ତ ବର୍ଷା ହେଉଛି। ରାଜଧାନୀ ଚେନ୍ନାଇରେ ସ୍ଥିତି ଅସମ୍ଭାଳ। ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

Advertisment

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ‘ମିଗଜୋମ’ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଖପାଖ ରାଜ୍ୟରେ ବର୍ଷା ହେଉଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳକୁ 1-1.5 ମିଟରର ଜୁଆର ଆସିବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ସର୍ବାଧିକ 90-100 କିଲୋମିଟର ବେଗରେ ପବନ ବୋହିପାରେ। ସମୟ ସମୟରେ ଝଟକା ପବନର ବେଗ 110 କିଲୋମିଟର ମଧ୍ୟ ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ତିରୁପତି, ନେଲୋର, ପ୍ରକାଶମ, ବାପତଲା, କୃଷ୍ଣ, ପଶ୍ଚିମ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି, ସେଠାରେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଆଗୁଆ ସଚେତନ ହୋଇଛନ୍ତି।

Advertisment

ବାତ୍ୟା ପ୍ରାଭାବିତ ହେବାକୁ ଥିବା ଅଞ୍ଚଳଗୁଡିକୁ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ରାଜ୍ୟରେ 300ରୁ ଅଧିକ ରିଲିଫ୍ କ୍ୟାମ୍ପର ଆୟୋଜନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିଶ୍ଚିତ କରିଛନ୍ତି। 

ବାତ୍ୟା ପ୍ରଭାବରେ ଓଡ଼ିଶା ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

IMD Cyclone Michaung Cyclone Alert Michaung Landfall Area