Advertisment

୪ ମାସରେ ସର୍ବାଧିକ, ରେକର୍ଡ କଲା କରୋନାର ଦୈନିକ ସଂକ୍ରମଣ

ବର୍ତ୍ତମାନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକା ଓ ଗୁଜରାଟରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଦେଶର ଦୈନିକ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମାସକ ମଧ୍ୟରେ ୬ ଗୁଣୁ ବଢ଼ିଛି।

author-image
Hemant Lenka
corona

corona

ଏଚ୩ଏନ୨ ଭାଇରସର ଭୟ ମଧ୍ୟରେ ପୁଣିଥରେ ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିବାର ସଙ୍କେତ ମିଳିଛି। କାରଣ ୪ ମାସ ମଧ୍ୟରେ ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ନୂଆ ରେକର୍ଡ କରିଛି। ୪ ମାସ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୮୦୦ ପାର କରିଛି।

Advertisment

୨୪ ଘଣ୍ଟା ମଧ୍ୟରେ ୮୪୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାର ପାର କରିଛି। ଏବେ ୫,୩୮୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୬,୯୪,୩୪୯ ଛୁଇଁଛି। ବିଗିତ କିଛି ମାସ ହେଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୮୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରଖଣ୍ଡ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ସଂକ୍ରମିତ ଆଖି ବୁଝିଛନ୍ତି। ସେହିପରି କେରଳରେ ପୂର୍ବରୁ ପ୍ରାଣ ହରାଇଥିବା ୨ ଜଣଙ୍କୁ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇଛି।

Advertisment

ବର୍ତ୍ତମାନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକା ଓ ଗୁଜରାଟରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଦେଶର ଦୈନିକ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମାସକ ମଧ୍ୟରେ ୬ ଗୁଣୁ ବଢ଼ିଛି। ଫେବୃଆରୀ ୧୮ରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ୧୧୨ ଥିବା ବେଳେ ମାର୍ଚ୍ଚ ୧୮ ବେଳକୁ ଏହା ୬୨୬ରେ ପହଞ୍ଚିଛି।

ମନ୍ତ୍ରଣାଳୟ କହିଛି ଯେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ମାମଲାର ୦.୦୧%। ସେହିପରି କରୋନା ଆରୋଗ୍ୟ ହାର ୯୮.୮୦ ରହିଛି। ଏଯାଏ ୪,୪୧,୫୮,୧୬୧ ଜଣ କରୋନାକୁ ମାତ ଦେଇଥିବା ବେଳେ ମୃତ୍ୟୁହାର ୧.୧୯% ରହିଛି। ୨୨୦.୬୪ ଡୋଜ କରୋନା ଟିକା ଲୋକମାନେ ନେଇଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକା ସରକାରଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଥିଲା। ଏଥିସହ ସଂକ୍ରମଣ ରୋକିବାକୁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠି ଜରିଆରେ ପରାମର୍ଶ ଦିଆଯାଇଥିଲା।

Corona Cases In India India H3N2