/odisha-reporter/media/media_files/2026/01/10/murder-2026-01-10-18-06-19.jpg)
ମହିଳା ଓ ଝିଅ
ଉତ୍ତର ପ୍ରଦେଶର ମୀରଟରେ ଜଣେ ଦଳିତ ମହିଳାଙ୍କୁ ହତ୍ୟା(Murder) କରାଯାଇଥିବା ବେଳେ ତାଙ୍କ ବଢ଼ିଲା ଝିଅଙ୍କୁ କରାଯାଇଛି ଅପହରଣ। ଏହି ଘଟଣା ପଛରେ ଜଣେ ୨୨ ବର୍ଷୀୟ ଯୁବକ ରହିଥିଲେ ହେଁ ଏଯାଏ ପୁଲିସ୍ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଏହାକୁ ନେଇ ମୀରଟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।
ସ୍ଥିତିକୁ ଦେଖି କାପସାଦ ଗାଁରେ ଅତିରିକ୍ତ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଦଳିତ ମହିଳା ଓ ତାଙ୍କ ଝିଅ ସେମାନଙ୍କ କ୍ଷେତକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ପାରସ ସେମାନଙ୍କୁ ଗୋଟିଏ କେନାଲ ନିକଟରେ ଅଟକାଇବା ସହ ଅଭଦ୍ରଙ୍କ ଭଳି ବ୍ୟବହାର କରିଥିଲା। ଏହାକୁ ମହିଳା ଜଣଙ୍କ ବିରୋଧ କରିବାରୁ ପାରସ ତାଙ୍କୁ ଆଖୁ କଟା ଦା’ରେ ଆକ୍ରମଣ କରିଥିଲେ।
ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ପାରସ ତାଙ୍କ ୨୦ ବର୍ଷୀୟ ଝିଅଙ୍କୁ ସେଠାରୁ ବଳ ପୂର୍ବକ ଉଠାଇ ନେଇଥିଲା। ପାରସ ଜଣେ ସ୍ଥାନୀୟ ଡାକ୍ତରଙ୍କ ପାଖରେ କମ୍ପାଉଣ୍ଡର ଭାବେ କାର୍ଯ୍ୟ କରେ। ତେଣୁ ତା’କୁ ଗାଁର ପ୍ରାୟ ସବୁ ଲୋକଙ୍କ ସହ ତା’ର ପରିଚୟ ରହିଛି।
ପାରସର ଆକ୍ରମଣରେ ଲହୁଲୁହାଣ ହୋଇଥିବା ଦଳିତ ମହିଳା ଜଣଙ୍କ ତଳେ ପଡ଼ି ଚିତ୍କାର କରୁଥିଲେ। ତାଙ୍କ ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସି ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି।
ଦଳିତ ମହିଳାଙ୍କ ମୃତ୍ୟୁ ପରେ ଗାଁରେ ବଡ଼ଧରଣର ବିକ୍ଷୋଭ ଦେଖିବାକୁ ମିଳିଛି। ବିଭିନ୍ନ ସମାଜିକ ସଂଗଠନ ଓ ଭୀମ ଆର୍ମି ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି। ଗୁରୁବାର ଦିନ ତମାମ ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଶୁକ୍ରବାର ପରିବାର ପ୍ରଶାସନ ସହ ଆଲୋଚନା କରିବା ପରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି।
ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଚଳାଇଥିବା ବେଆଇନ ନିର୍ମାଣ ଉପରେ ରୋକ ଲଗାଇବା ଓ ତୁରନ୍ତ ଅପହୃତ ଝିଅକୁ ଖୋଜି ଆଣିବାର ଦାବିରେ ପ୍ରଶାସନ ରାଜି ହୋଇଛି।
ପୁଲିସ୍ ଘଟଣାର ତଦନ୍ତ ପାଇଁ ୧୦ଟି ଟିମ ଗଠନ କରିଛି। ସେମାନେ କାଲି ଠାରୁ ତଦନ୍ତ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ରେଡ କରୁଛନ୍ତି। କିନ୍ତୁ ଏଯାଏ ଅଭିଯୁକ୍ତ କିମ୍ବା ଅପହରଣ ହୋଇଥିବା ଝିଅର ପତ୍ତା ମିଳିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
