ନିଜ ଘରେ କଳାକନା ବୁଲାଇଦେଲା ଝିଅ। ଘରୁ ୨୨ ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ହୋଇଗଲା ଫେରାର । ଏପରି କାରନାମାରେ ଚକିତ ବାପା ଥାନାରେ କଲେ ନିଜ ଝିଅ ନାଁରେ ଅଭିଯୋଗ । ଫଳରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତାଙ୍କୁ ବାନ୍ଧିଛି।
ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ମୁମ୍ବାଇରେ ଘଟିଛି। ଅଭିଯୋଗକାରୀ ଦିନେଶ ଦ୍ୱିବେଦୀ ଏକ ଛୋଟ ଦୋକାନ କରିଥିବା ବେଳେ ସେଥିରୁ ପରିବାର ପୋଷନ୍ତି। ପ୍ରାୟ ୬ ବର୍ଷ ତଳେ ସେ ନିଜ ପୁଅ ବିବାହ ପାଇଁ ୨୨ ଲକ୍ଷ ଟଙ୍କା ଓ କିଛି ସୁନା ଗହଣା କିଣିଥିଲେ। ଉକ୍ତ ସୁନାଗହଣାକୁ ରଖିବାକୁ ସେ ନିଜ ଝିଅ ଆରତୀଙ୍କୁ ଦେଇଥିଲେ।
ମାତ୍ର ଇତି ମଧ୍ୟରେ ଆରତୀ ଜଣେ ଯୁବକଙ୍କୁ ଗୁପ୍ତ ବିବାହ କରିଥିବା ବେଳେ ଘରେ କିଛି ଜଣାଇ ନ ଥିଲେ। ଏହାପରେ ମଝିରେ ହଠାତ୍ ଝିଅ ଘରୁ ଗାଏବ ହୋଇଗଲେ। ପରିବାର ଲୋକେ ଖୋଜି ଖୋଜି ବି ତାଙ୍କ ପତ୍ତା ପାଇ ନ ଥିଲେ। ଏହାପରେ ସେମାନେ ଘରେ ସୁନାଗହଣା ଖୋଜିଥିବା ବେଳେ ତାହା ବି ନ ଥିଲା।
ଏନେଇ ଦିନେଶ ଦ୍ୱିବେଦୀ ନିଜ ଝିଅଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ଖୋଳତାଡ଼ କରି ଅଭିଯୁକ୍ତା ଆରତୀଙ୍କୁ ଗିରଫ କରିଛି। ଏହାପରେ ପଚରାଉଚରା କରିବାରୁ ସେ ପୂର୍ବରୁ ବିବାହ କରି ସାରିଥିବା ବେଳେ ଘରୁ ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସ୍ୱୀକାର କରିଥିଲେ। ଘଟଣାର ଖୋଲତାଡ଼ ପରେ ପୁଲିସ୍ ଆରତୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।