Advertisment

ମୋ ଜୀବନକୁ ଉପଭୋଗ କରି ସାରିଛି- ଏମିତି କିଛି ଲେଖି ଝୁଲି ପଡ଼ିଲେ DCPଙ୍କ ଏକମାତ୍ର ପୁଅ

୧୭ ବର୍ଷୀୟ ସାହିଲ ଏଚଏସ୍‌ସି ସହ ସମାନ୍ତରଳ ଭାବେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ତାଙ୍କ ବ୍ୟାଚ୍‌ର ଅନ୍ୟତମ ମେଧାବୀ ଛାତ୍ର ଥିଲେ।

DCP

DCP

Advertisment

ନିଜ ଜୀବନକୁ ଉପଭୋଗ କରି ସାରିଥିବା କଥା କହି ଜଣେ ୧୭ ବର୍ଷୀୟ ପିଲା କରିଛନ୍ତି ଆତ୍ମହତ୍ୟା। ଜୀବନ ହାରିଥିବା ନାବାଳକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ଡେପୁଟି ପୁଲିସ୍‌ କମିଶନର(ମୁଖ୍ୟାଳୟ) ଶିଲବନ୍ତ ନନ୍ଦେନ୍ଦକରଙ୍କ ଏକମାତ୍ର ପୁଅ। ରବିବାର ମଧ୍ୟରାତ୍ର ପରେ ଡିସିପିଙ୍କ ପୁଅ ସାହିଲ ନିଜ ରୁମର ଫ୍ୟାନ ଦ୍ୱାରା ବେକରେ ବେଡ ଶିଟ୍‌ ବାନ୍ଧି ଝୁଲି ପଡ଼ିଛନ୍ତି। ପରିବାର ଲୋକ ସକାଳୁ ଏକଥା ଜାଣିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

Advertisment

୧୭ ବର୍ଷୀୟ ସାହିଲ ଏଚଏସ୍‌ସି ସହ ସମାନ୍ତରଳ ଭାବେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ତାଙ୍କ ବ୍ୟାଚ୍‌ର ଅନ୍ୟତମ ମେଧାବୀ ଛାତ୍ର ଥିଲେ।

ଶୁକ୍ରବାର ପରିବାର ଲୋକଙ୍କ ସହ ଦଶହରା ଉତ୍ସବ ପାଳନ କରିବା ବେଳେ ସେ ବେଶ ଖୁସି ରହିଥିଲେ। ପରିବାର ଲୋକଙ୍କ ସହ ଡିନର କରିବା ବେଳେ ମଜାଳିଆ କଥା ସବୁ ମଧ୍ୟ କହିଥିଲେ। ଏହାକୁ ନେଇ ପୂରା ଘର ହାସ୍ୟରୋଳରେ ଫାଟି ପଡ଼ିଥିଲା। ତେବେ ମଧ୍ୟରାତ୍ରରୁ ଠିକ ପୂର୍ବରୁ ସେ ପରିବାର ଲୋକଙ୍କ ଠାରୁ ଅନୁମତି ନେଇ ନିଜ ବେଡରୁମକୁ ଯାଇଥିଲେ। ପାଠପଢ଼ା ବାକି ଥିବା କହି ସେ ବାପା ମା’ଙ୍କ ପାଖରୁ ଚାଲି ଆସିଥିଲେ।

Advertisment

କିନ୍ତୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ କିଛି କଥା କାଗଜରେ ଉଲ୍ଲେଖ କରିଥିଲେ। ତାଙ୍କ ବେଡ୍‌ ରୁମର ଦର୍ପଣରେ ମରାଯାଇଥିବା କାଗଜରେ ଲେଖାଯାଇଛି ଯେ “ଏହି ଜୀବନକୁ ମୁଁ ବହୁ ଉପଭୋଗ କରି ସାରିଛି। ମୋ ଶରୀରକୁ ବି ଉପଭୋଗ କରିଛି। ମୁଁ ପୁଣି କିଛି ଆରମ୍ଭ କରିବାକୁ ଚାହୁଁଛି। ମୁଁ ଜୀବନରୁ ଓହରି ଯାଉନାହିଁ। କେବଳ କିଛି ଆରମ୍ଭ କରିବାକୁ ଯାଉଛି।”

ଏହାପରେ ସେ ସମ୍ଭବତଃ ରୁମରେ ଲାଗିଥିବା ସିଲିଂ ଫ୍ୟାନ ଦ୍ୱାରା ବେକରେ ବେଡଶିଟ୍‌ ବାନ୍ଧି ଝୁଲି ପଡ଼ିଥିଲେ। ପୁଲିସ୍‌ ସ୍ନେହ ନଗର ଅଞ୍ଚଳରେ ଥିବା ଡିସିପିଙ୍କ ଜିଜ୍ଞାସା ବଙ୍ଗଳାରୁ ସାହିଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଏଥିସହ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ସାହିଲ ଆତ୍ମହତ୍ୟା କଲେ, ତା’ର ଯାଞ୍ଚ ଆରମ୍ଭ ହୋଇଛି।

ରବିବାର ସକାଳ ୬ଟାରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଡିସିପି ନନ୍ଦେନ୍ଦକର ମର୍ଣ୍ଣିଂୱାକରେ ଯିବା ପୂର୍ବରୁ ପୁଅକୁ ଉଠାଇ ଥାଆନ୍ତି। ସବୁଦିନ ଭଳି ରବିବାର ସକାଳେ ସାହିଲଙ୍କ ରୁମ କବାଟ ଖୋଲି ନଥିଲା। ସେ ବାରମ୍ବାର ତାଙ୍କୁ ଡାକିବା ସହ ଫୋନ ମଧ୍ୟ କରିଥିଲେ।

କିଛି ଉତ୍ତର ନ ମିଳିବାରୁ ଡିସିପି ନନ୍ଦେନ୍ଦକର ବ୍ୟସ୍ତ ହୋଇପଡ଼ିଥିଲେ। ସେ ବଙ୍ଗଳା ବାହରକୁ ଆସି ଝରକା ବାଟେ ରୁମ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସାହିଲ ରୁମ ଭିତରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା।

ସେ ଏନେଇ ତୁରନ୍ତ ପୁଲିସ୍‌ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସୂଚିତ କରିଥିଲେ। ଶେଷରେ ରୁମର କବାଟ ଭାଙ୍ଗି ଝୁଲନ୍ତା ମୃତଦେହକୁ ତଳକୁ ଅଣାଯାଇଥିଲା। ତୁରନ୍ତ ତାଙ୍କୁ ଗୋଟିଏ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ସେଠାରେ ଡାକ୍ତର ସାହିଲଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରବିବାର ସନ୍ଧ୍ୟାରେ ହିଁ ପ୍ରତାପନଗର ଶ୍ମଶାନରେ ସାହିଲଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Suicide Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe