sub-inspector
ମୁମ୍ବାଇର ଏକ ଫ୍ଲାଟରୁ ମିଳିଛି ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଗଳିତ ଶବ । ମୃତ ସବ୍-ଇନ୍ସପେକ୍ଟର ଜଣଙ୍କ ହେଉଛନ୍ତି ଶୀତଲ ୟେକଡେ। ପୁଲିସ୍ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇର କୁର୍ଲାର ନେହରୁ ନଗର ଥାନାରେ ୩୦ ବର୍ଷୀୟ ଶୀତଲ ସବ୍-ଇନ୍ସପେକ୍ଟର ଭାବେ କାମ କରୁଥିଲେ। ତେବେ ସେ ପ୍ରାୟ ଦେଢ଼ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ଜଣାପଡ଼ିନି।
ନେହରୁ ନଗରର ଏକ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଏକ ଫ୍ଲାଟରେ ଏକୁଟିଆ ରହୁଥିଲେ ଶୀତଲ। ସେ ପାଖ ପଡ଼ୋଶୀଙ୍କ ସହିତ ବେଶି ମିଶାମିଶି କରୁ ନ ଥିଲେ। ତାଙ୍କ ଫ୍ଲାଟର କବାଟ କିଛି ଦିନ ହେବ ବନ୍ଦ ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶି ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଉକ୍ତ ମୃତଦେହ ପଚି ଗନ୍ଧ ବାହାରୁଥିଲା। ତେଣୁ ପ୍ରାୟ ୪/୫ ଦିନ ପୂର୍ବରୁ ଶୀତଲଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ଅନୁମାନ କରୁଛି। ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳି ନ ଥିବାରୁ ଏହା ଆତ୍ମହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରିନି।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଶୀତଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us