Advertisment

ମାଟି କାଦୁଅ ତଳୁ ଚାଲିଛି ଜୀବନ ଖୋଜା, ବାଧକ ସାଜିଛି ପ୍ରକୃତି

ଏକଦା ଜନବସତି ଥିବା ଅଞ୍ଚଳ ଉପରେ ଏବେ ମାଡ଼ି ଯାଇଛି ୨୦ ଫୁଟ ଉଚ୍ଚର ମାଟି ଓ କାଦୁଅ।

Flood

Flood

Advertisment

ଉତ୍ତରାଖଣ୍ଡ ଉପରେ ସତେ ଯେମିତି କୋପ କରିଛି ପ୍ରକୃତି। ମଙ୍ଗଳବାର ଉତ୍ତରକାଶୀର ଧରାଲି ଗାଁରେ ପ୍ରକୃତି ରଚିଥିଲା ତାଣ୍ଡବ। ବାଦଲ ଫଟା ବର୍ଷା ସାଙ୍ଗକୁ ଧସିଥିଲା ପାହାଡ଼। ‌ଆଖି ପିଛୁଳାକେ ଧରାଲି ଗାଁର ୮୦ ପ୍ରତିଶତ ଅଞ୍ଚଳ ଅଚାନକ ବନ୍ୟାର ସ୍ରୋତରେ ଭାସି ଯାଇଥିଲା। ଏକଦା ଜନବସତି ଥିବା ଅଞ୍ଚଳ ଉପରେ ଏବେ ମାଡ଼ି ଯାଇଛି ୨୦ ଫୁଟ ଉଚ୍ଚର ମାଟି ଓ କାଦୁଅ।

Advertisment

ବର୍ତ୍ତମାନ ସୁଦ୍ଧ ଏହି ଭୟଙ୍କର ବିପର୍ଯ୍ୟୟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ସେନା ଯବାନ ଓ ପର୍ଯ୍ୟଟକଙ୍କ ସମେତ ୬୦ ଜଣଙ୍କ ପତ୍ତା ମିଳୁ ନାହିଁ। ମାଟି କାଦୁଅ ତଳୁ ଜୀବନ ଖୋଜା ଚାଲିଛି। ହେଲେ ପ୍ରକୃତି ଏଥିରେ ଦାଉ ସାଜିଛି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ମଙ୍ଗଳବାର ହସଖୁସିରେ ଫାଟି ପଡ଼ୁଥିବା ଧରାଲି ଗାଁ ଆଜି ଛାରଖାର। କାଲି ଗାଁରେ ଘରଦ୍ୱାର ଥିଲା। ଲୋକବାକ ଥିଲେ। ହେଲେ ଆଜି ସବୁକିଛି ନିଶ୍ଚିହ୍ନ। ୧୦ରୁ ୨୦ ଫୁଟ୍ ମାଟି କାଦୁଅ ଓ ପଥର ତଳେ ସବୁ କିଛି ପୋତି ହୋଇଯାଇଛି। କ୍ଷୀରଗଙ୍ଗା ନଦୀର ଅବବାହିକାରେ ଥିବା ଅଞ୍ଚଳ ପ୍ରଳୟଙ୍କରୀ ପାହାଡ଼ି ବନ୍ୟା ଯୋଗୁ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଧୋଇଯାଇଛି ଗଙ୍ଗୋତ୍ରି ଯିବା ବାଟରେ ପଡ଼ୁଥିବା ହର୍ଷିଲ ଘାଟିର ଧରାଲି ଗାଁ। ଏଥିରେ ଅତି କମରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆର୍ମି କ୍ୟାମ୍ପର ୧୦ରୁ ଅଧିକ ସେନା ଯବାନଙ୍କ ସମେତ ପ୍ରାୟ ୬୦ ଜଣଙ୍କ ପତ୍ତା ମିଳୁନି। ନିଖୋଜଙ୍କ ମଧ୍ୟରେ କେରଳର ୨୮ ଜଣିଆ ପର୍ଯ୍ୟଟକ ଦଳ ବି ଅଛନ୍ତି। ପ୍ରାୟ ୨ଶହ ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ଅନ୍ୟପକ୍ଷରେ ଟିହରି ଗଢ଼ୱାଲରେ ଭୂସ୍ଖଳନ ପରେ ଫସିଯାଇଥିବା ଗାଡ଼ି ଭିତରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି ରେସ୍କ୍ୟୁଟିମ୍ । ସେନା, ଆଇଟିବିପି ଯବାନ, NDRF ଓ SDRF ଟିମ୍ ଉଦ୍ଧାର ଅଭିଯାନରେ ଲାଗିଛନ୍ତି। ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ, ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁଦଳକୁ ପଠାଇଛନ୍ତି କେନ୍ଦ୍ର ସରକାର।

ହେଲେ ରେସ୍କ୍ୟୁ ଟିମ୍ ଆଗରେ ଏବେ ସତେ ଯେମିତି ଛିଡ଼ା ହୋଇଛି ସମସ୍ୟାର ପାହାଡ଼। କ୍ଷତିଗ୍ରସ୍ତ ହୋଇଛି ବିପଦ ବେଳର ଦୁଇ ଦୁଇଟି ଲାଇଫଲାଇନ୍। ଗୋଟିଏ ପଟେ ହର୍ଷିଲରେ ଥିବା ଏକମାତ୍ର ହେଲିପ୍ୟାଡ୍ ବୁଡ଼ି ଯାଇଛି ଅନ୍ୟପଟେ ଗଙ୍ଗୋତ୍ରି ଓ ହର୍ଷିଲକୁ ଯୋଡ଼ୁଥିବା ଏକ ବେଲି ବ୍ରିଜ୍ ବନ୍ୟାରେ ଭାସିଯାଇଛି। ଫଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ଉପୁଜୁଛି।

ଏନଡିଆରଏଫ୍ ଟିମ୍ ଜଙ୍ଗଲ ଓ ପାହାଡ଼ ରାସ୍ତା ହୋଇ ପାଦରେ ଚାଲିଚାଲି ବିଭିନ୍ନ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି। ଏଥିରେ ବର୍ଷା ମଧ୍ୟ ବାଧକ ସାଜିଛି। ଋଷିକେଶ-ଉତ୍ତରକାଶୀ ଜାତୀୟ ରାଜପଥ ସମେତ ସାରା ରାଜ୍ୟରେ ମୋଟ୍ ୧୬୩ଟି ରାସ୍ତା ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛି। କ୍ଷୀରଗଙ୍ଗା ନଦୀର ବନ୍ୟାରେ କଳ୍ପ କେଦାର ମନ୍ଦିର ପୋତି ହୋଇଯାଇଛି। ଏପଟେ ଋଷିକେଶ ପରମାର୍ଥ ନିକେତନରେ ଶିବ ମୂର୍ତ୍ତିକୁ ଛୁଇଁ ବହୁଛି ଗଙ୍ଗାନଦୀର ପ୍ରଖର ସ୍ରୋତ।

ଭୟଙ୍କର ପ୍ରଳୟର ଦିନକ ପରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଧରାଲି ଗାଁକୁ ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛନ୍ତି।

Uttarakhand Flash Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe