ବିସ୍ଫୋରଣ
ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରକ ସହ ଧରା ପଡ଼ିଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ମୁଜାମିଲ ଜେରା ବେଳେ ସାଂଘାତିକ ତଥ୍ୟ ଦେଇଛି। ଲାଲକିଲ୍ଲା ବିସ୍ଫୋରଣ ପୂର୍ବରୁ ସେ ଓ ଆତ୍ମଘାତୀ ହମଲା(Blast In Delhi) କରିଥିବା ଡାକ୍ତର ଉମର ମହମ୍ମଦ ନବି ବଡ଼ଧରଣର ହମଲା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଉଭୟ ଲାଲକିଲ୍ଲାର ଆଖପାଖ ଅଞ୍ଚଳରେ ରେକି କରିଥିଲେ। ସୋମବାର ଲାଲକିଲ୍ଲାରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଉମର ହିଁ ନିଜ ସହ ଗାଡ଼ିକୁ ଉଡ଼ାଣ ଆକ୍ରମଣକୁ କାର୍ଯ୍ୟକାରୀ କରିଛି।
ସୂତ୍ର ଅନୁସାରେ, ଗିରଫ ହୋଇଥିବା ମୁଜାମିଲକୁ ଘନଘନ ଜେରା କରାଯାଉଛି। ତା’ ଫୋନରୁ ଡିଲିଟ ହୋଇ ସାରିଥିବା ତଥ୍ୟକୁ ପୁଲିସ୍ ହାସଲ କରିବାକୁ ସକ୍ଷମ ହୋଇଛି। ଏହି ତଥ୍ୟକୁ ମୁଜାମିଲ ସାମ୍ନାରେ ପୁଲିସ୍ ରଖିବାରୁ ସେ ସତ ଓକାରିବା ଆରମ୍ଭ କରିଛି।
ଜେରା ବେଳେ ମୁଜାମିଲ କହିଛି ଯେ ଆସନ୍ତାବର୍ଷ ଜାନୁଆରୀ ୨୬ରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଲାଲକିଲ୍ଲାର ଆଖପାଖ ଅଞ୍ଚଳକୁ ସେହି ଯୋଜନା ଅନୁସାରେ ରେକି କରାଯାଇଥିଲା। ସେହିପରି ଆସନ୍ତା ବର୍ଷ ଜାନୁଆରୀ ୨୬ରେ ସବୁଠାରୁ ବଡ଼ ହମଲା ପାଇଁ ବିସ୍ଫୋରକ ମଧ୍ୟ ଗଚ୍ଛିତ କରି ରଖାଯାଉଥିଲା ବୋଲି ସେ କହିଛି।
ଏହାବାଦ ଦୀପାବଳିରେ ଦିଲ୍ଲୀ ଓ ଏହାର ଆଖପାଖ କୌଣସି ଭିଡ଼ ସ୍ଥାନରେ ମଧ୍ୟ ଆକ୍ରମଣ ପାଇଁ ସେମାନେ ଯୋଜନା କରିଥିଲେ। କିନ୍ତୁ ଦୀପାବଳିରେ ଆକ୍ରମଣ ଯୋଜନାକୁ ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା ବୋଲି ମୁଜାମିଲ ପୁଲିସ୍କୁ କହିଛି।
ମୁଜାମିଲ ହେଉଛି ଅଲ ଫଲାହ ମେଡିକାଲ କଲେଜର ଜଣେ ବରିଷ୍ଠ ଡାକ୍ତର। ବିସ୍ଫୋରଣର ଦିନକ ପୂର୍ବରୁ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ ଫରିଦାବାଦରେ ଥିବା ମୁଜାମିଲର ୨ଟି ଭଡ଼ା ଘରେ ରେଡ କରିଥିଲା। ଏହି ସମୟରେ ୨୯୦୦ କେଜି ବିସ୍ଫୋରକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିଲା। ଏହାପରେ ପୁଲିସ୍ ମୁଜାମିଲ ଓ ତା’ ସହଯୋଗୀ ମହିଳା ଡାକ୍ତର ଶାହୀନ ସୟିଦକୁ ଗିରଫ କରିଛି।
ମହିଳା ଡାକ୍ତର ସୟିଦକୁ ଜୈଶର ମହିଳା ସଂଗଠନକୁ ଭାରତରେ ପ୍ରତିଷ୍ଠା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହାପୂର୍ବରୁ ଏହି ଟେରର ମଡ୍ୟୁଲରେ ଜମ୍ମୁ-କଶ୍ମୀରର ଡାକ୍ତର ଆଦିଲ ମହମ୍ମଦ ରାଥେରକୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ୩ ଜଣ ଗିରଫ ହେବାରୁ ମୁଜାମିଲର ସହଯୋଗୀ ଉମର ମହମ୍ମଦ ନବି ପୂରା ଭୟଭୀତ ହୋଇଯାଇଥିଲା। ସେ ଭୟରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା।
ଏହି ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି ଯେ ଫରିଦାବାଦ ଟେରର ମଡ୍ୟୁଲରେ ଅଧିକାଂଶ ଡାକ୍ତର ରହିଛନ୍ତି। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରିବା ସହ ସେମାନେ ସମାନ୍ତରଳ ଭାବେ ଆତଙ୍କୀ ନେଟୱର୍କ ମଧ୍ୟ ଚଳାଉଥିଲେ। ନେଟୱର୍କରେ ଥିବା ସଦସ୍ୟମାନେ ପରସ୍ପର ସହ ନିର୍ଦ୍ଦିଷ୍ଟ ଟେଲିଗ୍ରାମ ଗ୍ରୁପରେ ଜଡ଼ିତ ହୋଇ ରହିଥିଲେ।
ସେମାନଙ୍କୁ ଉକ୍ତ ଗ୍ରୁପରେ ସବୁ ପ୍ରକାରର ନିର୍ଦ୍ଦେଶ ଦିଆଯାଇଥିଲା। ସେମାନେ ଏହି ଗ୍ରୁପରେ ହିଁ ପରସ୍ପର ସହ ଯୋଗାଯୋଗ କରୁଥିଲା। ସଂଗଠନ ପାଇଁ ସଦସ୍ୟ ସଂଗ୍ରହ ମଧ୍ୟ ଏହି ଗ୍ରୁପ ଜରିଆରେ ହେଉଥିଲା। ଉଚ୍ଚ ଶିକ୍ଷିତମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଉଥିଲା ବୋଲି ମଧ୍ୟ ଜଣାପଡ଼ିଛି। ଖାସ ଏଥିପାଇଁ ଲାଲକିଲ୍ଲା ବିସ୍ଫୋରଣ ପରେ ଜଣେ ପରେ ଜଣେ ଡାକ୍ତର ଗିରଫ ହୋଇଚାଲିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/12/blast1-2025-11-12-14-21-23.jpg)