Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ

ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ସେଠାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି। ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି।

Advertisment

ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। 

ଗିରଫ ପରେ ତାଙ୍କୁ ଇଡିର ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା। ସେହିପରି ଇଡି ଅଫିସ ବାହାରେ ୧୪୪ ଧାରା ଜାରି କରାଯାଇଥିଲା। ଆପ୍‌ର ନେତା ଓ କର୍ମୀମାନେ ଇଡି ଅଫିସ ଘେରାଉ କରିବାର ଆଶଙ୍କା ଥିବାରୁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। ଇଡିର ସମନ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିବା ସହ ଗିରଫଦାରୀରୁ ସୁରକ୍ଷା ପାଇଁ ନିବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ସୁରକ୍ଷା ଦେଇ ନଥିଲେ।  

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୧୨ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରିଥିଲେ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରଥମେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନିଆଯାଇଥିଲା। 

ଏହାପରେ ଦୁଇ ଘଣ୍ଟା କାଳ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ପ୍ରାୟ ୨ ଘଣ୍ଟାର ଜେରା ପରେ କେଜ୍ରିୱାଲଙ୍କୁ ଇଡି ବାନ୍ଧିଛି। ଇଡି ରେଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚି ଜରୁରୀ ଶୁଣାଣି ପାଇଁ ମଧ୍ୟ ଆବେଦନ କରିଥିଲା। ହେଲେ ସୁପ୍ରିମକୋର୍ଟ ଆସନ୍ତାକାଲି ଆସିବାକୁ କହିଛନ୍ତି। 

ସେହିପରି ଇଡିର ରେଡ ବିରୋଧରେ ଆପର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀମାନେ ବିକ୍ଷୋଭ ଜାରି ରଖିଛନ୍ତି। କେବଳ ଦିଲ୍ଲୀ ନୁହେଁ, ବରଂ ପଞ୍ଜାବ ଓ ହରିଆଣାରେ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇ ଯାଇଛି। କେଜ୍ରିୱାଲଙ୍କ ବାସଭବନ ଆଗରେ ଆପ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି। 

ଏହାପୂର୍ବରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଗିରଫ କରିଥିଲା। ସେହିପରି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଆପ୍‌ ସାଂସଦ ସଞ୍ଜୟ ସିଂହ ସମାନ ଘଟଣାରେ ଗିରଫ ହୋଇ ଜେଲରେ ରହିଛନ୍ତି। 

Arvind Kejriwal AAP