Rekha
ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଅର୍ଥାତ ଜନ ଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆକ୍ରମଣ ଶିକାର ହୋଇଛନ୍ତି। ନିଜର ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିବା ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିବା ସହ ଚୁଟି ଘୋଷାଡ଼ି ଧକ୍କା ଦେଇଛନ୍ତି। ଏଥିଯୋଗୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହିପରି ଘଟଣା ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ୪୧ ବର୍ଷୀୟ ରାଜେଶ ଭାଇ ଖିମଜି ଭାଇ ସକାରିୟା। ତାଙ୍କ ଘର ଗୁଜରାଟର ରାଜକୋଟରେ। ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବାସଭବନରେ ଚାଲିଥିବା ଜନ ଶୁଣାଣିରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ କିଛି କାଗଜପତ୍ର ଦେଖାଇଥିଲେ। ଏତିକି ବେଳେ ସେ ଚିତ୍କାର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ।
ସୂତ୍ର ଅନୁସାରେ, ରାଜେଶଙ୍କର ଜଣେ ସମ୍ପର୍କୀୟ ଜେଲରେ ରହିଛନ୍ତି। ସେ ପିଟିସନ ଧରି ତାଙ୍କୁ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ମାମଲା କୋର୍ଟରେ ଥିବା ବେଳେ ରାଜେଶ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ନିଜ ସମ୍ପର୍କୀୟଙ୍କୁ ଜେଲରୁ ମୁକୁଳାଇବାକୁ ଦାବି କରି ଏପରି କାଣ୍ଡ ଘଟାଇଥିବା କୁହାଯାଉଛି।
ଘଟଣା ପରେ ରାଜକୋଟରେ ରହୁଥିବା ରାଜେଶଙ୍କ ମା’ଙ୍କୁ ଉଠାଇ ନେଇ ଜେରା କରିଛି। ଜେରା ବେଳେ ତାଙ୍କ ପୁଅ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇଥିବା ସେ ଜାଣି ନଥିବା କହିଛନ୍ତି। ତାଙ୍କ କହିବା କଥା ଯେ ବୁଲା କୁକୁର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜେଶ ଦିଲ୍ଲୀ ଯାଇଥିଲେ। ସେ ଜଣେ ପଶୁ ପ୍ରେମୀ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ରାୟରେ ମର୍ମାହତ ହୋଇଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ରାଜେଶ ଏକାକୀ ଦିଲ୍ଲୀ ଯିବାର ନଜିର ରହିଛି।
ଅଭିଯୁକ୍ତ ରାଜେଶଙ୍କ ମା’ କହିଛନ୍ତି, “ସେ ଏମିତି ଜଣେ ପିଲା ଯିଏ କାହାକୁ ମଧ୍ୟ ମାଡ଼ ମାରିବାକୁ ପଛାଏ ନାହିଁ। ସେ ମୋତେ ମଧ୍ୟ ମାଡ଼ ମାରିଥିଲା। ମୁଁ ୧୫ ଦିନ ହେଲା ଅଲଗା ରହୁଥିଲି। ତା’ର ମାନସିକ ରୋଗ ଅଛି। କିନ୍ତୁ ସେ ମେଡିସିନ ଖାଉ ନଥିଲା। ସେ ପଶୁମାନଙ୍କୁ ବେଶ ଭଲ ପାଏ। ନିକଟରେ ବୁଲା କୁକୁରଙ୍କ ନେଇ ରାୟ ଆସିବା ପରେ ସେ ମର୍ମାହତ ହୋଇଥିଲା। ସେ ଘରେ ସମସ୍ତକୁ ମାଡ଼ ମାରୁଥିଲା।”
ପୁଲିସ୍ ତାଙ୍କୁ ଗିରଫ କରିଥିବା ନିଶ୍ଚିତ କରିଛି ଓ ଆକ୍ରମଣର ପ୍ରକୃତ କାରଣ ଜାଣିବାକୁ ଜେରା କରାଯାଉଛି ବୋଲି କହିଛି। ଦିଲ୍ଲୀ ପୁଲିସ୍ ଗୁଜରାଟ ପୁଲିସ ସହ ଯୋଗାଯୋଗ କରି ଅଭିଯୁକ୍ତ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଅଭିଯୁକ୍ତ ଜଣଙ୍କ ପ୍ରଥମେ କିଛି କାଗଜପତ୍ର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଦେଇଥିଲେ। ଏହାପରେ ସେ ଚିତ୍କାର କରି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ନିଜର ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ଲୋକମାନେ ମଧ୍ୟ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ। ଏହାପରେ ଅଧିକାରୀମାନେ ରେଖା ଗୁପ୍ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rekha_1755675939.jpg)