ଆସନ୍ତା ୭ ତାରିଖରେ ପଡ଼ୁଛି ଛଟ ପୂଜା। ପୂର୍ବାଞ୍ଚଳି ଲୋକଙ୍କ ପାଇଁ ଏହି ପୂଜା ବେଶ ଗୁରୁତ୍ୱ ବହନ କରେ। ସେମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରେ ଛୁଟି ଘୋଷଣା କରାଯାଇଛି। ସରକାରଙ୍କ ପକ୍ଷରୁ ନଭେମ୍ବର ୭କୁ ସର୍ବସାଧାରଣ ଛୁଟି ଭାବେ ବିବେଚନା କରାଯାଇଛି। ଏ ସମ୍ପର୍କରେ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଘୋଷଣା କରିଛନ୍ତି।
ସେ କହିଛନ୍ତି, “ମୁଁ ବେଶ ଖୁସିରେ ଆପଣମାନଙ୍କୁ ସୂଚିତ କରିବାକୁ ଚାହେଁ ଯେ ଦିଲ୍ଲୀ ସରକାର ଆସନ୍ତା ୭ ତାରିଖକୁ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛଟ ପୂଜା ପାଇଁ ଏପରି ଛୁଟି ଘୋଷଣା କରାଯାଉଛି। ଏହାଦ୍ୱାରା ସମସ୍ତ ପୂର୍ବାଞ୍ଚଳ ଭାଇ ଓ ଭଉଣୀମାନେ ବେଶ ଆନନ୍ଦର ସହ ଛଟ ପୂଜାକୁ ପାଳନ କରିପାରିବେ।”
ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସରକାର ଛଟ ପୂଜାକୁ ଛୁଟି ଘୋଷଣା କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀର ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୨% ହେଉଛନ୍ତି ପୂର୍ବାଞ୍ଚଳ ସଂପ୍ରଦାୟର। ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ପ୍ରାୟ ଅଧେ ଆସନରେ ସେମାନଙ୍କ ଦବାବଦା ରହିଛି। ବିଶେଷ କରି ବୁରାରୀ, ଲକ୍ଷ୍ମୀ ନଗର ଓ ଦ୍ୱାରକାରେ ପୂର୍ବାଞ୍ଚଳ ଲୋକଙ୍କ ସଂଖ୍ୟା ସର୍ବାଧିକ।
ଦୀପାବଳି ପରେ ସବୁ ବର୍ଷ ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ ଝାରଖଣ୍ଡରେ ୪ ଦିନ ଧରି ବେଶ ଆନନ୍ଦର ସହ ଛଟ ପୂଜା ପାଳନ କରାଯାଏ। ଏହି ଅବସରରେ ମହିଳାମାନେ ୩୬ ଘଣ୍ଟା ଧରି ଉପବାସ କରନ୍ତି। ସେମାନେ ସୂର୍ଯ୍ୟ ଦେବତାଙ୍କୁ ଗହମ, କ୍ଷୀର, ଆଖୁ, କଦଳୀ ଓ ନଡ଼ିଆ ଅର୍ପଣ କରନ୍ତି। ଛଟ ପୂଜା କାର୍ତ୍ତିକ ମାସରେ ପାଳନ ହୋଇଥାଏ। ଏହା ସୂର୍ଯ୍ୟ ଷଷ୍ଠି ଭାବେ ମଧ୍ୟ ପରିଚିତ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।