ନଭେମ୍ବର ୭ରେ ରାଜଧାନୀ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୭ ତାରିଖରେ ପଡ଼ୁଛି ଛଟ ପୂଜା। ପୂର୍ବାଞ୍ଚଳି ଲୋକଙ୍କ ପାଇଁ ଏହି ପୂଜା ବେଶ ଗୁରୁତ୍ୱ ବହନ କରେ। ସେମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରେ ଛୁଟି ଘୋଷଣା କରାଯାଇଛି।

Representational image

  • Published: Friday, 01 November 2024
  • , Updated: 01 November 2024, 08:31 PM IST

ଆସନ୍ତା ୭ ତାରିଖରେ ପଡ଼ୁଛି ଛଟ ପୂଜା। ପୂର୍ବାଞ୍ଚଳି ଲୋକଙ୍କ ପାଇଁ ଏହି ପୂଜା ବେଶ ଗୁରୁତ୍ୱ ବହନ କରେ। ସେମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରେ ଛୁଟି ଘୋଷଣା କରାଯାଇଛି। ସରକାରଙ୍କ ପକ୍ଷରୁ ନଭେମ୍ବର ୭କୁ ସର୍ବସାଧାରଣ ଛୁଟି ଭାବେ ବିବେଚନା କରାଯାଇଛି। ଏ ସମ୍ପର୍କରେ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୁଁ ବେଶ ଖୁସିରେ ଆପଣମାନଙ୍କୁ ସୂଚିତ କରିବାକୁ ଚାହେଁ ଯେ ଦିଲ୍ଲୀ ସରକାର ଆସନ୍ତା ୭ ତାରିଖକୁ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛଟ ପୂଜା ପାଇଁ ଏପରି ଛୁଟି ଘୋଷଣା କରାଯାଉଛି। ଏହାଦ୍ୱାରା ସମସ୍ତ ପୂର୍ବାଞ୍ଚଳ ଭାଇ ଓ ଭଉଣୀମାନେ ବେଶ ଆନନ୍ଦର ସହ ଛଟ ପୂଜାକୁ ପାଳନ କରିପାରିବେ।”

ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସରକାର ଛଟ ପୂଜାକୁ ଛୁଟି ଘୋଷଣା କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀର ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୨% ହେଉଛନ୍ତି ପୂର୍ବାଞ୍ଚଳ ସଂପ୍ରଦାୟର। ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ପ୍ରାୟ ଅଧେ ଆସନରେ ସେମାନଙ୍କ ଦବାବଦା ରହିଛି। ବିଶେଷ କରି ବୁରାରୀ, ଲକ୍ଷ୍ମୀ ନଗର ଓ ଦ୍ୱାରକାରେ ପୂର୍ବାଞ୍ଚଳ ଲୋକଙ୍କ ସଂଖ୍ୟା ସର୍ବାଧିକ।

ଦୀପାବଳି ପରେ ସବୁ ବର୍ଷ ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ ଝାରଖଣ୍ଡରେ ୪ ଦିନ ଧରି ବେଶ ଆନନ୍ଦର ସହ ଛଟ ପୂଜା ପାଳନ କରାଯାଏ। ଏହି ଅବସରରେ ମହିଳାମାନେ ୩୬ ଘଣ୍ଟା ଧରି ଉପବାସ କରନ୍ତି। ସେମାନେ ସୂର୍ଯ୍ୟ ଦେବତାଙ୍କୁ ଗହମ, କ୍ଷୀର, ଆଖୁ, କଦଳୀ ଓ ନଡ଼ିଆ ଅର୍ପଣ କରନ୍ତି। ଛଟ ପୂଜା କାର୍ତ୍ତିକ ମାସରେ ପାଳନ ହୋଇଥାଏ। ଏହା ସୂର୍ଯ୍ୟ ଷଷ୍ଠି ଭାବେ ମଧ୍ୟ ପରିଚିତ।

Related story