Advertisment

ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ

ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।

ଅଦ୍ୟତନ ହୋଇଛି
Court

Court

Advertisment

ଏସିଡ୍‌ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର। ଏମାନଙ୍କ ଠାରୁ ହସ୍ପିଟାଲ ପକ୍ଷରୁ ଚିକିତ୍ସା ଫି' ଆଦାୟ କରିବା ଏକ ଦଣ୍ଡନୀୟ ଅପରାଧ। ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ। ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ। ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

Advertisment

ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା।

ଏହି ମାମଲାର ଶୁଣାଣି ବେଳେ ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।

Advertisment

ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଏବଂ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ହେବ ବୋଲି ଜଷ୍ଟିସ ପ୍ରତିଭା ଏମ୍‌. ସିଂ ଏବଂ ଅମିତ୍‌ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯୌନ ନିର୍ଯାତନା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ମନା କରିବା ଏକ ଅପରାଧ। ସମସ୍ତ ଡାକ୍ତର, ପ୍ରଶାସନ, ଅଧିକାରୀ, ନର୍ସ, ପାରାମେଡିକାଲ୍ କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରାଯିବା ଉଚିତ୍।

ପୀଡ଼ିତାମାନଙ୍କୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ପ୍ରାଥମିକ ଚିକିତ୍ସା, ନିଦାନ, ଲାବରେଟୋରି ପରୀକ୍ଷା, ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର, ଶାରୀରିକ ଓ ମାନସିକ ପରାମର୍ଶ ସେବା, ମନସ୍ତାତ୍ତ୍ୱିକ ସହାୟତା ଏବଂ ପରିବାର କାଉନ୍‌ସେଲିଂ ଆଦି ସମସ୍ତ ଚିକିତ୍ସା ଯୋଗାଇଦେବେ।

ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଦାଲତ କହିଛନ୍ତି ଯେ ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ହସ୍ପିଟାଲରେ ଏକ ବୋର୍ଡ ଲଗାଇବାକୁ ପଡ଼ିବ। ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ।

ଅଦାଲତ କହିଛନ୍ତି ଯେ ଏଭଳି ଅପରାଧରେ ବଞ୍ଚିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଯାଞ୍ଚ କରାଯିବା ଦରକାର ଏବଂ ଆବଶ୍ୟକ ପଡ଼ିଲେ ଏଚ୍‌ଆଇଭି ଭଳି ଯୌନ ସଂକ୍ରମଣ ଜନିତ ରୋଗର ମଧ୍ୟ ଚିକିତ୍ସା ମାଗଣା କରାଯିବା ଉଚିତ। ଏଭଳି ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ପରାମର୍ଶ ପ୍ରଦାନ କରାଯିବ, ଗର୍ଭାବସ୍ଥା ପାଇଁ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଗର୍ଭନିରୋଧକ ପ୍ରଦାନ କରାଯିବ। ଜରୁରିକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମେଡିକାଲ ପ୍ରତିଷ୍ଠାନ ପରିଚୟପତ୍ର ଉପରେ ଜୋର ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି।

Sexual Assault Victims Free Treatment Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe