Advertisment

ଧର୍ମ ନାଁରେ ଭୋଟ୍‌ ମାଗୁଛନ୍ତି ମୋଦି, ଅଯୋଗ୍ୟ ଘୋଷଣା କର: ଦିଲ୍ଲୀ ହାଇକୋର୍ଟରେ ମାମଲା, ୨୯ରେ ଶୁଣାଣି

ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଚିନ ଦତ୍ତା ଏହାର ଶୁଣାଣି କରିଥାଆନ୍ତେ। କିନ୍ତୁ ସେ ୟୁଏପିଏ ଟ୍ରିବ୍ୟୁନାଲରେ ବସିଥିବାରୁ ଆବେଦନର ଶୁଣାଣି ହୋଇପାରି ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ଭୋଟ ମାଗୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତା ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଗୋଟିଏ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଛି। ୬ ବର୍ଷ ପାଇଁ ମୋଦିଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। କୋର୍ଟ ଏହାର ଶୁଣାଣି ଏପ୍ରିଲ ୨୯ ଅର୍ଥାତ ସୋମବାର କରିବେ।

Advertisment

ଆଇନଜୀବୀ ଆନନ୍ଦ ଏସ୍‌ ଜୋନଧାଲେ ଏପରି ଆବେଦନ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଚିନ ଦତ୍ତା ଏହାର ଶୁଣାଣି କରିଥାଆନ୍ତେ। କିନ୍ତୁ ସେ ୟୁଏପିଏ ଟ୍ରିବ୍ୟୁନାଲରେ ବସିଥିବାରୁ ଆବେଦନର ଶୁଣାଣି ହୋଇପାରି ନାହିଁ।

ଆନନ୍ଦ ନିଜ ଆବେଦନରେ କହିଛନ୍ତି ଯେ ମୋଦିଙ୍କୁ ଜନ ପ୍ରତିନିଧି ଆଇନ ଅନୁସାରେ ୬ ବର୍ଷ ପାଇଁ ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ଆଗକୁ ମୋଦି ଯେମତି କୌଣସି ଭଗବାନ କିମ୍ବା ଧର୍ମପୀଠ ନାଁରେ ଭୋଟ ମାଗିବେ ନାହିଁ, ତା’ର ବ୍ୟବସ୍ଥା କରନ୍ତୁ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଗୋଟିଏ ଭାଷଣ ଉପରେ ମଧ୍ୟ ଆବେଦନକାରୀ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ହିନ୍ଦୁ, ଶିଖ କିମ୍ବା ସେମାନଙ୍କ ଧର୍ମପୀଠ ନାଁରେ ଭୋଟ ମାଗୁ ନାହାନ୍ତି, ବରଂ ବିରୋଧୀ ଦଳଗୁଡ଼ିକ ମୁସଲିମ ସଂପ୍ରଦାୟକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଦାବି କରୁଛନ୍ତି।

ଆନନ୍ଦ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ପୂର୍ବରୁ ଅଭିଯୋଗ ଦାଖଲ କରିଥିଲେ। ସେ ନିଜ ଅଭିଯୋଗରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି ଯେ ସେ ରାମ ମନ୍ଦିର ନିର୍ମାଣ କରିଛନ୍ତି, କର୍ତ୍ତାରପୁର ସାହିବ କରିଡରର ବିକାଶ କରିଛନ୍ତି ଓ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥ ସାହିବକୁ ସ୍ୱଦେଶ ଆଣିଛନ୍ତି। ଏହାକୁ ଆଧାର କରି ସେ ଭୋଟ ମାଗୁଛନ୍ତି। ତେଣୁ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା।

ଭାରତ ବିଭିନ୍ନ ସ୍ଥାନକୁ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ବିମାନ ଓ ହେଲିକପ୍ଟରରେ ଗସ୍ତ କରିବା ସହ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ତାଙ୍କ ଭାଷଣ ଧର୍ମ ଓ ଜାତି ମଧ୍ୟରେ ହିଂସା ଓ ଭେଦଭାବ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଚଳିତ ମାସରେ ଆବେଦନକାରୀ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୫୩ ଏ ଅନୁଯାୟୀ ମୋଦିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଇସିଆଇଙ୍କୁ ଅନୁରୋଧ କରିବା ସହ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ କହିଥିଲେ। କିନ୍ତୁ ଏଯାଏ ଇସିଆଇ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିବା ଆବେଦନକାରୀ କହିଛନ୍ତି।

Delhi PM Modi