Advertisment

ବନ୍ଦ ହେବନି ବିଜୁଳି ସବସିଡି, ଆପ୍‌ ସରକାରଙ୍କ ସୁପାରିସକୁ ଅନୁମୋଦନ ଦେଲେ ଉପ ରାଜ୍ୟପାଳ

୨୦୨୩-୨୪ ଆର୍ଥିକ ବର୍ଷରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ପୂର୍ବଭଳି ବିଜୁଳି ସବସିଡି ଦେବାକୁ ନିଷ୍ପତ୍ତି ନେବା ସହ ଉପ ରାଜ୍ୟ ରାଜ୍ୟପାଳ ସକ୍ସେନାଙ୍କ ପାଖକୁ ଫାଇଲ ପଠାଇଥିଲେ।

author-image
Hemant Lenka
Power

Power

ଦିନ ତମାମର ଛକାପଞ୍ଝା ପରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ବିଜୁଳି ସବସିଡି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଅନୁମୋଦନ ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ପୂର୍ବଭଳି ବିଜୁଳି ସବସିଡି ଦେବାକୁ ନିଷ୍ପତ୍ତି ନେବା ସହ ଉପ ରାଜ୍ୟ ରାଜ୍ୟପାଳ ସକ୍ସେନାଙ୍କ ପାଖକୁ ଫାଇଲ ପଠାଇଥିଲେ।

Advertisment

ଆଜି ଡେଡଲାଇନ ସରୁଥିବାରୁ ଅପରାହ୍ନ ସୁଦ୍ଧା ଫାଇଲ ଉପରେ ଉପ ରାଜ୍ୟପାଳ ମୋହର ମାରି ନଥିଲେ। ତେଣୁ ଲୋକମାନଙ୍କୁ ସବସିଡି ଆଉ ମିଳିବ ନାହିଁ ବୋଲି ଦିଲ୍ଲୀର ଶକ୍ତି ମନ୍ତ୍ରୀ ଆତିଶି ଆଶଙ୍କା କରିଥିଲେ। ସେ ସାମ୍ବାଦିକ ସମ୍ମିଳନୀ କରି ସବସିଡି ବନ୍ଦ ହୋଇଯାଇ ପାରେ ବୋଲି କହିବା ସହ ଉପ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ। ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଏହାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଉପ ରାଜ୍ୟପାଳ ସକ୍ସେନା ଫାଇଲ ଉପରେ ମୋହର ମାରିଛନ୍ତି। ଏହାର ଅର୍ଥ ଦିଲ୍ଲୀର ପ୍ରାୟ ୪୬ ଲକ୍ଷ ଉପଭୋକ୍ତା ପୂର୍ବଭଳି ବିଜୁଳି ବିଲ୍‌ ଉପରେ ସବସିଡି ପାଇବେ।

Advertisment

ଦିଲ୍ଲୀର ଆପ୍‌ ସରକାର ୨୦୦ ୟୁନିଟ ଯାଏ ବିଜୁଳି ମାଗଣାରେ ଦେଉଛନ୍ତି। ୨୦୧ରୁ ୪୦୦ ୟୁନିଟ ଖର୍ଚ୍ଚ କରୁଥିବା ଲୋକଙ୍କୁ ସେମାନଙ୍କ ବିଲ ଉପରେ ୫୦%ର ସବସିଡି ମିଳୁଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ସବସିଡି ମିଳିବ।

ଦିଲ୍ଲୀରେ ୫୮ ଲକ୍ଷ ଘରୋଇ ଉପଭୋକ୍ତା ଥିବା ବେଳେ ୪୬ ଲକ୍ଷ ଲୋକ ସବସିଡି ପାଇଁ ଆବେଦନ କରିଛନ୍ତି। ୨୦୨୩-୨୪ ବର୍ଷ ପାଇଁ ଆପ୍‌ ସରକାର ବିଜୁଳି ସବସିଡି ପାଇଁ ୩,୨୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Delhi Arvind Kejriwal AAP