Advertisment

ବିଜେପି କାଉନସିଲରଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ମେୟର

ଆଶୁ ଠାକୁରଙ୍କୁ ମଧ୍ୟ ଜଣେ ବିଜେପି କାଉନସିଲର ମାଡ଼ ମାରିଥିବା ଶେଲୀ ଓବରୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେହିପରି ସେ ବିଳମ୍ବିତ ରାତିରେ ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀରେ ଆପ୍‌ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଜାରି ରହିଥିବା ଘମାସାନ ଚରମସୀମାରେ ପହଞ୍ଚିଛି। ଶୁକ୍ରବାର ଏମସିଡିର ସଭାଗୃହରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ଦୁଇ ଦଳର କାଉନସିଲର ପରସ୍ପରକୁ ଆକ୍ରମଣ କରିଛନ୍ତି। ନବ ନିର୍ବାଚିତ ମେୟର ଶେଲୀ ଓବରୟ ବିଜେପି କାଉନସିଲରଙ୍କ ଗୋଟିଏ ଭୋଟକୁ ନାକଚ କରି ଦେବାରୁ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ।

Advertisment

ଏସବୁ ଭିତରେ ମେୟର ଓବରୟଙ୍କୁ ବିଜେପିର କିଛି କାଉନସିଲର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେହିପରି ତାଙ୍କ ସହଯୋଗୀ ଆଶୁ ଠାକୁରଙ୍କୁ ମଧ୍ୟ ଜଣେ ବିଜେପି କାଉନସିଲର ମାଡ଼ ମାରିଥିବା ଶେଲୀ ଓବରୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେହିପରି ସେ ବିଳମ୍ବିତ ରାତିରେ ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଦୁଇ ଦଳର କାଉନସିଲରଙ୍କ ମଧ୍ୟରେ ପାଟିତୁଣ୍ଡ ଜାରି ରହିଥିବାରୁ ଶେଲୀ ଓବରୟ ଏମସିଡି ସଭାଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଷ୍ଟାଣ୍ଡିଂ କମିଟିର ୬ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଆସନ୍ତା ଫେବୃଆରୀ ୨୭ ତାରିଖ ଦିନ ୧୧ଟାରେ ପୁଣି ହେବ ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ।

Advertisment

ଆପ ବିଧାୟକ ଆତିଶି କହିଛନ୍ତି, ଆଶୁ ଠାକୁରଙ୍କୁ ତାଙ୍କ ସ୍କାର୍ଫ ଧରି ଘୋଷଡ଼ା ଯାଇଛି ଓ ତାଙ୍କୁ ଧକ୍କା ମାରି ଡାଏସରୁ ବାହାର କରି ଦିଆଯାଇଛି। ଆମେ ଏନେଇ କମଳା ମାର୍କେଟ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛୁ। ମେୟର ଶେଲୀ ଓବରୟ ଓ ଆମର ଅନ୍ୟ ସହଯୋଗୀମାନଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ମେୟର ଶେଲୀ ଓବରୟ ଗୋଟିଏ ଭୋଟକୁ ନାକଚ କରି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଫଳାଫଳ ଘୋଷଣା କରିବାକୁ ଯାଉଥିଲେ। ଏହି ସମୟରେ ବିଜେପି କାଉନସିଲରମାନେ ତାଙ୍କୁ ବିରୋଧ କରିବା ସହ ତାଙ୍କ ଟେବୁଲ ନିକଟକୁ ଦୌଡ଼ି ଯାଇଥିଲେ। ଜଣେ ବିଜେପି କାଉନସିଲର ତାଙ୍କ ମାଇକକୁ ମଧ୍ୟ ଉପାଡ଼ି ଦେଇଥିଲେ। ଏହି ଘଟଣାକୁ ନେଇ ଆପ୍‌ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା।

ଶେଲୀ କହିଛନ୍ତି, “ମୁଁ ଯେତେବେଳେ ଷ୍ଟାଣ୍ଡିଂ କମିଟି ନିର୍ବାଚନର ଫଳାଫଳ ଘୋଷଣା କରିବାକୁ ଯାଉଥିଲି, ସେମାନେ(ବିଜେପି କାଉନସିଲର) ମୋ ଚେୟାରକୁ ଧକ୍କା ଦେବା ସହ ମୋତେ ଆକ୍ରମଣ କରିଥିଲେ। ବିଜେପି କାଉନସିଲର ରବି ନେଗୀ, ଅର୍ଜୁନ ମାରୱା, ଚନ୍ଦନ ଚୌଧୁରୀ ଓ ଅନ୍ୟମାନେ ମୋତେ ଆକ୍ରମଣ କରିଛନ୍ତି। ଶୁକ୍ରବାର ଭୋଟ ପାଇଁ ବ୍ୟବହୃତ ବାଲୋଟ ପେପରକୁ ମଧ୍ୟ ସେମାନେ ଚିରି ଦେଇଛନ୍ତି। ତେଣୁ ଏପରି ଅନିୟମିତତା ଯୋଗୁ ପୁଣିଥରେ ଷ୍ଟାଣ୍ତିଂ କମିଟିର ୬ଟି ପଦ ପାଇଁ ଭୋଟିଂ ହେବ।”

ଶୁକ୍ରବାର ବିଳମ୍ବିତ ରାତିରେ ମେୟର ଟ୍ୱିଟ କରି ଦିଲ୍ଲୀ ପୁଲିସ୍‌ କମିଶନରଙ୍କ ସହ ଶନିବାର ଦେଖା କରିବାକୁ ଚାହୁଁଥିବା ଅନୁରୋଧ କରିଥିଲେ। ଏହାର ଜବାବରେ ଦିଲ୍ଲୀ ପୁଲିସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଅଭିଯୋଗ ପାଇଛନ୍ତି ଓ ଉପଯୁକ୍ତ ପଦକ୍ଷେପ ସେହି ଅନୁସାରେ ନିଆଯିବ।

Bjp Delhi AAP Mayor