Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଇଫେକ୍ଟ: ବୁଧବାର ଦିଲ୍ଲୀ ମେୟର ନିର୍ବାଚନ

ଅଢ଼େଇ ମାସ ହେଲା ଏମସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏ ମେୟର ପଦ ପୂରଣ ହୋଇପାରିନି।

author-image
Hemant Lenka
MCD

MCD

ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବହୁପ୍ରତିକ୍ଷୀତ ମେୟର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଆସନ୍ତା ବୁଧବାର ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ମେୟର ପଦ ପାଇଁ ଭୋଟିଂ ହେବ। ଫେବୃଆରୀ ୨୨ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ଦେଇଥିଲେ। ଏହାକୁ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନି ନେଇଛନ୍ତି। ବୁଧବାର ଦିନ ୧୧ରେ ଏମସିଡି ସଦନରେ ନବ ନିର୍ବାଚିତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ ଦେବେ।

Advertisment

ଅଢ଼େଇ ମାସ ହେଲା ଏମସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏ ମେୟର ପଦ ପୂରଣ ହୋଇପାରିନି। ଉପ ରାଜ୍ୟପାଳ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଦେଇଥିବାରୁ ଏହାକୁ ଆପ୍‌ ସଦସ୍ୟମାନେ ବିରୋଧ କରିଥିଲେ। ଏଥିପାଇଁ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିଲା।

କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ତୁରନ୍ତ ମେୟର ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଆପ୍‌ର ଏହି ବଡ଼ ବିଜୟ ପରେ ଆଜି ମେୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି।

Advertisment

ମେୟର ନିର୍ବାଚନ ଶେଷ ହେବା ପରେ ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ପାଇଁ ଭୋଟ ହେବ। ବୁଧବାର ହିଁ ସବୁ ପଦଗୁଡ଼ିକର ନିର୍ବାଚନ ଶେଷ ହେବ ବୋଲି ଜଣାପଡ଼ିଛି।

ସଂଖ୍ୟାକୁ ଦେଖିଲେ ଆପ ମେୟର ନିର୍ବାଚନ ଜିତିବ। କିନ୍ତୁ ଏମସିଡିର ଷ୍ଟାଣ୍ଡିଂ କମିଟି ଚୟନ ବେଳେ ରୋଚକ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ୧୮ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିର ୬ଟି ପଦ ପାଇଁ ଭୋଟ ହେବ। ଏଥିରୁ ଆପ୍‌ ୩ଟି ଓ ବିଜେପି ବେଶ ଆରାମରେ ଦୁଇଟି ପଦ ଜିତିବେ। କିନ୍ତୁ ୬ଷ୍ଠ ପଦରେ ଲଢ଼େଇ ହେବ। ଏପରି ସ୍ଥିତିରେ ଯଦି ମନୋନୀତ ସଦସ୍ୟଙ୍କୁ ଭୋଟଦାନର ଅଧିକାର ମିଳିବ, ତା’ହେଲେ ବିଜେପି ଏହି ଆସନକୁ ଜିତିବାକୁ ସକ୍ଷମ ହେବ।

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ରେ ଜିତିଥିବା ବେଳେ ବିଜେପି ୧୦୪ଟିରେ ବାଜିମାତ କରିଛି। ଏହି ନବ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ବିଜେପିର ୭ ଲୋକସଭା ସାଂସଦ, ଆପ୍‌ର ୩ ଜଣ ରାଜ୍ୟସଭା ସଦସ୍ୟ ଓ ଦିଲ୍ଲୀ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେଇପାରିବେ। କଂଗ୍ରେସର ୯ ଜଣ କର୍ପୋରେଟର ଭୋଟ ଦେବେନି ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।

Bjp Delhi Election AAP Mayor