/odisha-reporter/media/media_files/2025/10/30/delhi-2025-10-30-14-03-19.jpg)
ଦିଲ୍ଲୀ ଦଙ୍ଗା (ଫାଇଲ ଫଟୋ)
ବହୁ ଚର୍ଚ୍ଚିତ ୨୦୨୦ ମସିହା ଦିଲ୍ଲୀ(Delhi) ଦଙ୍ଗା ଘଟଣାରେ ପୁଲିସ୍ ପ୍ରସ୍ତୁତ କରିଥିବା ସତ୍ୟପାଠରେ ରହିଛି ସାଂଘାତିକ ତଥ୍ୟ। ଦିଲ୍ଲୀ ଦଙ୍ଗା ପଛର ଷଡ଼ଯନ୍ତ୍ରର ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଉମର ଖାଲିଦ(Umar Khalid), ଶର୍ଜିଲ ଇମାମ, ମୀରାନ ହାଇଦର, ଗୁଲଫିଶ ଫାତିମା ଓ ଅନ୍ୟ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବା ପାଇଁ ଦିଲ୍ଲୀ ପୁଲିସ୍ ଗୋଟିଏ ସତ୍ୟପାଠ ପ୍ରସ୍ତୁତ କରିଛି।
ଏହି ସତ୍ୟପାଠକୁ ପୁଲିସ୍ ସୁପ୍ରିମକୋର୍ଟରେ ଦାଖଲ କରିବ। ଏଥିରେ ପୁଲିସ୍ ଦାବି କରିଛି ଯେ ଦିଲ୍ଲୀ ଦଙ୍ଗା ଗୋଟିଏ ଯୋଜନାବଦ୍ଧ ଶାସନ ପରିବର୍ତ୍ତନ ଅପରେସନର ଅଂଶବିଶେଷ ଥିଲା। ଅର୍ଥାତ ଦେଶର ଛବିକୁ ମଳିନ କରି କ୍ଷମତା ପରିବର୍ତ୍ତନ ପାଇଁ ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରିଥିଲେ। ଦେଶରେ ଶାସନ ପରିବର୍ତ୍ତନ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା।
ପୁଲିସର କହିବା କଥା ଯେ ଦଙ୍ଗା ଆଦୌ ଅଚାନକ ନଥିଲା। ବେଶ ଯୋଜନାବଦ୍ଧ ଭାବେ ଦେଶର ଶାନ୍ତିକୁ ଭଙ୍ଗ କରିବା ଓ ବିଶ୍ୱସ୍ତରରେ ଭାରତର ଛବିକୁ କ୍ଷତି ପହଞ୍ଚାଇବା ପାଇଁ ଏପରି ହିଂସାକାଣ୍ଡ ଘଟା ଯାଇଥିଲା। ୨୦୨୦ ଦଙ୍ଗା ଘଟଣାରେ ଖାଲିଦ ଓ ଅନ୍ୟମାନଙ୍କୁ ପୁଲିସ୍ ୟୁଏପିଏ ବଳରେ ଗିରଫ କରିଛି। ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିବା ପରେ ସମସ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ସେମାନଙ୍କ ଆବେଦନର ଶୁଣାଣି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦିଲ୍ଲୀ ପୁଲିସ୍ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ପୁଲିସ୍ କହିଛି ଯେ ସେମାନେ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି। ଅଭିଯୁକ୍ତମାନେ ଗୋଟିଏ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ ସହ ଜଡ଼ିତ ଥିବା ବିଭିନ୍ନ ଦସ୍ତାବିଜ ଓ ବୈଷୟିକ ପ୍ରମାଣ ମିଳିଛି। ନାଗରିକତା(ସଂଶୋଧନ) ଅଧିନିୟମ(ସିଏଏ) ବିରୋଧରେ ଥିବା ଅସନ୍ତୋଷକୁ ଅସ୍ତ୍ର ଭାବେ ବ୍ୟବହାର କରି ଭାରତର ସଂପ୍ରଭୃତା ଓ ଅଖଣ୍ଡତା ଉପରେ ଶକ୍ତ ପ୍ରହାର କରିବା ପାଇଁ ଏହି ହିଂସାକାଣ୍ଡ ବା ଅଶାନ୍ତିକୁ ସୃଷ୍ଟି କରାଯାଇଥିବା ପୁଲିସ୍ କହିଛି।
ସ୍ୱତଃସ୍ଫୁତ ଆନ୍ଦୋଳନ ନଥିଲା
ଦିଲ୍ଲୀ ପୁଲିସ୍ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦୨୦ ଗସ୍ତ ସମୟରେ ଏପରି ହିଂସାକାଣ୍ଡ ଘଟା ଯାଇଥିଲେ। ପୂରା ଘଟଣା ପ୍ରତି ବିଶ୍ୱର ଧ୍ୟାନ ଆକର୍ଷଣ କରିବା ଓ ଦେଶର ଛବିକୁ ଖରାପ କରିବା ପାଇଁ ହିଂସାକାଣ୍ଡ ହୋଇଥିଲା। ସିଏଏ ପ୍ରସଙ୍ଗକୁ ଜାଣିଶୁଣି ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାଁରେ କଟୋରପନ୍ଥୀମାନେ ହାଇଜ୍ୟାକ କରିଥିଲେ ବୋଲି ପୁଲିସ୍ କହିଛି।
ଦିଲ୍ଲୀ ପୁଲିସ୍ ଆହୁରି ଅଭିଯୋଗ କରିଛି ଯେ ଉମର ଖାଲିଦ, ଶର୍ଜିଲ ଇମାମ, ମୀରାନ ହାଇଦର ଓ ଗୁଲଫିଶ ଫାତିମା ବେଶ ବ୍ୟବସ୍ଥିତ ଢଙ୍ଗରେ ଅତିରଞ୍ଜିତ ଆବେଦନ ଦ୍ୱାରା ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରି ଚାଲିଛନ୍ତି। ସେମାନେ କୌଣସି ପ୍ରକାରର ସହଯୋଗ କରୁ ନାହାନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଲାଗୁ ହୋଇଛି।
ଏପରି ଟେରର ଲିଙ୍କ ଅପରାଧ ପାଇଁ ଜେଲ, ବେଲ ନୁହେଁ ନିୟମ ଲାଗୁ ହୋଇଥାଏ। ପ୍ରାଥମିକ ତଦନ୍ତରୁ ପୂରା ଘଟଣାରେ ଅଭିଯୁକ୍ତଙ୍କ ଭୂମିକା ହିଂସାକାଣ୍ଡରେ ରହିଥିବା ସ୍ପଶ୍ଟ ହୋଇଛି। ଏପରି ସ୍ଥିତିରେ ଶୁଣାଣି ବିଳମ୍ବ ଆଳରେ ସେମାନଙ୍କୁ ରିଲିଜ କରାଯାଇ ପାରିବ ନାହିଁ।
ସାକ୍ଷୀଙ୍କ ତାଲିକା ଉପରେ ଅଭିଯୁକ୍ତମାନେ ପ୍ରଶ୍ନ ଉଠାଥିବା ବେଳେ ଏହାକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ୍। ମାତ୍ର ୧୦୦ରୁ ୧୫୦ ଜଣ ସାକ୍ଷୀଙ୍କ ବୟାନ ରହିଛି ଓ ଯଦି ଅଭିଯୁକ୍ତମାନେ ସହଯୋଗ କରିବେ, ତା’ହେଲେ ଶୁଶାଣି ବେଶ ସହଜରେ ଶେଷ ହେବ।
ଦିଲ୍ଲୀ ହିଂସାକାଣ୍ଡରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାଧାରଣ ସମ୍ପତ୍ତି ବ୍ୟାପକ ଭାବେ କ୍ଷତି ହୋଇଥିଲା। ଘଟଣାକୁ ନେଇ କେବଳ ଦିଲ୍ଲୀରେ ୭୫୦ଟି ଏଫଆଇଆର ରୁଜୁ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
