ସ୍କୁଲ ଓ ହସ୍ପିଟାଲ ପରେ ତିହାର ଜେଲ୍‌କୁ ମିଳିଲା ବୋମା ବିସ୍ଫୋରଣ ଧମକ

ଦିଲ୍ଲୀର ସ୍କୁଲ, ହସ୍ପିଟାଲ ଓ ଏୟାରପୋର୍ଟକୁ ଯେଉଁ ଭଳି ଇ-ମେଲ ଯୋଗେ ବୋମା ଧମକ ମିଳିଥିଲା, ଠିକ ସେହିଭଳି ମେଲ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଛି।

ତିହାର ଜେଲ୍‌ (ଫାଇଲ ଫଟୋ)

  • Published: Tuesday, 14 May 2024
  • , Updated: 14 May 2024, 06:34 PM IST

ଦେଶର ରାଜଧାନୀରେ ଥିବା ତିହାର ଜେଲକୁ ମିଳିଛି ବୋମା ବିସ୍ଫୋରଣ ଧମକ। ଦିଲ୍ଲୀର ସ୍କୁଲ, ହସ୍ପିଟାଲ ଓ ଏୟାରପୋର୍ଟକୁ ଯେଉଁ ଭଳି ଇ-ମେଲ ଯୋଗେ ବୋମା ଧମକ ମିଳିଥିଲା, ଠିକ ସେହିଭଳି ମେଲ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଛି।

ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ତିହାର ଜେଲ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ଦିଲ୍ଲୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଟିମ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ ଆରମ୍ଭ କରିଥିଲେ। କିନ୍ତୁ ଏଯାଏ କୌଣସି ପ୍ରକାରର ବିସ୍ଫୋରକ ଏଠାରୁ ମିଳିନାହିଁ। ତିହାର ଜେଲରେ ଏବେ ଅନେକ ବଡ଼ବଡ଼ ଅପରାଧୀ ଓ ରାଜନେତାମାନେ ରହିଛନ୍ତି।

ତିହାର ଜେଲ ପୂର୍ବରୁ ଦିଲ୍ଲୀରେ ଥିବା ୪ଟି ବଡ଼ ଡସ୍ପିଟାଲକୁ ମଧ୍ୟ ବୋମା ଧମକ ମିଳିଥିଲା। ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୱର ହସ୍ପିଟାଲ ଓ ଦୀପ ଚନ୍ଦ୍ର ବନ୍ଧୁ ହସ୍ପିଟାଲକୁ ଧମକପୂର୍ଣ୍ଣ ମେଲ ଆସିଥିଲା।

ଏହାପରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ, ବୋମା ଠାବକାରୀ ଟିମ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ୍‌ ହସ୍ପିଟାଲକୁ ଯାଇ ଯାଞ୍ଚ କରିଥିଲେ। କିନ୍ତୁ କୌଣସି ବୋମା ମିଳି ନଥିଲା।

Related story