Advertisment

EVMକୁ ଦୋଷ, ଶପଥ ସମାରୋହକୁ ବୟକଟ୍‌ କଲା ଏମ୍‌ଭିଏ

ମହାବିକାଶ ଅଘାଡି ମେଣ୍ଟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବା ପରେ ଇଭିଏମ୍ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

author-image
Madhupriya Mistry
MVA

MVA

ଆମେ ଲୋକଙ୍କ ପାଖକୁ ଯାଇଛୁ। ଲୋକଙ୍କର ଆମ ପ୍ରତି ସମର୍ଥନ ରହିଛି। ହେଲେ ଇଭିଏମ୍ ମେସିନ୍ ଆମକୁ ବିଧାନସଭା ନିର୍ବାଚନରେ ହରାଇଦେଲା। ଏପରି କହି ମହାରାଷ୍ଟ୍ରର ବିରୋଧୀ ଦଳ ମହାବିକାଶ ଅଘାଡ଼ି (ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, କଂଗ୍ରେସ ଏବଂ ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପି)ର ବିଧାୟକମାନେ ଆଜି ଶପଥ ସମାରୋହକୁ ବୟକଟ୍‌ କରିଛନ୍ତି।

Advertisment

ଦୁଇ ଦିନ ତଳେ ମହାୟୁତି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ୱାର ଶପଥ ନେଇଥିଲେ। ଏହାପରେ ଆଜି ସମସ୍ତ ବିଧାୟକମାନଙ୍କୁ ପ୍ରୋଟେମ୍ ସ୍ପିକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥାନ୍ତେ। ହେଲେ ଇଭିଏମକୁ ପ୍ରସଙ୍ଗ କରି ବୟକଟ୍‌ ନାରା ଦେଇଛି ମହା ବିକାଶ ଅଘାଡ଼ି।

ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ନିକଟରେ ହୋଇଥିବା ନିର୍ବାଚନରେ ଇଭିଏମର ଅପବ୍ୟବହାର ହୋଇଛି। ଏହାର ପ୍ରତିବାଦରେ ମହାବିକାଶ ଆଘାଡି (ଏମଭିଏ) ମେଣ୍ଟର ବିଧାୟକମାନେ ନବନିର୍ବାଚିତ ମହାରାଷ୍ଟ୍ର ବିଧାନସଭାର ଶପଥ ଗ୍ରହଣ ସମାରୋହକୁ ବର୍ଜନ କରିବେ।

Advertisment

ଇଭିଏମ ବ୍ୟବହାର କରି ଗଣତନ୍ତ୍ରକୁ ହତ୍ୟା କରାଯାଉଥିବାରୁ ଆମେ ଆଜି ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛୁ। ଏହା (ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ) ଜନସାଧାରଣଙ୍କ ଜନାଦେଶ ନୁହେଁ, ଏହା ଇଭିଏମ୍ ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ଜନାଦେଶ ବୋଲି ଠାକରେ କହିଛନ୍ତି।

ଆଜିଠୁ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଗୃହ ଆରମ୍ଭ ହେବାର କିଛି ସମୟ ପରେ ପ୍ରୋଟେମ୍ ବାଚସ୍ପତି କାଳିଦାସ କୋଲାମ୍ବକର ଶପଥ ପାଠ କରାଉଛନ୍ତି। ତେବେ ପ୍ରଥମ ଦିନରେ ବିରୋଧୀ ବିଧାୟକମାନେ ଶପଥ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ତେବେ ଏହି ଅଧିବେଶନରେ ବାକି ୨୮୭ ନବନିର୍ବାଚିତ ବିଧାୟକଙ୍କୁ କୋଲାମ୍ବକର ଶପଥ ପାଠ କରାଇବେ। ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟର ଅନ୍ତିମ ଦିନ ସୋମବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ନଭେମ୍ବର ୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ଶିବସେନା ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଗଠିତ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୨୩୦ଟି ଆସନ ସହ କ୍ଷମତାକୁ ଫେରିଛି।

ଶିବସେନା (ୟୁବିଟି), କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀକୁ ନେଇ ଗଠିତ ଏମଭିଏ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବା ପରେ ଇଭିଏମ୍ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

ଫଳାଫଳ ପରେ ବିରୋଧୀ ମେଣ୍ଟର ଅନେକ ପରାଜିତ ପ୍ରାର୍ଥୀ ଇଭିଏମ୍ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ବିଜେପି ନେତୃତ୍ୱାଧୀନ ମହାୟୁତି ଇଭିଏମ୍‌ରେ ହେରଫେର କରି ଜନାଦେଶ ଚୋରି କରିଥିବା ଏମଭିଏର ଶୀର୍ଷ ନେତାମାନେ ଅଭିଯୋଗ କରିଛନ୍ତି।

Maharashtra Politics MVA Aaditya Thackeray Maharashtra Oath Ceremony