Advertisment

ବରିଷ୍ଠ ପୁଲିସ ଅଫିସରଙ୍କ ଉପରେ ଖୁବ୍ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ଶିବକୁମାର, ଦେଲେ କଡ଼ା ଚେତାବନୀ

ବିଜେପି ଶାସନ ସମୟର ଘଟଣାଗୁଡ଼ିକୁ ମନେ ପକାଇ ପୁଲିସ ଉପରେ ବର୍ଷିଲେ ଶିବକୁମାର।

author-image
Jitendra Garnayak
Karnataka

Karnataka

କର୍ଣ୍ଣାଟକାରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ହୋଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଉପସ୍ଥିତ ଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଭିନ୍ନ ପ୍ରସଙ୍ଗ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଉ ପୁଲିସ ଅଧିକାରୀମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଥିଲେ।

Advertisment

ବିଜେପି ଶାସନ ସମୟରେ ରାଜ୍ୟରେ ଘଟିଥିବା କିଛି ଘଟଣାର ଉଦାହରଣ ଦେଇ ଡିକେ ଶିବକୁମାର ଉପସ୍ଥିତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଥିଲେ, ଆପଣମାନେ ପୁଲିସ ବିଭାଗର ଗୈରିକିକରଣ କରିବାକୁ ଚାହୁଁଛନ୍ତି କି? ଆମ ସରକାର ତାହା କରିବାକୁ ଦେବ ନାହିଁ। ମୁଁ ଜାଣିଛି, ଆପଣମାନେ କିଭଳି ମାଙ୍ଗାଲୋର, ବିଜାପୁର ଓ ବାଗଲକୋଟରେ ଗେରୁଆ ବସ୍ତ୍ର ପିନ୍ଧି ପୁଲିସ ବିଭାଗକୁ ଅପମାନିତ କରିଥିଲେ। ଯଦି ଆପଣମାନଙ୍କର ଦେଶ ପ୍ରତି ସମ୍ମାନ ଥାଏ, ତା’ହେଲେ ତ୍ରିରଙ୍ଗା ପତାକା ସହିତ ରହି କାମ କରନ୍ତୁ।

ରାଜ୍ୟରେ ପୁଲିସ୍ ସବ୍-ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି କଥା ଉଠାଇ ଶିବକୁମାର କହିଥିଲେ ଯେ ପୁଲିସ ବିଭାଗ କେତେ ଖରାପ, ତାହା ଏଥିରୁ ପ୍ରମାଣିତ ହେଉଛି।

Advertisment

ଏମିତିକି ଏହି ପ୍ରସଙ୍ଗ ଉଠାଇ ଥିବାରୁ ପ୍ରିୟଙ୍କ ଖଡ଼ଗେ (ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି)ଙ୍କୁ ସେତେବେଳେ ପୁଲିସ କିପରି ଦୁର୍ବ୍ୟବହାର କରିଥିଲା, ତାହା କହିବାକୁ ଭୁଲି ନଥିଲେ ଶିବକୁମାର। ସେ କହିଥିଲେ, କର୍ଣ୍ଣାଟକା ପୁଲିସର ସାରା ଦେଶରେ ଭଲ ନାଁ ଥିଲା। କିନ୍ତୁ ଆପଣମାନେ ସେହି ସମ୍ମାନ ଓ ଗୌରବକୁ ନଷ୍ଟ କରି ଦେଇଛନ୍ତି। ଏବେ ଯେଉଁଠି ଦେଖିବ ଖାଲି ଦୁର୍ନୀତି।

ସେ ଆହୁରି କହିଥିଲେ, ଅତୀତରେ PayCM ଅଭିଯାନ ବେଳେ ଆପଣମାନେ ମୋ ସହିତ, ସିଦ୍ଦରମୈୟାଙ୍କ ସହିତ ଓ କଂଗ୍ରେସର ଅନ୍ୟ ନେତା ଏବଂ କର୍ମୀଙ୍କ ସହିତ ଯେଉଁଭଳି ବ୍ୟବହାର କରିଥିଲେ, ତାହା ମୋର ମନେ ଅଛି। ଆମ ବିରୋଧରେ ମାମଲା ରୁଜୁ କରାଯାଇଛି। ଆମ କର୍ମୀମାନଙ୍କ ନାଁରେ ହଜାର ହଜାର ମିଛ ମାମଲା କରାଯାଇଛି।

ପୁଲିସ ଅଧିକାରୀମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ ଶିବକୁମାର ଚେତାବନୀ ଦେଇ କହିଥିଲେ, ଲୋକେ ଏହି ସରକାରଙ୍କ ଠାରୁ ଏକ ବଡ଼ ପରିବର୍ତ୍ତନ ଆଶା କରୁଛନ୍ତି। ଏହା ପୁଲିସ ବିଭାଗରୁ ଆରମ୍ଭ ହେବା ଉଚିତ। ଏହି ସରକାରଙ୍କ ପରିବର୍ତ୍ତନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବା ଉଚିତ। ଆପଣମାନଙ୍କର ଅତୀତର ବ୍ୟବହାର ଆମ ସରକାରରେ ଚଳିବ ନାହିଁ। ଆପଣମାନଙ୍କୁ ବଦଳିବାକୁ ପଡ଼ିବ। ଆପଣମାନଙ୍କ ବ୍ୟକ୍ତିତ୍ୱ ଓ ବ୍ୟବହାରରେ ପରିବର୍ତ୍ତନ ହେବା ଆବଶ୍ୟକ।

ବୈଠକରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କଲା ବେଳେ ଧର୍ମ ଆଧାରରେ ଯେପରି କାହା ସହିତ ପାତରଅନ୍ତର କରାନଯାଏ, ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ଯଦି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ସୋଶାଲ ମିଡିଆରେ ଘୃଣାର ବାର୍ତ୍ତା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Congress Karnataka Police DK Shivakumar