Advertisment

ଡେରା ସଚା ସୌଦାର ମୁଖ୍ୟକୁ ‘ସୁପ୍ରିମ’ ନୋଟିସ

ପଞ୍ଚକୁଲରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୨୧ରେ ଗୁରମିତ, ଅବତାର ସିଂହ, କୃଷ୍ଣ ଲାଲ, ଯଶବୀର ସିଂହ ଓ ସାବଦିଲ ସିଂହକୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ।

Gurmet singh

Gurmet singh

Advertisment

ଆତ୍ମଘୋଷିତ ବାବା ତଥା ଡେରା ସଚା ସୌଦାର ମୁଖ୍ୟ ଗୁରମିତ ସିଂହ ଓ ଅନ୍ୟ ୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଡେରା ସଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟାକାଣ୍ଡ ଘଟଣାରେ ଏପରି ନୋଟିସ କରାଯାଇଛି। ୨୦୦୨ ମସିହାରେ ରଣଜିତଙ୍କୁ ହତ୍ୟା କରାଯାଇଥିଲା।

Advertisment

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ହତ୍ୟାକାଣ୍ଡ ଘଟଣାରେ ଗୁରମିତକୁ ଦୋଷମୁକ୍ତ କରିଥିଲେ। ହେଲେ ଏହାକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଆଜି ଗୁରମିତ ଓ ଅନ୍ୟ ୪ ଜଣଙ୍କୁ ନୋଟିସ କରିଛନ୍ତି।

ଦେଶର ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲା ଜଷ୍ଟିସ ବେଲା ଏମ ତ୍ରିବେଦଙ୍କ ନେତୃତ୍ୱାଧୀନ ବେଞ୍ଚ ଶୁଣାଣି କରୁଛନ୍ତି। ଏବେ ଏହି ଆବେଦନକୁ ମଧ୍ୟ ଜଷ୍ଟିସ ତ୍ରିବେଦଙ୍କ ଖଣ୍ଡପୀଠ ନିକଟରେ ଶୁଣାଣି ପାଇଁ ଲିଷ୍ଟିଂ କରାଯିବ।

Advertisment

୨୦୦୨ ମସିହା ଜୁଲାଇ ୧୦ରେ ରଣଜିତ ସିଂହଙ୍କୁ ହରିୟାଣାର କୁରୁକ୍ଷେତ୍ରରେ ଗୁଳି କରି ହତ୍ୟା କରାଯାଇଥିଲା। ସର୍ସାରେ ଥିବା ଗୁରମିତର ଡେରା ମୁଖ୍ୟାଳୟରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ତଥ୍ୟ ପ୍ରଘଟ ପଛରେ ରଣଜିତ ରହିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ତାଙ୍କୁ ଗୁରମିତ ଲୋକ ପଠାଇ ହତ୍ୟା କରିଥିବା କୁହାଯାଉଛି।

ପଞ୍ଚକୁଲରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୨୧ରେ ଗୁରମିତ, ଅବତାର ସିଂହ, କୃଷ୍ଣ ଲାଲ, ଯଶବୀର ସିଂହ ଓ ସାବଦିଲ ସିଂହକୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସମସ୍ତଙ୍କୁ ଆଜୀବନ ଜେଲଦଣ୍ଡ ସହ ଗୁରମିତ ଉପରେ ୩୧ ଲକ୍ଷ, ସାବଦିଲ ଉପରେ ୧.୫ ଲକ୍ଷ, ଯଶବୀର ଓ କୃଷ୍ଣ ଲାଲ ଉପରେ ୧.୨୫ ଲକ୍ଷ ଓ ଅବତାର ସିଂହ ଉପରେ ୭୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଥିଲେ।

୨୦୨୪ ମେ’ ମାସରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଥିଲେ। ସମସ୍ତ ୫ ଦୋଷୀଙ୍କୁ ଦୋଷମୁକ୍ତ କରିଥିଲେ। ଏହାକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

୨୦୧୭ରେ ଗୁରମିତ ତା’ର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ତା’କୁ ଦୋଷୀ ସାବ୍ୟସ୍ତ କରିବା ପରେ ପ୍ରବଳ ହିଂସା ଘଟିଥିଲା। ହରିୟାଣା, ପଞ୍ଜାବ ଓ ଦିଲ୍ଲୀର କିଛି ସ୍ଥାନରେ ଗୁରମିତର ସମର୍ଥକମାନେ ପୋଡ଼ାଜଳା କରିଥିଲେ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍ମି ଯବାନଙ୍କୁ ଡକା ଯାଇଥିଲା।

ଦୁଷ୍କର୍ମ ବ୍ୟତୀତ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ଘଟଣାରେ ମଧ୍ୟ ଗୁରମିତ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ତା’କୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି।

CBI Supreme Court Gurmeet Ram Rahim Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe