Advertisment

ପ୍ରଜ୍ଜ୍ୱଳଙ୍କୁ ଜେଜେ ଏଚ୍‌ଡି ଦେବଗୌଡ଼ାଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ କର, ନଚେତ...

‘ଯଦି ତାଙ୍କର ମୋ ପାଇଁ ଆଉ ଟିକିଏ ବି ସମ୍ମାନ ଅଛି, ତା’ହେଲେ ସେ ତୁରନ୍ତ ଫେରି ଆସନ୍ତୁ।’

HD Deve Gowda and Grandson Prajwal Revanna

HD Deve Gowda and Grandson Prajwal Revanna

Advertisment

‘ଆତ୍ମସମର୍ପଣ କର ନହେଲେ ମୋର ଓ ପରିବାର ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ।’ ଯୌନ ଶୋଷଣ ମାମଲାରେ ଫସି ଦେଶରୁ ଫେରାର ହୋଇଯାଇଥିବା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାଙ୍କ ଜେଜେ ତଥା ଜେଡିଏସ୍‌ ମୁଖ୍ୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା।

Advertisment

ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଉଦ୍ଦେଶ୍ୟରେ ଏଚ୍‌ଡି ଦେବେଗୌଡ଼ା ଏକ ଚେତାବନୀ ପତ୍ର ଜାରି କରିଛନ୍ତି। ଏହାକୁ ସେ ସାର୍ବଜନୀନ କରିଛନ୍ତି। ସେ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଏହାକୁ ପୋଷ୍ଟ କରିଛନ୍ତି।

ଏହି ଚେତାବନୀ ପତ୍ରରେ ସେ ଲେଖିଛନ୍ତି, ଏହି ସନ୍ଧିକ୍ଷଣରେ ମୁଁ କେବଳ ଗୋଟିଏ କାମ କରିପାରିବି। ମୁଁ ପ୍ରଜ୍ଜ୍ୱଳଙ୍କ ଉଦ୍ଦେଶ୍ୟରେ ଏକ କଡ଼ା ଚେତାବନୀ ଜାରି କରିପାରିବି ଏବଂ ସେ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି ଫେରିବାକୁ ଓ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ କହିପାରିବି। ସେ ନିଜକୁ ଆଇନ ପ୍ରକ୍ରିୟାରେ ସାମିଲ କରିବା ଉଚିତ। ଏହା ମୋର ଏକ ଅନୁରୋଧ ନୁହେଁ। ଏହା ଏକ ଚେତାବନୀ, ଯାହା ମୁଁ ଜାରି କରୁଛି। ଯଦି ସେ ଏହି ଚେତାବନୀକୁ ଖାତିର ନ କରନ୍ତି, ତା’ହେଲେ ତାଙ୍କୁ ମୋର ଓ ପରିବାର ଲୋକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କ ନାଁରେ ଥିବା ଅଭିଯୋଗଗୁଡ଼ିକୁ ନେଇ ଆଇନ ତା’ ବାଟରେ କାର୍ଯ୍ୟ କରିବ, କିନ୍ତୁ ପରିବାର ଲୋକଙ୍କ କଥା ନ ଶୁଣିବାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ। ସେ ଏ ଲଢ଼େଇ ଏକା ଲଢ଼ିବେ। ଯଦି ତାଙ୍କର ମୋ ପାଇଁ ଆଉ ଟିକିଏ ବି ସମ୍ମାନ ଅଛି, ତା’ହେଲେ ସେ ତୁରନ୍ତ ଫେରି ଆସନ୍ତୁ।

Advertisment

ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ଆହୁରି ଲେଖିଛନ୍ତି, ମୁଁ ଏହା ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ମୁଁ ନିଶ୍ଚିତ କରୁଛି ଯେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ହସ୍ତକ୍ଷେପ କରିବେ ନାହିଁ। ଏହି ଘଟଣାକୁ ନେଇ ମୋ ମୁଣ୍ଡରେ କୌଣସି ଭାବନା ନାହିଁ। ଅଭିଯୋଗ ଅନୁଯାୟୀ ତାଙ୍କ କାର୍ଯ୍ୟ ଓ ଭୁଲ ଯୋଗୁ ଯେଉଁମାନେ ଯନ୍ତ୍ରଣା ସହିଛନ୍ତି, ସେମାନଙ୍କୁ ନ୍ୟାୟ ମିଳୁ।

ସେ ଆହୁରି ଲେଖିଛନ୍ତି ଯେ ଏହି ଘଟଣାକୁ ନେଇ ଲୋକମାନେ ତାଙ୍କ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି କଡ଼ା ଶବ୍ଦର ପ୍ରୟୋଗ କରୁଛନ୍ତି। ସେ ଏ ବିଷୟରେ ଜାଣନ୍ତି। ସେ ସେମାନଙ୍କ ମୁହଁ ବନ୍ଦ କରିପାରିବେ ନାହିଁ। ସେ ସେମାନଙ୍କୁ ସମାଲୋଚନା ମଧ୍ୟ କରିବାକୁ ଚାହାଁନ୍ତି ନାହିଁ। ଏମିତିକି ସେ ଏନେଇ ସେମାନଙ୍କ ସହିତ ଯୁକ୍ତି କରିବାକୁ ଚାହାଁନ୍ତି ନାହିଁ। ସେ ଲୋକଙ୍କୁ ବୁଝାଇପାରିବେ ନାହିଁ। ସେ ପ୍ରଜ୍ଜ୍ୱଳଙ୍କ କାର୍ଯ୍ୟ ବିଷୟରେ ଅଜ୍ଞାତ ଥିଲେ। ସେ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁ ନଥିବା କଥା ଲୋକଙ୍କୁ ବୁଝାଇ ପାରିବେ ନାହିଁ। ସେ ତାଙ୍କ (ପ୍ରଜ୍ଜ୍ୱଳ) ବିଦେଶ ଗସ୍ତ ବିଷୟରେ ମଧ୍ୟ ଜାଣି ନଥିଲେ। ସେ ତାଙ୍କ ବିବେକ ଅନୁଯାୟୀ ଉତ୍ତର ଦେବା ଉପରେ ବିଶ୍ୱାସ କରନ୍ତି। ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି।

ସେହିପରି ତିନି ଦିନ ତଳେ ପ୍ରଜ୍ଜ୍ୱଳଙ୍କ ଦାଦା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ତାଙ୍କୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଭାରତ ଫେରି ଆସ। ଆମ ପରିବାରର ସମ୍ମାନ ରକ୍ଷା କର। ଦୟାକର ଏସ୍‌ଆଇଟି ପାଖରେ ହାଜର ହୁଅ ଓ ତଦନ୍ତରେ ସହାୟତା କର। ଯଦି ତୁମେ କିଛି ଭୁଲ କରି ନାହଁ, ତା’ହେଲେ ଏତେ ଡର କାହିଁକି?

କୁମାରସ୍ୱାମୀଙ୍କ କହିବା କଥା ଯେ ସେ ତାଙ୍କ ଭାଇ ଏଚ୍‌ଡି ରେଭାନ୍ନା(ପ୍ରଜ୍ଜ୍ୱଳଙ୍କ ବାପା) ଓ ତାଙ୍କ ପରିବାର ଲୋକଙ୍କ ସହ ବେଶୀ ମିଶନ୍ତି ନାହିଁ। କେବଳ ପାରିବାରିକ କାର୍ଯ୍ୟକ୍ରମରେ ସେମାନଙ୍କର ଦେଖାହୁଏ। ତେଣୁ ତାଙ୍କ ପରିବାର ଓ ବ୍ୟବସାୟ ବିଷୟରେ ସେ ବେଶୀ କିଛି ଜାଣି ନାହାନ୍ତି।

ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବାର ଏକାଧିକ ଭିଡିଓ ସାମ୍ନାକୁ ଆସିବା ପରେ ୩୩ ବର୍ଷୀୟ ପ୍ରଜ୍ଜ୍ୱଳ ଜର୍ମାନୀ ଚାଲି ଯାଇଛନ୍ତି। ତାଙ୍କ ନାଁରେ ଏକାଧିକ ଗିରଫ ପରୱାନା ମଧ୍ୟ ଜାରି ହୋଇଛି।

HD DeveGowda Prajwal Revanna Prajwal Revanna Sex Scandal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe