Advertisment

ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ

ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।

author-image
Hemant Lenka
BJP

BJP

ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ରର ମହାୟୁତି ସରକାର ଆଜି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛି। ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପାଖରେ ଗୃହ ବିଭାଗ ରଖିଥିବା ବେଳେ ଏନସିପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ସହ ଯୋଜନା ବିଭାଗ ମିଳିଛି।

Advertisment

ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ମହାୟୁତି ୨.୦ ସରକାରର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଶିବସେନାର ଏକନାଥ ସିନ୍ଦେ ଗୃହ ବିଭାଗ ଚାହୁଁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ନଗର ଉନ୍ନୟନ, ଗୃହ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପଦ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ସବୁଠାରୁ ଅଧିକ ବିଭାଗ ନିଜ ପାଖରେ ରଖିନ୍ତି। ଗୃହ ସହ ଶକ୍ତି, ଆଇନ ଓ ନ୍ୟାୟପାଳିକା, ସାଧାରଣ ପ୍ରଶାସନ ଓ ସୂଚନା ଏବଂ ପ୍ରଚାର ବିଭାଗର ମନ୍ତ୍ରୀ ମଧ୍ୟ ସେ ହୋଇଛନ୍ତି। ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।

Advertisment

ଅନ୍ୟପକ୍ଷରେ ଶିବସେନା ନେତା ଉଦୟ ସାମନ୍ତଙ୍କୁ ଶିଳ୍ପ, ବିଜେପିର ପଙ୍କଜା ମୁଣ୍ଡେଙ୍କୁ ପରିବେଶ ଓ ଏନସିପିର ମାଣିକରାଓ କୋକାଟାଙ୍କୁ କୃଷି ବିଭାଗର ମନ୍ତ୍ରୀ କରାଯାଇଛି। ବିଜେପିର ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ପଦ ମିଳିଛି।

ଗଣେଷ ନାଏଙ୍କୁ ଜଙ୍ଗଲ ଓ ଶିବସେନାର ଦାଦା ଭୂଷେ ସ୍କୁଲ ଶିକ୍ଷାର ମନ୍ତ୍ରୀ ହୋଇଛନ୍ତି। ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ରାଜସ୍ୱ ବିଭାଗ ସମ୍ଭାଳିବେ।

ବିଜେପିର ଅନ୍ୟତମ ବିରିଷ୍ଠ ନେତା ରାଧାକୃଷ୍ଣ ଭିଖେ ପାଟିଲଙ୍କୁ ଜଳ ସମ୍ପଦ ବିଭାଗ ମିଳିଥିବା ବେଳେ ଏନସିପି ନେତା ହାସନ ମୁଶରିଫ ମେଡିକାଲ ଶିକ୍ଷା ବିଭାଗ କଥା ବୁଝିବେ।

କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କହିଥିଲେ ଯେ ବିଭାଗ ବଣ୍ଟନ ଚୂଡ଼ାନ୍ତ ହୋଇ ସାରିଛି ଓ ତାଲିକା ଆଜି ରାତି କିମ୍ବା କାଲି ସକାଳେ ଜାରି ହେବ।

Maharashtra Mahayuti Alliance