/odisha-reporter/media/post_attachments/uploadimage/library/16_9/16_9_0/Disha_1751539869.jpg)
Disha
ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ। ତାଙ୍କ ସହ କୌଣସି ଗଣଦୁଷ୍କର୍ମ ହୋଇ ନଥିଲା କିମ୍ବା କେହି ବି ତାଙ୍କୁ ଶାରିରୀକ ନିର୍ଯାତନା ଦେଇ ନଥିଲେ। ମହାରାଷ୍ଟ୍ର ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସ୍ଆଇଟି ମୁମ୍ବାଇର ହାଇକୋର୍ଟଙ୍କୁ ଏହା ଅବଗତ କରିଛି। ତଥାପି ଘଟଣାର ତଦନ୍ତ ଚାଲିଥିବା ଏସ୍ଆଇଟି କୋର୍ଟଙ୍କୁ କହିଛି।
ଟିମ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ସେମାନେ ପ୍ରତିଟି ବିଷୟବସ୍ତୁକୁ ଭଲ ଭାବେ ବେଶ ଗୁରୁତ୍ୱର ସହ ଯାଞ୍ଚ କରୁଛନ୍ତି। ଯେମିତି କୌଣସି ଛୋଟ ତଥ୍ୟ ମଧ୍ୟ ଖସି ନ ଯିବ, ତା’ ଉପରେ ଫୋକସ କରାଯାଉଛି। ତଦନ୍ତ ବେଳେ ଦିଶାଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା ଏସ୍ଆଇଟି ସ୍ପଷ୍ଟ କରିଛି।
ଦିଶାଙ୍କ ବାପା ସତୀଶ ସାଲିୟାନ ନିଜ ଝିଅର ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଦାବି କରିଥିଲେ। ଏଥିସହ ସେ ଶିବସେନା(ଉଦ୍ଧବ ଠାକରେ)ର ନେତା ଆଦିତ୍ୟ ଠାକରେ ଓ ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣି ଏଫଆଇଆର ରୁଜୁ କରିବାକୁ କହିଥିଲେ। ତାଙ୍କର ଏପରି ଅଭିଯୋଗ ପରେ ଏସ୍ଆଇଟି ଦିଶାଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା କୋର୍ଟଙ୍କୁ ଜଣାଇଛି।
ପ୍ରଥମେ ଦିଶାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଜନିତ ବୋଲି କୁହାଯାଇଥିଲା। କିନ୍ତୁ ସତୀଶ ୨୦୨୦ ମସିହା ଜୁନ ୮ରେ ଅଭିଯୋଗ କରିଥିଲେ ଯେ ଦିଶା ତାଙ୍କ ଘରେ ଗୋଟିଏ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଆଦିତ୍ୟ ଠାକରେ, ତାଙ୍କ ବଡି ଗାର୍ଡ, ଅଭିନେତା ସୂରଜ ପଞ୍ଚୋଲି ଓ ଡିନୋ ମୋରେଆଙ୍କ ସମେତ ଆଉ କିଛି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ପାର୍ଟିରେ ଦିଶାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଥିଲେ। ସୁଶାନ୍ତ ସିଂହ ରାଜପୁତ ୨୦୨୦ ଜୁନ ୧୪ରେ ଆତ୍ମହତ୍ୟା କରିଥିବା ବେଳେ ଏହାର ଦୁଇ ଦିନ ପୂର୍ବରୁ ଦିଶାଙ୍କ ମୃତଦେହ ମିଳିଥିଲା।
ଦିଶାଙ୍କ ବାପା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ ହେଁ ଏହାକୁ ବରିଷ୍ଠ ପୁଲିସ୍ ଅଧିକାରୀ ଶୈଳେନ୍ଦ୍ର ନାଗରକର ଖଣ୍ଡନ କରିଥିଲେ। ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ। ଶୈଳେନ୍ଦ୍ର ୨୦୨୦ ମସିହା ରିପୋର୍ଟ ବିଜ୍ଞାନଭିତ୍ତିକ ତଦନ୍ତ ଓ ବୋରିଭାଲି ପୋଷ୍ଟ ମୋର୍ଟମ ସେଣ୍ଟର ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ ହୋଇଥିଲା। ଶବ ବ୍ୟବଚ୍ଛେଦରୁ ଦିଶାଙ୍କ ସହ କୌଣସି ଯୌନ କିମ୍ବା ଶାରିରୀକ ନିର୍ଯାତନା କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା।
ମୃତ୍ୟୁ ପୂର୍ବରୁ ଦିଶା ପ୍ରବଳ ନିଶାସକ୍ତ ଅବସ୍ଥାରେ ଥିଲେ। ଏକଥା ଫରେନ୍ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଦିଶାଙ୍କ ଭାବୀ ସ୍ୱାମୀ ରୋହନ ରୟ ମଧ୍ୟ ନିଜ ବୟାନରେ କହିଥିଲେ ଯେ ବ୍ୟକ୍ତିଗତ କାରଣରୁ ସେ ମାନସିକ ଅବସାଦରେ ରହିଥିଲେ। ତଦନ୍ତକାରୀ ଟିମ ଷଡ଼ଯନ୍ତ୍ରର ଦିଗକୁ ଖଣ୍ଡନ କରିଥିଲେ ହେଁ ଏହା ଉପରେ ସତୀଶଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି। ତେଣୁ କୋର୍ଟ ସତୀଶଙ୍କ ଓକିଲଙ୍କୁ ନିଜର ପକ୍ଷ ରଖିବାକୁ ୨ ସପ୍ତାହର ସମୟ ଦେଇଛନ୍ତି।
ଅନ୍ୟପକ୍ଷରେ ଏସଆଇଟି ଷଡ଼ଯନ୍ତ୍ର ଦିଗକୁ ଖାରଜ କରିଥିବାରୁ ବିରୋଧୀ ଦଳ ଗୁଡ଼ିକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ଷମା ଦାବି କରିଛନ୍ତି। ଶିବସେନା(ଉଦ୍ଧବ ଠାକରେ) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ବିଜେପି ଏବେ ଆଦିତ୍ୟ ଠାକରେଙ୍କୁ ତାଙ୍କ ସମ୍ମାନହାନୀ କରିବା ପାଇଁ କ୍ଷମା ମାଗିବା ଦରକାର।
ବିଜେପି ତାଙ୍କୁ ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲା ସହ ଯୋଡ଼ି ବଦନାମ କରିଥିଲେ। ଦେବେନ୍ଦ୍ର ଫଡନାଭିସ ଏବେ କ୍ଷମା ମାଗିବା କଥା। ଯଦି ପୁଲିସ୍ ତଦନ୍ତ କରି ଏହାକୁ ଆତ୍ମହତ୍ୟା ବୋଲି କହୁଛି, ତା’ହେଲେ ବିଜେପି ନେତାମାନେ ଓ ଏକନାଥ ସିନ୍ଦେ ଦୁଃଖ ପ୍ରକାଶ କରିବା କଥା। ସେମାନେ ଆଦିତ୍ୟ ଠାକରେଙ୍କୁ ବଦନାମ କରିଥିବା ସେ ଅଭିଯୋଗ କରିଛନ୍ତି।
ବରିଷ୍ଠ ଏନସିପି(ଶରଦ ପାୱାର) ନେତା ଏକନାଥ ଖଡସେ ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭିତ୍ତହୀନ ଅଭିଯୋଗ ଆଦିତ୍ୟ ଠାକରେଙ୍କ ଉପରେ ଲଗା ଯାଇଥିଲା। ସେମାନେ ଜଣେ ମହିଳାଙ୍କ ମୃତ୍ୟୁ ନେଇ ରାଜନୀତି କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
