/odisha-reporter/media/post_attachments/uploadimage/library/16_9/16_9_0/Virat_1741696565.jpg)
Virat
ଏକ ଦୁଃଖଦ ଘଟଣାକ୍ରମରେ ଉତ୍ତର ପ୍ରଦେଶର ଦେଓରିଆରେ ରହୁଥିବା ଜଣେ ୧୪ ବର୍ଷୀୟ ଝିଅ ହାର୍ଟ ଆଟାକରେ ପ୍ରାଣ ହରାଇଛନ୍ତି। ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ଏପରି ଘଟଣା ଘଟିଥିଲା। ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। କିନ୍ତୁ ଦେଓରିଆରେ ରହୁଥିବା ୧୪ ବର୍ଷୀୟ ପ୍ରିୟାଂଶୀ ପାଣ୍ଡେ ଏହି ବିଜୟ ଉତ୍ସବ ପାଳନ କରି ପାରି ନାହାନ୍ତ। କାରଣ ମ୍ୟାଚ୍ ଦେଖୁଥିବା ବେଳେ ସେ ହୃଦଘାତର ଶିକାର ହୋଇ ଆଖି ବୁଜିଛନ୍ତି। ପ୍ରିୟାଂଶୀ ହେଉଛନ୍ତି ଆଇନଜୀବୀ ଅଜୟ ପାଣ୍ଡେଙ୍କ ଝିଅ। ସେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ମିଶି ଫାଇନାଲ ମ୍ୟାଚ୍ ଦେଖୁଥିଲେ। ସେ ଟିମ ଇଣ୍ଡିଆ ପାଇଁ ଚିୟର ବି କରୁଥିଲେ।
ପ୍ରାଥମିକ ଭାବେ ରିପୋର୍ଟରେ କୁହାଯାଇଥିଲା ଯେ ଫାଇନାଲ ମ୍ୟାଚ୍ରେ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଯିବାରୁ ପ୍ରିୟାଂଶୀ ପୂରା ଭାଙ୍ଗି ପଡ଼ିଥିଲେ। ସେ ନିଜ ଦୁଃଖକୁ ସମ୍ଭାଳି ପାରି ନଥିଲେ। ତେଣୁ ସେ ଅଚେତ ହୋଇ ଯାଇଥିଲେ। ଏହାପରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ପ୍ରିୟାଂଶୀ ହୃଦଘାତ ଯୋଗୁ ପ୍ରାଣ ହରାଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହି ଖବର ପୂରା ପରିବାର ଓ ଆଖପାଖ ଅଞ୍ଚଳରେ ଶୋକରଚ୍ଛାୟା ଖେଳାଇ ଦେଇଛି। ପ୍ରକୃତରେ କ’ଣ ବିରାଟ ଆଉଟ ହେବା ଯୋଗୁ ପ୍ରିୟାଂଶୀ ହୃଦଘାତରେ ପ୍ରାଣ ହରାଇଛନ୍ତି? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ପରେ ପ୍ରିୟାଂଶୀଙ୍କ ବାପା ଅଜୟ ଓ ପଡ଼ୋଶୀମାନେ ପ୍ରକୃତ ଘଟଣା ଉପରୁ ପରଦା ଉଠାଇଛନ୍ତି। ଘଟଣା ବେଳେ ଅବଶ୍ୟ ଅଜୟ ଉପସ୍ଥିତ ନଥିଲେ, କିନ୍ତୁ ପଡ଼ୋଶୀମାନେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି।
ଅଜୟ ପାଣ୍ଡେ କହିଛନ୍ତି, ଫାଇନାଲ ମ୍ୟାଚ୍ର ପ୍ରଥମ ଇନିଂସ ପରେ ସେ ମାର୍କେଟକୁ ଯାଇଥିଲେ। ଦ୍ୱିତୀୟ ଇନିଂସ ଆରମ୍ଭ ହେବା କ୍ଷଣି ପ୍ରିୟାଂଶୀ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ମ୍ୟାଚ୍ ଦେଖିବା ଆରମ୍ଭ କରିଥିଲେ। ହେଲେ ହଠାତ୍ ସେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତୁରନ୍ତ ଏ ସମ୍ପର୍କରେ ଅଜୟଙ୍କୁ ଖବର ଦେଇଥିଲେ। ସେ ଘରକୁ ଆସି ଝିଅକୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ପ୍ରିୟାଂଶୀଙ୍କୁ ମୃତ ଘୋଷଣା କରିଥିଲେ।
ହସ୍ପିଟାଲ ପକ୍ଷରୁ ପିଲାଟିର ଶବ ବ୍ୟବଚ୍ଛେଦ ପାଇଁ କୁହାଯାଇଥିଲେ ହେଁ ଅଜୟ ପାଣ୍ଡେ ଏହା କରି ନାହାନ୍ତି। ସେ ଝିଅର ଶବକୁ ଘରକୁ ଆଣି ଅନ୍ତିମ ସଂସ୍କାର କରିଛନ୍ତି। ସେହିପରି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବିରାଟ ଆଉଟ ହେବା ପରେ ଝିଅର ପ୍ରାଣ ଯାଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ମ୍ୟାଚ୍ ସହ ଝିଅର ହଠାତ୍ ମୃତ୍ୟୁର କୌଣସି ଲିଙ୍କ ନଥିବା ଅଜୟ ସ୍ପଷ୍ଟ କରିଛନ୍ତି।
ଘଟଣା ବେଳେ ପ୍ରିୟାଂଶୀଙ୍କ ଘର ବାହାରେ ପଡ଼ୋଶୀ ଅମିତ ଚନ୍ଦ୍ର ଉପସ୍ଥିତ ଥିଲେ। ସେ କହିଛନ୍ତି, ପ୍ରିୟାଂଶୀ ଅଚେତ ହେବା ବେଳେ ଭାରତର ସ୍ଥିତି ଆଦୌ ଖରାପ ହୋଇ ନଥିଲା। ଭାରତ କୌଣସି ୱିକେଟ ମଧ୍ୟ ହରାଇ ନଥିଲା। ବିରାଟ କୋହଲି ବି ବ୍ୟାଟିଂ କରିବାକୁ ଆସି ନଥିଲେ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
