Advertisment

କ’ଣ ହିଂସାକୁ ଉସକାଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ?

ଆବେଦନର ଶୁଣାଣି ବେଳେ ଜଷ୍ଟିସ ପିଭି ସିଞ୍ଜୟ କୁମାର ନିଜ ଆଡ଼ୁ ଏଥିରୁ ଓହରି ଯିବା ଭଲ ହେବ କି ପ୍ରଶ୍ନ କରିଥିଲେ।

author-image
Hemant Lenka
Biren Singh

Biren Singh

ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସା ଏବେ ବି ଜାରି ରହିଛି। ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ। ମଣିପୁରରେ ୨୦୨୩ ମେ’ ମାସରୁ ଆରମ୍ଭ ହୋଇଥିବା ହିଂସା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ନିଜର ଭିଟା ମାଟି ଛାଡ଼ି ରିଲିଫ କ୍ୟାମ୍ପରେ ଜୀବନ ବିତାଉଛନ୍ତି।

Advertisment

ଏସବୁ ଭିତରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଗୋଟିଏ ତଥାକଥିତ ଅଡିଓ ରେକର୍ଡିଂ ପ୍ରସଙ୍ଗ ପୁଣି ବିବାଦ ସୃଷ୍ଟି କରିଛି। ଭାଇରାଲ ହୋଇଥିବା ଅଡିଓରେ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ମଣିପୁର ହିଂସାକୁ ଉସକାଇବା ଭଳି ବୟାନ ଦେଉଥିବା ଦାବି କରାଯାଇଛି। କୁକି ସଂପ୍ରଦାୟ ପକ୍ଷରୁ ଅଡିଓ କ୍ଲିପକୁ ଆଧାର କରି ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ସରକାରୀ ଫରେନ୍ସିକ ଲ୍ୟାବ୍ରୋଟରୀ ସିଏଫଏସ୍‌ଏଲକୁ ଅଡିଓ କ୍ଲିପର ସତ୍ୟତା ଉପରେ ରିପୋର୍ଟ ଦେବାକୁ କହିଛନ୍ତି। 

ଆବେଦନର ଶୁଣାଣି ବେଳେ ଜଷ୍ଟିସ ପିଭି ସିଞ୍ଜୟ କୁମାର ନିଜ ଆଡ଼ୁ ଏଥିରୁ ଓହରି ଯିବା ଭଲ ହେବ କି ପ୍ରଶ୍ନ କରିଥିଲେ। କାରଣ ସେ ମଣିପୁର ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇବା ସମୟରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ତରଫରୁ ଆୟୋଜିତ ଡିନର ପାର୍ଟିରେ ଯୋଗଦେଇଥିଲେ। ତେଣୁ ବୀରେନ ସିଂହଙ୍କ ସହ ଜଡ଼ିତ ମାମଲାର ଶୁଣାଣିରୁ ସେ ଓହରି ଯିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ଏହାର ଜବାବରେ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଜଷ୍ଟିସ କୁମାରଙ୍କୁ ନିଜ ଆଡ଼ୁ ଓହରିବାର କୌଣସି ଆବଶ୍ୟକ ନାହିଁ। ଏହି ଖଣ୍ଡପୀଠରେ ଜଷ୍ଟିସ କୁମାରଙ୍କ ସହ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଅଛନ୍ତି।

ଆବେଦନକାରୀ ଓକିଲ ଭୂଷଣ କହିଛନ୍ତି ଯେ ନନ ପ୍ରଫିଟ ଟ୍ରୁଥ ଲ୍ୟାବ ନିଶ୍ଚିତ କରିଛି ଯେ ଲିକ ହୋଇଥିବା କ୍ଲିପ ସହ ବୀରେନ ସିଂହଙ୍କ ସ୍ୱର ୯୩% ମିଶୁଛି। ଟ୍ରୁଥ ଲ୍ୟାବ ୨୦୦୭ରେ ପ୍ରତିଷ୍ଠା ହୋଇଥିଲା। ଏହା ଦେଶର ପ୍ରଥମ ବେସରକାରୀ ପୂର୍ଣ୍ଣକାଳୀନ ଫରେନ୍ସି ଲ୍ୟାବ।

ଏହାର ଉତ୍ତରରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ଟ୍ରୁଥ ଲ୍ୟାବର ରିପୋର୍ଟ ଉପରେ ଭରସା କରାଯାଇ ପାରିବ ନାହିଁ। ଅଡିଓ କ୍ଲିପର ସତ୍ୟାସତ୍ୟ ଜାଣିବା ପାଇଁ ଏହାକୁ କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲ୍ୟାବ(ସିଏଫଏସ୍‌ଏଲ)କୁ ପଠାଯାଇଛି।

ଭୂଷଣ କହିଥିଲେ“ସିଏଫଏସ୍‌ଏଲ ତୁଳନାରେ ଟ୍ରୁଥ ଲ୍ୟାବର ରିପୋର୍ଟ ଅଧିକ ଭରସାଯୋଗ୍ୟ।” ଦୁଇ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ସିଲ୍‌ କଭର୍‌ରେ ସିଏଫଏସ୍‌ଏଲ ଠାରୁ ରିପୋର୍ଟ ମାଗିଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୪ରୁ ଆରମ୍ଭ ହେବ ବୋଲି କହିଛନ୍ତି।

ସିଲିସିଟର ଜେନେରାଲଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା କହିଛନ୍ତି, “ମୁଁ ମଧ୍ୟ ଏହି ପ୍ରତିଲେଖାର ସତ୍ୟତା ଜାଣିନାହିଁ। କେବେ ସିଏଫଏସ୍‌ଏଲର ରିପୋର୍ଟ ଆସିବ? ଏହାକୁ ତର୍ଜମା କରାଯାଉ। ଏହାକୁ ଆଉ ଏକ ପ୍ରସଙ୍ଗ କରା ନଯାଉ। ମାସକ ମଧ୍ୟରେ ରିପୋର୍ଟ ଦିଅନ୍ତୁ। ଏବେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ସେହିପରି ମାମଲାର ଶୁଣାଣି ଏହି କୋର୍ଟ କରିବେ ନା ହାଇକୋର୍ଟ କରିବେ, ତା’ର ବିଚାର ମଧ୍ୟ କରିବୁ।”

ଶ୍ରୀ ଭୂଷଣ କହିଛନ୍ତି, ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ସମୟରେ ଜଣେ ବ୍ୟକ୍ତି ଏଡି ଅଡିଓ କ୍ଲିପକୁ ପାଇବାକୁ ସକ୍ଷମ ହୋଇଛନ୍ତି। ଏହାର ଜବାବରେ ତୁଷାର ମେହେଟା କହିଛନ୍ତି, “ଅଡିଓ କ୍ଲିପକୁ ଏକ୍ସରେ ଅପଲୋଡ କରିଥିବା ବ୍ୟକ୍ତିଙ୍କ ପାଖରେ ତଦନ୍ତକାରୀ ସଂସ୍ଥା ପହଞ୍ଚିବାକୁ ଉଦ୍ୟମ କରିଛନ୍ତି।”

Kuki Organisation for Human Rights Trust (KOHUR) ପକ୍ଷରୁ ଏପରି ଆବେଦନ କରାଯାଇଛି। ଏହାର ଅଧ୍ୟକ୍ଷ ହେଉଛନ୍ତି ଏଚଏସ ବେଞ୍ଜାମିନ ମାତେ। ସେ କୁକି ଇନପି ନାମକ ଆଉ ଏକ ସଂଗଠନର ଟପ ଲିଡର। କୁକି ଇନପି ସେହି ସଂସ୍ଥା ଯିଏ କୁକି ସଂପ୍ରଦାୟର ଲୋକମାନେ ମଣିପୁର ମଧ୍ୟରୁ ନିଜ ପାଇଁ ସ୍ୱତନ୍ତ୍ର ପ୍ରଶାସନ ଗଠନ ପାଇଁ ହେଉଥିବା ଦାବିକୁ ସମର୍ଥନ କରିଛି। ତାଙ୍କ ସଂଗଠନ ଦାବି କରିଛି ଯେ ବୀରେନ ସିଂହ ସରକାର ବେଞ୍ଜାମିନଙ୍କୁ ହଇରାଣ କରିବା ସହ ତାଙ୍କୁ ଚୁପ କରାଇବା ପାଇଁ ଉଦ୍ୟମ କରୁଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗଠନ କରିଛି ତଦନ୍ତ କମିଶନ

ଭାଇରାଲ ହେଉଥିବା ଅଡିଓ ଟେପର ତଦନ୍ତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ତଦନ୍ତ କମିଶନ ଗଠନ କରିଛି। ଟେପକୁ ଉପସ୍ଥାପନ କରିଥିବା ବ୍ୟକ୍ତି ସତ୍ୟପାଠ ଜରିଆରେ ଏଥିରେ ସତ୍ୟତା ଥିବା କହିଛନ୍ତି। କୁକି ଛାତ୍ର ସଂଗଠନ(କେଏସ୍‌ଓ) ପକ୍ଷରୁ ପ୍ରଥମେ ଅଡିଓ ଟେପର କିଛି ଅଂଶକୁ ୨୦୨୪ ମସିହା ଅଗଷ୍ଟ ୭ରେ ରିଲିଜ କରାଯାଇଥିଲା। ଏହାର ଆଉ ଗୋଟିଏ ପାର୍ଟ ଅଗଷ୍ଟ ୨୦ରେ ସାମ୍ନାକୁ ଆସିଥିଲା।

ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ପୂର୍ବରୁ କେଏସ୍‌ଓ ଗୋଟିଏ ବିବୃତିରେ କହିଥିଲା ଯେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଲିକ ଅଡିଓ କ୍ଲିପ ଉପରେ ଭାରତ ସରକାର ପଦକ୍ଷେପ ନ ନେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ସରକାର ରଖିଥିଲେ ଏମିତି ମତ

ଭାଇରାଲ ଅଡିଓ କ୍ଲିପକୁ ବିକୃତ କରି ଜାରି କରାଯାଇଥିବା ମଣିପୁର ସରକାର କହିଥିଲେ। ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଚାଲିଥିବା ଶାନ୍ତି ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବାକୁ ଏପରି କରାଯାଇଥିବା ବୀରେନ ସିଂହ ସରକାର ସଫେଇ ଦେଇଥିଲେ। ଅଗଷ୍ଟ ୭ରେ ସରକାର ଜାରି କରିଥିବା ବିବୃତିରେ କହିଥିଲେ ଯେ “ହିଂସାକୁ ଉସକାଇବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମରେ ବାଧା ସୃଷ୍ଟି କରିବା ପାଇଁ ଏପରି ବିକୃତ ଭିଡିଓ ଜାରି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏପରି କରିଛନ୍ତି।”

Manipur Violence Manipur Incident Manipur Communal Violence Manipur Burning