Advertisment

ବାହାଘର ପରଦିନ ହୃଦଘାତରେ ଚାଲିଗଲେ ବର-କନିଆଁ

ରାତିରେ ନବବିବାହିତ ଦମ୍ପତି ପ୍ରତାପ ଓ ପୁଷ୍ପା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ ଯାଇ ଶୋଇଥିଲେ। କିନ୍ତୁ ଗୁରୁବାର ସକାଳେ ବହୁ ବିଳମ୍ବ ପର୍ଯ୍ୟନ୍ତ ସେମାନେ ରୁମ୍‌ରୁ ବାହାରି ନଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
BRIDE

BRIDE

ବାହାଘର ସରିବା ପରେ କନିଆଁକୁ ଧରି ଘରକୁ ଫେରିଲେ ବର। ଘରେ ପରମ୍ପରା ଅନୁଯାୟୀ ସବୁ ରୀତିନୀତି ସରିବା ପରେ ରାତିରେ ସେମାନେ ନିଜ ରୁମ୍‌କୁ ଯାଇ ଶୋଇଥିଲେ। କିନ୍ତୁ ତା’ପରଦିନ ସକାଳେ ଆଉ ଉଠି ନଥିଲେ। ରୁମ୍‌ରୁ ବାହାରିଥିଲା ସେମାନଙ୍କ ଶବ। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାର କେଶରଗଞ୍ଚ ଥାନା ଅନ୍ତର୍ଗତ ଟେପରହନପୁରବା ଗୋଡ଼ହିୟା ଗାଁରେ।

Advertisment

ମୃତ ଦମ୍ପତି ହେଲେ ପ୍ରତାପ ଯାଦବ (୨୪) ଓ ପୁଷ୍ପା ଯାଦବ (୨୨)। ପୁଷ୍ପାଙ୍କ ବାପଘର ଗୋଲନପୁରବାରେ। ସେଠାରେ ଗତ ମଙ୍ଗଳବାର ପ୍ରତାପ ଓ ପୁଷ୍ପାଙ୍କ ବିବାହ ହୋଇଥିଲା।

ତା’ ପରଦିନ ଅର୍ଥାତ ଗତ ବୁଧବାର ପ୍ରତାପ ତାଙ୍କ ପତ୍ନୀଙ୍କୁ ନେଇ ନିଜ ଘରକୁ ଫେରିଥିଲେ। ସେଠାରେ ଦିନ ସାରା ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଥିଲା ଓ ଭୋଜିଭାତ ଇତ୍ୟାଦି ହୋଇଥିଲା। ରାତିରେ ନବବିବାହିତ ଦମ୍ପତି ପ୍ରତାପ ଓ ପୁଷ୍ପା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ ଯାଇ ଶୋଇଥିଲେ। କିନ୍ତୁ ଗୁରୁବାର ସକାଳେ ବହୁ ବିଳମ୍ବ ପର୍ଯ୍ୟନ୍ତ ସେମାନେ ରୁମ୍‌ରୁ ବାହାରି ନଥିଲେ। ପରିବାର ଲୋକେ କବାଟ ବାଡ଼େଇବା ସତ୍ତ୍ୱେ ଭିତରୁ କିଛି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ଘର ଲୋକେ କୌଣସି ଅଘଟଣ ଘଟିଥିବା ସନ୍ଦେହ କରି କବାଟ ଭାଙ୍ଗି ଦେଇଥିଲେ। ପ୍ରତାପ ଓ ପୁଷ୍ପାଙ୍କୁ ମୃତ ଅବସ୍ଥାରେ ସେମାନେ ପାଇଥିଲେ।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମୃତଦେହ ଗୁଡ଼ିକୁ ଯାଞ୍ଚ କରିଥିଲା। ଦୁଇ ମୃତଦେହରେ କୌଣସି ପ୍ରକାର ଦାଗ ବା ଆଘାତ ଚିହ୍ନ ନଥିଲା। ପୁଲିସ ଦୁଇଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ ହୃଦଘାତ ଯୋଗୁ ଉଭୟ ପ୍ରତାପ ଓ ପୁଷ୍ପାଙ୍କ ମୃତ୍ୟୁ ଘଟିଥିଲା।

କେସରଗଞ୍ଜ ଥାନା ଅଧିକାରୀ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ହୃଦଘାତ ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଛି। ତେବେ ଆଉ କିଛି ସନ୍ଦେହ ରହିଛି। ତେଣୁ ଅଧିକ ତଦନ୍ତ କରାଯାଉଛି।

ପୁଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପ୍ରତାପ ଓ ପୁଷ୍ପା ଯେଉଁ ରୁମ୍‌ରେ ଶୋଇଥିଲେ ସେଥିରେ ପବନ ଚଳାଚଳ ପାଇଁ ଭଲ ବ୍ୟବସ୍ଥା ନଥିଲା। ତା’ ସାଙ୍ଗକୁ ଉକ୍ତ ରୁମ୍‌ରେ ବହୁତ ଜିନିଷ ଥିଲା। ସେଥିପାଇଁ ହୁଏତ ରାତିରେ ଶୋଇଥିବା ଅବସ୍ଥାରେ ସେମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ।

Sudden Heart Attack