ଗିରଫ ଡାକ୍ତର
ଗୁଜରାଟ(Gujarat) ଆତଙ୍କବାଦୀ ନିରୋଧ ସ୍କ୍ୱାଡ ଗିରଫ କରିଥିବା ୩ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ହେଉଛି ଡାକ୍ତର। ଏହି ଡାକ୍ତର ଜଣକ ଅତ୍ୟନ୍ତ ମାରାତ୍ମକ ରିସିନ ବିଷ ପ୍ରସ୍ତୁତ କରୁଥିଲା। ମାରାତ୍ମକ ବିଷ ପ୍ରସ୍ତୁତ କରିବା ସହ ଗିରଫ ଡାକ୍ତର ଜଣକ ଦେଶର ୩ଟି ବଡ଼ ସହରରେ ଥିବା ପ୍ରମୁଖ ସ୍ଥାନରେ ସର୍ଭେ କରିଥିଲା।
ଏହି ମାର୍କେଟ ଗୁଡ଼ିକରେ ପ୍ରତିଦିନ ପ୍ରବଳ ଭିଡ଼ ହୋଇଥାଏ। ସମ୍ଭବତଃ ରିସିନ ବିଷ ପ୍ରୟୋଗ କରିବା ପାଇଁ ସେ ସେହି ସବୁ ମାର୍କେଟରେ ସର୍ଭେ କରିଥିଲା ବୋଲି ଆଶଙ୍କା କରାଯାଉଛି।
ପୁଲିସ୍ର କହିବା କଥା ଯେ ଗିରଫ ଡାକ୍ତର ଜଣକ ୬ ମାସ ଧରି ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନରୋଦା ଫଳ ବଜାର ଓ ଲକ୍ଷ୍ନୌରେ ଥିବା ଆରଏସଏସ୍ ଅଫିସରେ ରେକି କରିଥିଲା। ଆଜାଦପୁର ମଣ୍ଡି ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ଫଳ ଓ ପନିପରିବା ମାର୍କେଟ। ଏହି ୩ଟି ସ୍ଥାନରେ ପ୍ରବଳ ଭିଡ଼ ହୋଇଥାଏ। ତେଣୁ ଏହି ସବୁ ସ୍ଥାନ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଟାର୍ଗେଟରେ ରହିଥିବା ସନ୍ଦେହ କରାଯାଉଛି।
ଏଟିଏସ କହିଛି ଯେ ଗିରଫ ହୋଇଥିବା ୩୫ ବର୍ଷୀୟ ଡାକ୍ତର ଅହମଦ ମୋହିୟୁଦ୍ଦୀନ ସୈୟଦର ଘର ହାଇଦ୍ରାବାଦରେ। ସେ ମାରାତ୍ମକ ରିସିନ ବିଷ ତିଆରି କରୁଥିଲା। କାଷ୍ଟୋର ପ୍ଲାଣ୍ଟ ମଞ୍ଜିରୁ ବାହାରୁ ଥିବା ଗୋଟିଏ ପ୍ରୋଟିନରୁ ଏହାକୁ ପ୍ରସ୍ତୁତ କରାଯାଏ। ରିସିନ ବିଷ ଦ୍ୱାରା ଆକ୍ରମଣ ପାଇଁ ସେ ଓ ତା’ର ସଂଗଠନ ଯୋଜନା କରୁଥିଲା। କିନ୍ତୁ ଗୁଜରାଟ ଏଟିଏସ୍ ତା’କୁ ନଭେମ୍ବର ୭ରେ ଗିରଫ କରିଥିଲା।
ଗୁଜରାଟ ଏଟିଏସର ସୂଚନା ଅନୁଯାୟୀ, ‘ରିସିନ’ ସାୟନାଇଡ୍ ଠାରୁ ବି ଅଧିକ ଘାତକ। ଅଳ୍ପ ପରିମାଣର ରିସିନ ବହୁ ଲୋକଙ୍କ ଜୀବନ ନେଇପାରେ। ତେବେ ଗିରଫ ଆତଙ୍କବାଦୀମାନେ ‘ରିସିନ’ର ବ୍ୟବହାର କେଉଁ ଭଳି ଭାବେ କରିଥା’ନ୍ତେ, ସେ ନେଇ ତଦନ୍ତ ଜାରି ରହିଛି। ଜେରା ବେଳେ ଅହମଦ ସୈୟଦ କହିଛି ଯେ ବନ୍ଧୁକ ଓ ଉକ୍ତ ତରଳ ରସାୟନିକ ପଦାର୍ଥକୁ ସେ ରାଜସ୍ଥାନର ହନୁମାନଗଡ଼ରୁ ମଗାଇଥିଲା। ତେବେ କେଉଁ ନେଟୱର୍କ ସହାୟତାରେ ଏହି ବନ୍ଧୁକ ଓ ତରଳ ରସାୟନିକ ପଦାର୍ଥ ତା’ ପାଖକୁ ଆସିଲା ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ତଦନ୍ତ ଗୁଜରାଟ ଏଟିଏସ କରୁଛି।
ଗୁଜରାଟ ଏଟିଏସ୍ର ଜଣେ ଅଧିକାରୀ କହିଛନ୍ତି ଯେ ଗୋଟିଏ ବଡ଼ ଆତଙ୍କବାଦୀ ଆକ୍ରମଣକୁ କାର୍ଯ୍ୟକାରୀ କରିବା ପାଇଁ ଅହମଦ ସୈୟଦ ଗୋଟିଏ ଅତ୍ୟନ୍ତ ମାରାତ୍ମକ ବିଷ ରିସିନ ପ୍ରସ୍ତୁତ କରୁଥିଲା। ଏଥିପାଇଁ ଆବଶ୍ୟକ ରିସର୍ଚ୍ଚ, ପ୍ରକ୍ରିୟା, ଉପକରଣ, ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ, ତା’ ପାଖରେ ପହଞ୍ଚି ସାରିଥିଲା। ଆକ୍ରମଣ ପାଇଁ ସମ୍ଭାବ୍ୟ ରେକି ମଧ୍ୟ କରାଯାଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଏଟିଏସ୍ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏବେ ଜବତ ସାମଗ୍ରୀ ଓ ବୈଦ୍ୟୁତିକ ପ୍ରମାଣର ଯାଞ୍ଚ କରି କେମିକାଲ ଆସିଥିବା ଉତ୍ସରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ରିସିନର କୌଣସି ପରୀକ୍ଷାମୂଳକ ପ୍ରସ୍ତୁତି କରାଯାଇଥିଲା କି ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରାଯାଉଛି।
ନଭେମ୍ବର ୧୦ରେ ଗୁଜରାଟ ଏଟିଏସ ଓ କେନ୍ଦ୍ର ଏଜେନ୍ସିର ମିଳିତ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ (ISIS) ସହିତ ଏହି ୩ ଜଣଙ୍କର ସଂପର୍କ ଥିବା ବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ଉତ୍ତର ପ୍ରଦେଶର ଓ ଗିରଫ ଡାକ୍ତର ହାଇଦ୍ରାବାଦର ମୂଳବାସିନ୍ଦା।
ଗୁଇନ୍ଦା ସୂଚନା ଆଧାରରେ ଏଟିଏସ୍ ଗାନ୍ଧିନଗରର ଅଡଲାଜ ଠାରୁ ସୈୟଦକୁ ଗିରଫ କରିଥିଲା। ତା’ ପାଖରୁ ୨ଟି ଗ୍ଲୋକ ପିସ୍ତଲ, ଗୋଟିଏ ବେରେଟ୍ଟେ ପିସ୍ତଲ, ୩୦ଟି ଜୀବନ୍ତ କ୍ୟାଟ୍ରିଜ ଓ ୪ ଲିଟର କାଷ୍ଟୋର ତେଲ ଜବତ କରାଯାଇଥିଲା।
ଚାଇନାରୁ ସୈୟଦ ଏମବିବିଏସ୍ ଡିଗ୍ରୀ ହାସଲ କରିଛି। ତା’ର ଲିଙ୍କ ଆଇଏସଏସ୍(Terrorists)ର ଆଞ୍ଚଳିକ ବ୍ରାଞ୍ଚ ଇସଲାମିକ ଷ୍ଟେଟ–ଖୋରସାନା ପ୍ରୋଭିନ୍ସ ବା ଆଇଏସକେପିର ସଦସ୍ୟ ଅବୁ ଖାଦିମ ସହ ରହିଥିଲା।
ଡାକ୍ତର ସୈୟଦ ଜଣେ ଉଚ୍ଚ ଶିକ୍ଷତ ଓ ଅତ୍ୟନ୍ତ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ। ବଡ଼ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେ ପାଣ୍ଠି ସଂଗ୍ରହ ଓ ନିଯୁକ୍ତି ପ୍ରକ୍ରିୟା ପାଇଁ ଯୋଜନା କରିଥିଲା। ତା’ ସହ ଏଟିଏସ୍ ଆଉ ଦୁଇ ଆତଙ୍କବାଦୀ ଆଜାଦ ସୁଲେମାନ ଶେଖ(୨୦) ଓ ମହମ୍ମଦ ସୁହେଲ ମହମ୍ମଦ ସଲୀମ(୨୩)କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/10/doctor-2025-11-10-14-22-05.jpg)