Advertisment

ଟେବୁଲ ଉପରେ ଗୋଡ଼ ରଖି ଶୋଇଥିଲେ ଡାକ୍ତର, ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ

ସୋମବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୁନୀଲ ନାମକ ଜଣେ ବ୍ୟକ୍ତିଙ୍କୁ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜକୁ ଅଣାଯାଇଥିଲା।

Doctor

Doctor

Advertisment

କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ଜରୁରୀ ପରିସ୍ଥିତିରେ ଲୋକମାନେ ଡାକ୍ତରଙ୍କ ପାଖକୁ ଜୀବନ ବଞ୍ଚାଇ ଦେବାର ଆଶା ରଖି ହସ୍ପିଟାଲ ଆସନ୍ତି। ହେଲେ ଉତ୍ତର ପ୍ରଦେଶର ମୀରଟରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଘଟିଛି।

Advertisment

ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡାକ୍ତର ଟେବୁଲ ଉପରେ ଗୋଡ଼ ରଖି ଶୋଇ ରହିଥିବା ବେଳେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ଥିତି ଉପରେ ତାଳି ପକାଇବାକୁ ୨ ଜଣ ଜୁନିୟର ଡାକ୍ତରଙ୍କୁ ନିଲମ୍ବିତ କରି ଦିଆଯାଇଛି।

ସୋମବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୁନୀଲ ନାମକ ଜଣେ ବ୍ୟକ୍ତିଙ୍କୁ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜକୁ ଅଣାଯାଇଥିଲା। ଏମର୍ଜେନ୍ସି ୱାର୍ଡରେ ସୁନୀଲ ଭର୍ତ୍ତି ହେବା ବେଳେ ପ୍ରବଳ ରକ୍ତସ୍ରାବ ହେଉଥିଲା। ଏହାକୁ ଦେଖି ପରିବାର ଲୋକ ଡାକ୍ତରଙ୍କୁ ଡାକିଥିଲେ। ହେଲେ ସେମାନଙ୍କ କଥା କେହି ବି ଶୁଣି ନଥିଲେ।

Advertisment

ସୁନୀଲଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଷ୍ଟ୍ରେଚରେ ରହି ଯନ୍ତ୍ରଣା ଯୋଗୁ କାନ୍ଦୁଥିଲେ। ତାଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା। ଦୀର୍ଘ ସମୟ ଧରି ସେ ଷ୍ଟ୍ରେଚରରେ ପଡ଼ି ରହିଥିବା ବେଳେ ଡ୍ୟୁଟିରେ ଥିବା ଦୁଇ ଜୁନିୟର ଡାକ୍ତର ଭୂପେଶ କୁମାର ରାଏ ଓ ଅନିକେତ କିଛି ବି ଶୁଣି ନଥିଲେ। ଉଭୟ ଟେବୁଲ ଉପରେ ଗୋଡ଼ ରଖି ନିଘୋଡ଼ ନିଦରେ ଶୋଇ ରହିଥିଲେ। ବେଶ କିଛି ଘଣ୍ଟା ପରେ ସୁନୀଲଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବୋଲି ସେ ଅଭିଯୋଗ କରିଛନ୍ତି। 

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଡାକ୍ତର ଏସି ସାମ୍ନାରେ ଶୋଇବା ସହ ତାଙ୍କ ଗୋଡ଼ ଟେବୁଲ ଉପରେ ରହିଛି। ଜଣେ ମହିଳା ତାଙ୍କ ଛୋଟ ଛୁଆକୁ ଧରି ଡାକ୍ତରଙ୍କୁ ଉଠାଇବାକୁ ଚେଷ୍ଟା କରୁନ୍ତି। ଡାକ୍ତର ଜଣଙ୍କ ଶୋଇ ରହିଥିବା ବେଳେ ସୁନୀଲ ହସ୍ପିଟାଲ ବେଡରେ ପଡ଼ି ରହିଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଛି।

ଘଟଣା ବେଳେ ଡ୍ୟୁଟି ଇନ ଚାର୍ଜ ଡାକ୍ତର ଶଶାଙ୍କ ଜିନ୍ଦଲ ହସ୍ପିଟାଲରେ ଉପସ୍ଥିତ ନଥିଲେ। କିନ୍ତୁ ତଦନ୍ତ ବେଳେ ଡାକ୍ତର ଜିନ୍ଦଲ କହିଛନ୍ତି ଯେ ସେ ଅବହେଳା ସମ୍ପର୍କରେ ଖବର ପାଇବା ମାତ୍ରେ ହସ୍ପିଟାଲକୁ ଆସିଥିଲେ ଓ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲେ।

କିନ୍ତୁ ମଙ୍ଗଳବାର ସକାଳ ୭ଟାରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲଙ୍କ ମୃତ୍ୟୁ ହୋଇଯାଇଛି। ଚିକିତ୍ସାରେ ଅବହେଳା ଯୋଗୁ ସୁନୀଲ ପ୍ରାଣ ହରାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ଡାକ୍ତର ଜିନ୍ଦଲଙ୍କ କହିବା କଥା ଯେ ସୁନୀଲଙ୍କ ଅବସ୍ଥା ଗତକାଲି ଠାରୁ ହିଁ ଗୁରୁତର ଥିଲା।

ମେଡିକାଲ କଲେଜ ପ୍ରିନ୍ସିପାଲ ଡାକ୍ତର ଆରସି ଗୁପ୍ତା କହିଛନ୍ତି, “ରୋଗୀ ସହାୟତା ମାଗୁଥିବା ବେଳେ ଜୁନିୟର ଡାକ୍ତର ଶୋଇଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାରେ ୨ ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ତଦନ୍ତ ଆରମ୍ଭ ହୋଇଛି।” ମୀରଟ ମାଜିଷ୍ଟ୍ରେଟ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe